ବ୍ରିଟେନ: ମହିଳାଙ୍କୁ ଗିରଫ କରି ନିଛାଟିଆ ସ୍ଥାନକୁ ନେଇଗଲେ ପୋଲିସ ଅଧିକାରୀ, ତା’ ପରେ ଦୁଷ୍କର୍ମ କରି ଦେହରେ ଲଗାଇ ଦେଲେ ନିଆଁ

ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୋଲିସ ଅଧିକାରୀ କରୋନା ନିୟମକୁ ନେଇ ଜଣେ ମହିଳାଙ୍କୁ ଅଟକାଇ ଦେଇଥିଲେ ଏବଂ ହାତକଡ଼ି ପକାଇ ମିଥ୍ୟା ତରିକାରେ ଗିରଫ କରିଥିଲେ। ଏହାପରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ, ଦୁଷ୍କର୍ମ ପରେ ଅଧିକାରୀ ଜଣକ ମହିଳାଙ୍କୁ ହତ୍ୟା କରି ଶବକୁ ପୋଡି ଦେଇଥିଲେ। କୋର୍ଟରେ ଶୁଣାଣି ସମୟରେ ଏହି ଭୟାନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ୩ କିମ୍ବା ୪ ମାର୍ଚ୍ଚ ରାତିରେ ଘଟିଥିଲା।

ମୃତ ମହିଳାଙ୍କ ନାମ ସାରା ଏଭାର୍ଡ | ସାରାଙ୍କୁ ୩୩ ବର୍ଷ ବୟସ ହୋଇଥିଲା | ସେ ମାର୍କେଟିଂ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରୁଥିଲେ। ସେପଟେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ନାମ ୱେନ କୁଗେନ୍ସ। ତାଙ୍କୁ ୪୮ ବର୍ଷ ବୟସ | ୱେନ ସାରାଙ୍କୁ ଏକ ବେଲ୍ଟରେ ବାନ୍ଧି ହତ୍ୟା କରିଥିଲେ। ଏହି ମାମଲାରେ ୱେନଙ୍କୁ ପରେ ପୋଲିସ ବିଭାଗରୁ ବରଖାସ୍ତ କରାଯାଇଥିଲା। ଏବେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇ ପାରେ।

ବ୍ରିଟେନର ଏକ ଅଦାଲତରେ ଚାଲିଥିବା ଶୁଣାଣି ସମୟରେ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ପୋଲିସ ଅଧିକାରୀ ଏହି ଘଟଣା କରିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିଥିଲେ। ସେ ମହିଳାଙ୍କୁ ଅପହରଣ କରିବା ପାଇଁ ଲଣ୍ଡନର ରାସ୍ତାରେ ଅନେକ ଘଣ୍ଟା ଧରି ବୁଲୁଥିଲେ। ମହିଳାଙ୍କୁ ରାସ୍ତାରେ ଅଟକାଇବା ପରେ ଏବଂ ହାତ ବାନ୍ଧିବା ପରେ ପୋଲିସ ଅଧିକାରୀ ତାଙ୍କୁ କାରରେ ବସାଇଥିଲେ। ଏହି ସମୟରେ ସେ ନିଜ ପରିବାର ଲୋକଙ୍କୁ ମିଛ କହିଥିଲେ ଯେ ସେ ରାତି ଡ୍ୟୁଟି କରୁଛନ୍ତି। କିନ୍ତୁ ବାସ୍ତବରେ ସେ ଡ୍ୟୁଟି ବେଳେ ପୀଡିତାଙ୍କୁ ଲଣ୍ଡନଠାରୁ ୧୨୦ କିଲୋମିଟର ଦୂର ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। ସେଠି ସେ ୫ ଘଣ୍ଟା ଧରି ଦୁଷ୍କର୍ମ କରିବା ପରେ ଗଳା କାଟି ହତ୍ୟା କରିଥିଲେ ଏବଂ ପରେ ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ। ଏହା ପରେ ଜଳିଯାଇଥିବା ଶରୀରକୁ ପାଣିରେ ଫିଙ୍ଗି ଦେଇଥିଲେ।

ଶୁଣାଣି ସମୟରେ ଏହା ମଧ୍ୟ ଜାଣିବାକୁ ମିଳିଥିଲା ଯେ ବ୍ରିଟିଶ ପୋଲିସ ଅଧିକାରୀ ଜଣକ ପୂର୍ବ ଯୋଜନା ମୁତାବକ ଏକ କାରକୁ ଭଡ଼ାରେ ଆଣିଥିଲେ ଏବଂ ଶବ ଲୁଚାଇବା ପାଇଁ ଆମାଜନରୁ କିଛି ଜିନିଷ ମଗାଇଥିଲେ। ଏପରି କି, ସେ ଅନ୍‌ଲାଇନରୁ ଏକ ଭଲ କ୍ୱାଲିଟିର ହ୍ୟାଣ୍ଡକଫ୍ ମଧ୍ୟ କିଣିଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.