Below header

କାହିଁକି ଗଣେଶଙ୍କ ପୂଜାରେ ଲାଗେ ନାହିଁ ତୁଳସୀ, ଜାଣନ୍ତୁ ଏନେଇ କଣ କହିଛନ୍ତି ପ୍ରଭୁ ଗଜାନନ

ହିନ୍ଦୁ ଧର୍ମରେ ହରି ଶୟନ ଏକାଦଶୀର ଅନେକ ମହତ୍ୱ ରହିଛି। ଆଷାଢ଼ ମାସ ଶୁକ୍ଳ ପକ୍ଷରେ ଏହି ଦିନଟି ପଡ଼ିଥାଏ । ହରି ଶୟନ ଏକାଦଶୀ ପରେ ସମସ୍ତ ଧର୍ମ କାର୍ଯ୍ୟ ଆରମ୍ଭ ହୋଇଥାଏ । ଯେପରି କି ବିବାହ, ନାମକରଣ ଏବଂ ଗୃହ ପ୍ରବେଶ ଭଳି ଶୁଭ କାର୍ଯ୍ୟ କରାଯାଇଥାଏ। ଏଥିସହ ଭଗବାନ ବିଷ୍ଣୁଙ୍କ ରୂପ ଶାଳଗ୍ରାମଙ୍କ ସହିତ ତୁଳସୀଙ୍କର ବିବାହ କରାଯାଇଥାଏ। ଭକ୍ତମାନେ ଶାଳଗ୍ରାମ ଭଗବାନଙ୍କ ବରଯାତ୍ରୀ ନେଇ ଆସିଥାନ୍ତି। ମା’ ତୁଳସୀଙ୍କୁ ମଧ୍ୟ ବୋହୂ ବେଶରେ ସଜା ଯାଇଥାଏ। ଭଗବାନ ବିଷ୍ଣୁଙ୍କ ସହ ବିବାହ ଏବଂ ସମସ୍ତ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ତୁଳସୀଙ୍କୁ ନେଇ ଗୋଟିଏ କଥା ଖୁବ୍ ପ୍ରଚଳିତ ଅଛି । ତୁଳସୀ ପତ୍ରକୁ ଭଗବାନ ଗଣେଶଙ୍କ ପୂଜାରେ ବ୍ୟବହାର କରାଯାଇନଥାଏ। ତେବେ ଜାଣନ୍ତୁ କାହିଁକି ଭଗବାନ ଗଣେଶଙ୍କ ପୂଜାରେ ତୁଳସୀ ପତ୍ରର ବ୍ୟବହାର ହୋଇନଥାଏ।

ganesh-chaturthiଜାଣନ୍ତୁ ତୁଳସୀ କିଏ ଏବଂ କାହିଁକି ପ୍ରଭୁ ଗଣେଶଙ୍କ ପୂଜାରେ ଲାଗି ହୋଇନଥାଏ ତୁଳସୀ?

