ରାଷ୍ଟ୍ରୀୟ ପକ୍ଷୀର ସମ୍ମାନାର୍ଥେ ଅଧିକାରୀ ଅଟକିଲେ, ଟ୍ରେନ ବି ଅଟକିଲା

ଛୋଟ ବେଳେ ଆମେ ଶିଖିଛେ ଆମ ଜାତିର ପିତା କିଏ, ଜାତିୟ ଚିହ୍ନ କଣ, ଜାତୀୟ ପଶୁ, ପକ୍ଷୀ ଏମିତି କେତେ କଣ । କିନ୍ତୁ ଲୋକେ ଯେତେ ବଡ ହେଉଛନ୍ତି ସେହି ତୁଳନାରେ ଜ୍ଞାନ ବି କମି କମି ଯାଉଥିବାର ଲାଗେ କେତେକ ଦୃଶ୍ୟ ଦେଖିଲେ । କିନ୍ତୁ ଆମେ ଆପଣଙ୍କୁ ଏପରି ଘଟଣା ବିଷୟରେ କହିବୁ ଯାହା ଆପଣଙ୍କୁ ପୁଣି ସେହି ଛୋଟବେଳର ପାଠ ମନେପକାଇଦବ । କାରଣ ସେହି ଶିକ୍ଷା ଆଜିର ଚିତ୍ରରେ ଆପଣ ଦେଖିବାକୁ ପାଇବେ । ଆସନ୍ତୁ ଦେଖିବା କଣ ସେ ଘଟଣା ।

ହରିୟାଣାର ରୋହତକ ଜିଲ୍ଲାରେ ରାଷ୍ଟ୍ରୀୟ ପକ୍ଷୀ ମୟୂର ସମ୍ମାନ ପାଇଁ ଲୋକମାନେ କିଛି ଏମିତି କରିଥିଲେ ଯେଉଁଥିରୁ ଏହା ପ୍ରମାଣିତ ହେଲା ଯେ ଲୋକଙ୍କ ମଧ୍ୟରେ ଏବେବି ମଣିଷତ୍ୱ ବଞ୍ଚିରହିଛି ଏବଂ ଦେଶ ପ୍ରତି ସମ୍ମାନ ରହିଛି । ରୋହତକ ରେଲୱେ ଷ୍ଟେସନରେ ଗୁରୁବାର ଏକ ମାଲଗାଡିରେ ଧକ୍କା ହେବା ଫଳରେ ମୟୂରଟିର ମୃତ୍ୟୁ ହୋଇଥିଲା । ଯାହା ଫଳରେ ରାଷ୍ଟ୍ରୀୟ ପକ୍ଷୀ ମୟୂରର ଅନ୍ତିମ ସଂସ୍କାର ପାଇଁ ଏକ ଟ୍ରେନକୁ ୪୫ମିନିଟ ପାଇଁ ରୋକା ଯାଇଥିଲା ।

ସୂଚନା ଅନୁସାରେ ମୟୁରଟି ମାଲଗାଡିର ତଳକୁ ଚାଲିଆସିଥିଲା । ଯେମିତି ମୟୂରଟି ଟ୍ରେନ ତଳକୁ ଆସିଗଲା ତେଣୁ ଟ୍ରେନକୁ ରୋକି ଦିଆଗଲା । ଏହାପରେ ଏହି ସୂଚନା ଜିଆରପି ଓ ଷ୍ଟେସନ ଅଧିକାରୀଙ୍କୁ ଦିଆଗଲା । ସମସ୍ତ ଅଧିକାରୀ ସ୍ଥଳରେ ପହଞ୍ଚିଥିଲେ । ଏହାପରେ ସମସ୍ତେ ମିଶି ମୟୂରର ଅନ୍ତିମ ସଂସ୍କାର କଲେ । ଏହି ସମୟରେ ମୟୂରଟି ଉପରେ ତ୍ରୀରଙ୍ଗା ଓଡାଯାଇଥିଲା । ମୟୂରଟିକୁ ପୋତି ଦିଆଯାଇଥିଲା । ଏହି ପୂରା କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଅଧିକାରୀ ମାଲଗାଡିଟିକୁ ୪୫ମିନିଟ ରୋକିଥିଲେ ।

ମୟୂରର ଅନ୍ତିମ ସଂସ୍କାର ସମୟରେ ସେହି ସ୍ଥାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଥିବା ଲୋକେ କହିଥିଲେ ମୟୁରଟି ହଠାତ ଗାଡି ତଳକୁ ଚାଲିଆସିଥିଲା । ଡ୍ରାଇଭର ମଧ୍ୟ ଅତିଶୀଘ୍ର ଟ୍ରେନ ରୋକି ଦେଇଥିଲେ । କିନ୍ତୁ ସେ ଭିତରେ ମୟୂରଟି ଗାଡି ତଳକୁ ଆସିସାରି ତାର ମୃତ୍ୟୁ ହୋଇସାରିଥିଲା । ଏହା ପରେ ସମସ୍ତ ଅଧିକାରୀ ଆସି ମୟୂରର ଅନ୍ତିମ ସଂସ୍କାର କରିବାକୁ ପହଞ୍ଚିଯାଇଥିଲେ ।

ମୟୂରଟି ଉପରେ ତ୍ରୀରଙ୍ଗା ଘୋଡାଯିବା ସହ ଫୁଲ ପକାଯାଇଥିଲା । ମାଲଗାଡି ଡ୍ରାଇଭର, ଷ୍ଟେସନ ମାଷ୍ଟର, ଜିଆରପି ଅଧିକାରୀ ସମସ୍ତେ ମିଶି ରାଜକୀୟ ଢଙ୍ଗରେ ମୟୂରଟିର ସଂସ୍କାର କରିଥିଲେ । ଜିଆରପି ଏସଏଚଓ ନରେନ୍ଦ୍ର ସିଂ କହିଥିଲେ କି ମୟୂରଟି ଇଞ୍ଜିନର ଅନ୍ୟ ଏକ ଭାଗରେ ଫଶିଯାଇଥିଲା ତେଣୁ ତାକୁ ବଞ୍ଚାଇହେଲା ନାହିଁ । ଅର୍ଥାତ ମୟୂରକୁ ବଞ୍ଚାଇବାକୁ ମଧ୍ୟ ଚେଷ୍ଠା କରାଯାଇଥିଲା ।

ଏ ଚିତ୍ର କିଛି ଲୋକଙ୍କ ପାଇଁ ଏପରି ପ୍ରଶ୍ନ ହୋଇପାରେ, ଯେ ହଁ…ମୟୂରଟି ମରିଗଲା ଆଉ ତା ପାଇଁ ଏସବୁ କଣ । କିନ୍ତୁ ସେହି ଲୋକଙ୍କ ପାଇଁ ଖାଲି ମୟୂରଟିଏ ନଥିଲା । ପକ୍ଷୀଟି ଥିଲା ଜାତୀୟ ପକ୍ଷୀ । ଆମ ଦେଶର ଜାତୀୟ ପକ୍ଷୀ ହିସାବରେ ସମ୍ମାନ ମଧ୍ୟ ସେମିତି ମିଳିବା ଉଚିତ ଏହି ପକ୍ଷୀଟିକୁ । ଆଉ ସେହି କାମ କରିଛନ୍ତି ଏମାନେ । ଯାହା ନିଶ୍ଚୟ ସମସ୍ତଙ୍କ ପାଇଁ ପ୍ରେରଣା ସଦୃଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.