Below header

୩୫ ଚୌକା, ୩୫ ଛକା, ୨୪୦ ବଲ୍ ଏବଂ ୪୬୭ ରନ୍ : କ୍ରିକେଟ୍ ଇତିହାସରେ ଲିପିବଦ୍ଧ ରହିବ ଟି – ୨୦ର ଏହି ସୁପର ମୁକାବିଲା

ଇଣ୍ଡିଆନ୍ ପ୍ରିମିୟର୍ ଲିଗର ସଫଳତାକୁ ଦେଖି ପଡୋଶୀ ଦେଶରେ ଆୟୋଜନ ହେଉଛି ଟି – ୨୦ । ପାକିସ୍ତାନ, ବାଲାଂଦେଶ, ଶ୍ରୀଲଙ୍କା ପରେ ଏବେ ଆଫଗାନିସ୍ତାନରେ ମଧ୍ୟ ଖେଳାଯାଉଛି ଏହି ମ୍ଯାଚ୍ । ଆଫଗାନିସ୍ତାନରେ ଆଫଗାନିସ୍ତାନ ପ୍ରିମିୟର୍ ଲିଗ୍ (ଏପିଏଲ୍) ନାଁରେ ଆରମ୍ଭ ହୋଇଥିବା ଟି – ୨୦ଲିଗର ପ୍ରଥମ ସଂସ୍କରଣର ମୁକାବିଲା ଖେଳା ଯାଉଛି । ତେବେ ଖାସ୍ କଥା ହେଉଛି ଏପିଏଲରେ ମଧ୍ୟ ଆଇପିଏଲ ଭଳି ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳୁଛି । ତେବେ ରବିବାର ଏପିଏଲରେ ରସିଦ୍ ଖାନଙ୍କ ଟିମ୍ କାବୁଲ୍ ଜବାନନଙ୍କ ସାମ୍ନା ହୋଇଥିଲା ମୋହମ୍ମଦ ନବୀଙ୍କ ଟିମ୍ ବଲ୍ଖ ଲିଜେଣ୍ଡସ ସହ । ଆଉ ଏହି ମୁକାବିଲାରେ ଏମିତି କିଛି ଦେଖିବାକୁ ମିଳିଥିଲା ଯାହା ବର୍ଷ ବର୍ଷ ଯାଏଁ କ୍ରିକେଟ୍ ଇତିହାସରେ ମନେ ରହିବ ।

ଚୌକା ଛକାର ବର୍ଷା :

ଉଭୟ ଟିମରେ ହୋଇଥିବା ଏହି ମୁକାବିଲାରେ ଚୌକା ଛକାର ବର୍ଷା ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ବଲ୍ଖ ଲିଜେଣ୍ଡସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୪୪ ରନ୍ କରିଥିଲେ । ଏହି ଟିମ ପକ୍ଷରୁ କ୍ରିସ୍ ଗେଲ୍ ଧୂଆଁଧାର ବ୍ୟାଟିଂ କରି ୮୦ ରନ୍ କରିଥିଲେ । ମାତ୍ର ୪୮ ବଲରେ ଦୁଇଟି ଚୌକା ଏବଂ ୧୦ ଟି ଛକା ଲଗାଇଥିଲେ ଗେଲ୍ । ତେବେ ବଲ୍ଖ ଲିଜେଣ୍ଡସ ସମୂଦାୟ ୨୩ ଟି ଛକା ଏବଂ ୧୨ ଚୌକା ଲଗାଇଥିଲା ।

ପୁଣି ରସିଦଙ୍କ ବ୍ୟାଟ୍ସମ୍ୟାନ୍ ଦେଖାଇଲେ ଦମ୍ :

୨୪୪ ରନର ପିଛା କରି ମଇଦାନକୁ ଓହ୍ଲାଇଥିବା କାବୁଲ୍ ବ୍ୟାଟ୍ସମ୍ୟାନ୍ ମଧ୍ୟ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିଥିଲେ । କାବୁଲର ଓପନର୍ କରିଥିଲେ ଧୂଆଧାର ବ୍ୟାଟିଂ । ଲ୍ୟୁକ୍ ରୋଞ୍ଚି ଏବଂ ଇଜରାତୁଲ୍ଲାହ ଜାଜଇ ପାର୍ଟନରସିପରେ ମାତ୍ର ୫.୫ ଓଭରରେ କରିଥିଲେ ୮୬ ରନ୍ । ତେବେ ଏଥିରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଥିଲେ ଜାଜଇ । ଆଉଟ୍ ହେବା ପୂର୍ବରୁ ଜାଜଇ ୧୭ ବଲରେ ଚାରିଟି ଚୌକା ଏବଂ ସାତଟି ଛକା କରି ୬୨ ରନ୍ କରିଥିଲେ ।

ଗୋଟିଏ ଓଭରରେ ୬ଟି ଛକା :

ଏହି ପାଳିର ୪ର୍ଥ ଓଭରରେ ବୋଲିଂ ଦାୟିତ୍ବ ଥିଲା ଅବଦୁଲ୍ଲା ମଜାରୀଙ୍କ ହାତରେ । ଆଫଗାନିସ୍ତାନ ତରଫରୁ ଦୁଇଟି ୱାନ୍ ଡେ ଇଣ୍ଟରନ୍ୟାସନାଲ୍ ମ୍ୟାଚ୍ ଖେଳିଥିବା ଅବଦୁଲ୍ଲାଙ୍କ ସାମ୍ନାରେ ଥିଲେ ଜାଜଇ । ଆଉ ଜାଜଇ ଏହି ଓଭରର ଆରମ୍ଭ କରିଥିଲେ ଦୁଇଟି ଛକା ମାରି । ଏହା ପରେ ଅବଦୁଲ୍ଲାଙ୍କ ୩ୟ ବଲ୍ ଯାଇଥିଲା ୱାଇଡ୍ । ଏହା ପରର ୪ଟି ବଲ୍କୁ ଆକାଶମାର୍ଗରେ ସିଧା ସୀମା ପାର କରି ଗୋଟିଏ ଓଭରରେ ୩୭ ରନ୍ କରିଥିଲେ ଜାଜଇ ।

୧୨ଟି ବଲରେ ୫୦ :

ଏହି ମ୍ୟାଚରେ ଯୁବରାଜଙ୍କ ୬ଟି ଛକାର ରେକର୍ଡ ସହ ଟି – ୨୦ର ସବୁଠାରୁ ଦ୍ରୂତତମ ଅର୍ଦ୍ଧଶତକ ଲଗାଇବାର ରେକର୍ଡର ସମାସ୍କନ୍ଦ ମଧ୍ୟ କରିଥିଲେ ଜାଜଇ । ଯଦିଓ ଜାଜଇଙ୍କ ଧୂଆଁଧାର ବ୍ୟାଟିଂ ପରେ କାବୁଲ୍ ଜବାନନ୍ ୨୧ ରନରେ ପରାଜୟ ଗ୍ରହଣ କରିଥିଲା । କିନ୍ତୁ କ୍ରିକେଟ୍ ଇତିହାସରେ ଏହି ମୁକାବିଲା ଏକ ଚୀରସ୍ମରଣୀୟ ଦିନ ହୋଇରହିବ । କାରଣ ଏହି ମୁକାବିଲାରେ ୨୪୦ ରନରେ ୪୬୭ ରନ୍ ହେବା ସହ ହୋଇଥିଲା ୩୫ ଟି ଚୌକା ଏବଂ ୩୫ଟି ଛକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.