ପ୍ରଚଳିତ ପୌରାଣିକ କଥା ଅନୁଯାୟୀ ଧର୍ମାତ୍ମଜ ନାମକ ଜଣେ ରାଜା ଯଜ୍ଞ କରୁଥିଲେ। ତାଙ୍କର ଜଣେ କନ୍ୟା ଥିଲେ । ଯାହାଙ୍କର ନାମ ଥିଲା ତୁଳସୀ। ସେହି ସମୟରେ ତୁଳସୀ ବିବାହଯୋଗ୍ୟ ହୋଇଥିବାରୁ ନିଜ ପାଇଁ ଉଚିତ ବରପାତ୍ର ପାଇବା ଲାଗି ତୀର୍ଥ ଯାତ୍ରାରେ ବାହାରି ଥିଲେ। ଅନେକ ସ୍ଥାନରେ ଯାତ୍ରା କରିବା ପରେ ତୁଳସୀ ଗଙ୍ଗା କୂଳରେ ଧ୍ୟାନ କରୁଥିବା ଗଣେଶଙ୍କୁ ଦେଖିଥିଲେ। ଧ୍ୟାନ ସମୟରେ ଭଗବାନ ଗଣେଶ ରତ୍ନରେ ଜଡିତ ଥିବା ସିଂହାସନ ଉପରେ ବିରାଜମାନ କରିଥିଲେ। ତାଙ୍କର ସମସ୍ତ ଅଙ୍ଗରେ ଚନ୍ଦନ ଲେପ ହେବା ସହ ଗଳାରେ ସ୍ୱର୍ଣ୍ଣ ଏବଂ ମଣି ରତ୍ନର ହାର, ଅଣ୍ଟାରେ ରେଶମର ପିତାମ୍ବରୀ ରହିଥିଲା। ଭଗବାନ ଗଣେଶଙ୍କର ଏହି ରୂପକୁ ଦେଖିବା ପରେ ତୁଳସୀ ଭଗବାନ ଗଣେଶଙ୍କୁ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କଲେ। ତେଣୁ ସେହି ସମୟରେ ତୁଳସୀ ଭଗବାନ ଗଣେଶଙ୍କ ତପସ୍ୟା ଭଙ୍ଗ କରି ତାଙ୍କ ସମ୍ମୁଖରେ ବିବାହ ପ୍ରସ୍ତାବ ରଖିଥିଲେ।

ganesh puja

ଏହାସହ ପଢନ୍ତୁ: ଧର୍ମ ମାସ କାର୍ତ୍ତିକର ଶେଷ ପାଞ୍ଚ ଦିନ, ଜାଣନ୍ତୁ ପଞ୍ଚୁକ ମାହାତ୍ମ୍ୟ

ତପସ୍ୟା ଅଧାରୁ ଭଙ୍ଗ ହେବାରୁ ଗଣେଶ ଅସନ୍ତୁଷ୍ଟ ହୋଇଥିଲେ ଏବଂ ବିବାହ ପ୍ରସ୍ତାବକୁ ମନା କରିଦେଇଥିଲେ । ସେ କହିଥିଲେ ମୁଁ ବ୍ରହ୍ମଚାରୀ। ଭଗବାନ ଗଣେଶଙ୍କ ଏହି କଥା ଶୁଣିବା ପରେ ମାତା ତୁଳସୀ ରାଗିଯାଇ ଅଭିଶାପ ଦେଇ କହିଥିଲେ ଆପଣ ବ୍ରହ୍ମଚାରୀ କଣ ? ଆପଣଙ୍କର ଦୁଇ ଜଣଙ୍କ ସହ ବିବାହ ହେବ। ଏଥିରେ ପ୍ରଭୁ ଗଜାନନ ମଧ୍ୟ ରାଗିଯାଇ ମାତା ତୁଳସୀଙ୍କୁ ଅଭିଶାପ ଦେଇ କହିଥିଲେ ଆପଣଙ୍କର ମଧ୍ୟ ଅସୁର ଶଙ୍ଖଚୂର୍ଣ୍ଣ (ଜଳନ୍ଧର)ଙ୍କ ସହ ବିବାହ ହେବ। ରାକ୍ଷସଙ୍କ ପତ୍ନୀ ହେବାର ଅଭିଶାପ ଶୁଣିବା ପରେ ମାତା ତୁଳସୀ ଭଗବାନ ଗଣେଶଙ୍କୁ କ୍ଷମା ମାଗିଥିଲେ। ଏହାପରେ ଭଗବାନ ଗଣେଶ ତୁଳସୀଙ୍କୁ କହିଥିଲେ, ଆପଣ ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କର ପ୍ରିୟ ହେବା ସହ କଳିଯୁଗରେ ଜଗତକୁ ଜୀବନ ଏବଂ ମୋକ୍ଷ ପ୍ରଦାନ କରିବେ। କିନ୍ତୁ ମୋ ପୂଜାରେ ତୁଳସୀ ଅର୍ପଣ କରିବା ଅଶୁଭ ହେବ। ସେହିଦିନ ଠାରୁ ଭଗବାନ ଗଣେଶଙ୍କ ପୂଜାରେ ତୁଳସୀ ଅର୍ପଣ କରାଯାଇନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.