ଶୀତ ସାଙ୍ଗକୁ ଆସୁଛି ପାର୍ବଣ ଋତୁ, ବଢିପାରେ କରୋନା ସଂକ୍ରମଣ

ଶୀତରେ ବଢିପାରେ ସଂକ୍ରମଣ । ଶୀତ ସାଙ୍ଗକୁ ଆସୁଛି ପାର୍ବଣ ଋତୁ । ଏହି ସମୟରେ କରୋନା ସଂକ୍ରମଣ ବଢିବ କି ? ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । ବିଶେଷଜ୍ଞମାନେ ମଧ୍ୟ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଏଭଳି ଆଶଂକାକୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦେଇ ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ। ସାପ୍ତାହିକ ସଣ୍ଡେ ସମ୍ବାଦ କାର୍ଯ୍ୟକ୍ରମରେ ଏକ ପ୍ରଶ୍ନର ଉତ୍ତର ଦେଇ ହର୍ଷ ବର୍ଦ୍ଧନ କହିଛନ୍ତି, SARS Cov-2 ଏକ ଶ୍ୱାସଜନିତ ଭୂତାଣୁ ।

ଶୀତ ଦିନେ ସାଧାରଣତଃ ଶ୍ୱାସଜନିତ ଭୂତାଣୁ ଅଧିକ ବ୍ୟାପିଥାଏ । ଏଭଳି ଭୂତାଣୁ ଥଣ୍ଡା ଓ ଶୁଷ୍କ ଜଳବାୟୁରେ ଅଧିକ ବଢିଥାନ୍ତି । ଏହା ଛଡ଼ା ଶୀତ ଦିନେ ଆବାସିକ ସ୍ଥାନରେ ଅଧିକ ଲୋକ ଏକାଠି ରହନ୍ତି । ଫଳରେ ସଂକ୍ରମଣ ବଢିପାରେ । ତେଣୁ ଭାରତରେ ଶୀତଦିନେ କୋଭିଡ ସଂକ୍ରମଣ ବଢିବା ଆଶଂକା କରିବା ଭୁଲ ହୋଇନପାରେ । ୟୁରୋପୀୟ ଦେଶରେ ମଧ୍ୟ ଶୀତ ସମୟରେ ସଂକ୍ରମଣ ଅଧିକ ହୋଇଥିବା ଉଦାହରଣ ଦେଇଥିଲେ ହର୍ଷବର୍ଦ୍ଧନ। ତେବେ ଭୟଭୀତ ନହୋଇ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶୀତ ଆସୁଥିବାରୁ ପ୍ରତିଶେଧକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି । ସେହିପରି କରୋନା ଚିକିତ୍ସା ଓ ପ୍ରତିଷେଧକ ପାଇଁ ଆୟୁର୍ବେଦ ଔଷଧକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ହର୍ଷବର୍ଦ୍ଧନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.