Below header

୭୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦାବିରେ ଯୁବକ କରିଥିଲେ ୟୁଟୁବ ନାମରେ ମାମଲା, ଫଳ ହେଲା ଓଲଟା, ଜରିମାନାରୁ ବର୍ତ୍ତିବା ପାଇଁ କୋର୍ଟରେ ହେଲେ ନେହୁରା

ନୂଆଦିଲ୍ଲୀ : କଥାରେ ଅଛି ‘ଦାସେ ଯାଇଥିଲେ ଫାଣ୍ଡିକି ….। ନିମ୍ନୋକ୍ତ ଘଟଣାକୁ ଦେଖିଲେ ଏହି ଉକ୍ତି ବେଶ ତାପ୍ତର୍ଯ୍ୟପୂର୍ଣ୍ଣ ବୋଲି ମନେହୁଏ । ବେଳେ ବେଳେ ଏମିତି ହୋଇଥାଏ, କିଛି ଉପଯୁକ୍ତ କାରଣ ନଥାଇ ମଧ୍ୟ ଲୋକେ କୋର୍ଟ କଚେରୀ ଯାଇଥାନ୍ତି । ହେଲେ ଏହାର ଓଲଟା ଫଳ ଭୋଗିବାକୁ ପଡିଥାଏ । ଯାହାକୁ ଭୋଗିବାକୁ ପଡିଛି ମଧ୍ୟ ପ୍ରଦେଶର ଜଣେ ଯୁବକଙ୍କୁ । ସେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କ ରିଥିଲେ । ଯାହାର ଫଳ ସ୍ୱରୁପ ତାଙ୍କୁ ୨୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ଶୁକ୍ରବାର ଜଣେ ପିଟିସନକାରୀଙ୍କୁ କଡା ଶବ୍ଦରେ ସମାଲୋଚନା କରିବା ସହ ତାଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ବ୍ୟକ୍ତି ଜଣକ ତାଙ୍କ ପିଟସନରେ ୟୁଟୁବ ଉପରେ ଦୋଷ ଲଗାଇ କୋର୍ଟରେ ଅଭିଯୋଗ କରିଥିଲେ ଯେ ୟୁଟୁବରେ ଅଶ୍ଳୀଳ ବିଜ୍ଞାପନ ଦେଖି ତାଙ୍କର ଧ୍ୟାନ ଭଙ୍ଗ ହେଲା । ଯାହାଫଳରେ ସେ ମଧ୍ୟପ୍ରଦେଶ ପୋଲିସ ରିକୃଟମେଣ୍ଟ ପରୀକ୍ଷାରେ ଫେଲ ହୋଇଗଲେ । ପିଟିସନକାରୀ ଯୁବକ ସୋସିଆଲ ମିଡିଆରେ ଅଶ୍ଳୀଳତାକୁ ବନ୍ଦ କରିବାକୁ ମଧ୍ୟ ଦାବି କରିଥିଲେ ।

ତେବେ ଜଷ୍ଟିସ ସଂଜୟ କିଶନ କୌଲ ଓ ଜଷ୍ଟିସ ଅଭୟ ଏସ୍‌ ଓକାଙ୍କ ଖଣ୍ଡପୀଠ ଏହାକୁ ଅନୁଚ୍ଛେଦ ୩୨ ଅନୁଯାୟୀ ଦାଖଲ ହୋଇଥିବା ସବୁଠୁ ଖରାପ ପିଟିସନ ବୋଲି କହିଥିଲେ । କୋର୍ଟ ଏହା ମଧ୍ୟ କହିଥିଲେ, ଯଦି ଆପଣଙ୍କୁ କୌଣସି ବିଜ୍ଞାପନ ପସନ୍ଦ ନ ଆସିଲା ତ ତାକୁ ଦେଖନ୍ତୁ ନାହିଁ । କ’ଣ ପାଇଁ ଅନୁକମ୍ପା ମାଗୁଛନ୍ତି ? ଆପଣ ଇଣ୍ଟରନେଟ ଦେଖୁଛନ୍ତି ଏଥିପାଇଁ ନା ଇଣ୍ଟରନେଟ ଦେଖିବା ଯୋଗୁ ପରୀକ୍ଷାରେ ଫେଲ ହେଲେ ଏଥିପାଇଁ ?

ବିଜ୍ଞାପନରେ ସେକ୍ସୁଆଲ କଣ୍ଟେଣ୍ଟ ଥିଲା,ଏଥିପାଇଁ ଆପଣଙ୍କ ଧ୍ୟାନ ଭଙ୍ଗ ହେଲା । ଏଥିପାଇଁ କୋର୍ଟ ଆସି ଅନୁକମ୍ପା ମାଗୁଛନ୍ତି । ଏବେ କିନ୍ତୁ ଆପଣଙ୍କର ଆଚରଣ ପାଇଁ କୋର୍ଟକୁ ଜରିମାନା ଦେବାକୁ ହେବ । ପିଟିସନକୁ ଖାରଜ କରିବା ସହ ପିଟିସନକାରୀଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ କହି ଏହା କୋର୍ଟର ସମୟ ନଷ୍ଟ ବୋଲି ଜଷ୍ଟିସ ଟିପ୍ପଣୀ ଦେଇଥିଲେ । ଜରିମାନା ରାଶି ଶୁଣିବା ପରେ ପିଟିସନକାରୀ- ‘ମହୋଦୟ, ମୁଝେ ମାଫ୍‌ କର୍‌ ଦିଜିଏ, ମେରା ମାତା ପିତା ମଜଦୁର ହେ ’ ବୋଲି କୋର୍ଟରେ ଅପିଲ କରିଥିଲେ ।

କୋର୍ଟ ଦୃଢ଼ ଭାବେ କହିଥିଲେ -ମାଫ୍‌ ନେହିଁ କରୁଙ୍ଗା

ଜଷ୍ଟିସ କୋଲ ପିଟିସନକାରୀଙ୍କୁ କହିଥିଲେ – ଆପକୋ ଲଗାତା ହେ କି ପ୍ରଚାର କେ ଲିଏ ଜବ ଚାହେ ଇଧର ଆ ସକତେ ହେ । ଜୁର୍ମାନା କମ୍‌ କରଦୁଙ୍ଗା, ଲେକିନ ମାଫ୍‌ ନେହିଁ କରୁଙ୍ଗା । ଏହା ପରେ ଜଷ୍ଟିସ କୋଲ ଜରିମାନାକୁ ୧ ଲକ୍ଷ ଟଙ୍କାରୁ ହ୍ରାସ କରି ୨୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଶୁଣିବା ପରେ ପିଟିସନକାରୀ କହିଥିଲେ- ‘ମେରେ ପାସ କୋଇ ରୋଜଗାର ନେହିଁ ହେ ।’ ଜଷ୍ଟିସ କୋଲ କହିଥିଲେ – ‘ରୋଜଗାର ନେହିଁ ହେ ତୋ ହମ୍‌ ବସୁଲି କରେଙ୍ଗେ, ଔର କ୍ୟା ।’ ସୁପ୍ରିମକୋର୍ଟ ଏହା ପୂର୍ବରୁ ନିମ୍ନ ଜନସ୍ୱାର୍ଥ ମାମଲା କୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.