Below header

କିଟ୍ ରଣଜୀ ମ୍ୟାଚ୍ : ବସନ୍ତଙ୍କୁ ୬ ୱିକେଟ୍, ପ୍ରଥମ ପାଳିରେ ୟୁପି ୧୮୧ ରନରେ ଆଗୁଆ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ପେସ୍ ବୋଲର ବସନ୍ତ ମହାନ୍ତି ୬ ୱିକେଟ୍ ଦଖଲ କରିବା ସତ୍ତ୍ବେ ଓଡ଼ିଶା ବିପକ୍ଷରେ ଉତ୍ତର ପ୍ରଦେଶ ପ୍ରଥମ ଇନିଂସରେ ୧୮୧ ରନରେ ଆଗୁଆ ରହିଛି । ଆଜି ମ୍ୟାଚର ୩ୟ ଦିବସରେ ଉତ୍ତର ପ୍ରଦେଶ ଦଳ ୪୩୭ ରନ୍ କରି ଅଲଆଉଟ୍ ହୋଇଛି । ଭୁବନେଶ୍ବର କିଟ୍ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ତାର ଦ୍ବିତୀୟ ଇନିଂସ ଆରମ୍ଭ କରି ଓଡ଼ିଶା ଦଳ ଲଞ୍ଚ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ୩୩ ରନ୍ କରିଛି ।

ଗତକାଲି ଅକ୍ଷଦୀପ ନାଥଙ୍କ ଶତକ ବଳରେ ଭ୍ରମଣକାରୀ ଦଳ ୬ ୱିକେଟ୍ ହରାଇ ୩୬୧ ରନ୍ କରିଥିଲା । ଆଜି ଅକ୍ଷଦୀପ ତାଙ୍କ ୧୫୩ ରନରେ ଆଉ ମାତ୍ର ୬ ରନ୍ ଯୋଡ଼ିବା ପରେ ୧୫୯ ରନ୍ କରି ରାଜେଶ ମହାନ୍ତିଙ୍କ ବଲରେ ଆଉଟ୍ ହୋଇଥିଲେ । ସେହିପରି ପୂର୍ବ ଦିନରୁ ୬୬ ରନରେ ଅପରାଜିତ ଥିବା ରିଙ୍କୁ ସିଂହ ୭୨ ରନ୍ କରି ଦେବବ୍ରତ ପ୍ରଧାନଙ୍କ ଶିକାର ହୋଇଥିଲେ । ଶିବମ ମାଭି ୩୪ ଏବଂ ଦଶ ନମ୍ବର ବ୍ୟାଟସମ୍ୟାନ ୟଶ ଦୟାଲ ଅପରାଜିତ ୨୫ ରନ୍ କରିଥିଲେ । ଏହି ଯୋଡ଼ି ବେଶ୍ କିଛି ସମୟ ଓଡ଼ିଶା ବୋଲରଙ୍କୁ ନାକରେ କନ୍ଦାଇ ଦଶମ ୱିକେଟରେ ଯୋଡ଼ିଥିଲେ ୫୭ ରନ୍ ।

ଓଡ଼ିଶାର ସଫଳତମ ବୋଲର ଭାବେ ବସନ୍ତ ମହାନ୍ତି ୩୨ ରନ୍ ଦେଇ ୬ଟି ୱିକେଟ୍ ଦଖଲ କରିଛନ୍ତି । ଗ୍ରୁପ ସି’ରେ ଖେଳୁଥିବା ଓଡ଼ିଶା ଏବେ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚରେ ହରିଆଣା ଠାରୁ ପଛୁଆ ରହି ମାତ୍ର ୧ ପଏଣ୍ଟ ପାଇଥିଲା ।

ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍-୨୫୬ ।

ଉତ୍ତର ପ୍ରଦେଶ ପ୍ରଥମ ଇନିଂସ୍-୪୩୭ (ଅକ୍ଷଦୀପ ୧୫୯, ପ୍ରିୟମ ଗର୍ଗ ୫୯, ରିଙ୍କୁ ସିଂହ ୭୨, ଶିବମ ମାଭି ୩୪। ବସନ୍ତ ମହାନ୍ତି ୩୦.୪-୧୨-୩୨-୬,  ରାଜେଶ ମହାନ୍ତି ୨୪-୩-୬୭-୨) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.