ଚେସ୍ ବିଶ୍ୱକପ ୨୦୨୩ : ଫାଇନାଲରେ ହାରିଗଲେ ପ୍ରଜ୍ଞାନାନନ୍ଦ, କାର୍ଲସନ ହେଲେ ଚାମ୍ପିଅନ
ଚେସ୍ ବିଶ୍ୱକପ ୨୦୨୩ ଫାଇନାଲରେ ହାରି ମଧ୍ୟ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ପ୍ରଜ୍ଞାନାନନ୍ଦ । ମାତ୍ର ୧୮ ବର୍ଷ ବୟସରେ ଫାଇନାଲରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ବିଶ୍ୱର ନମ୍ବର ୱାନ ଖେଳାଳି ମାଗ୍ନସ କାର୍ଲସନ ହେଲେ ଚାମ୍ପିଅନ ।

ଚେସ୍ ବିଶ୍ୱକପ ୨୦୨୩ ଫାଇନାଲରେ ବିଶ୍ୱର ନମ୍ବର ୱାନ ଖେଳାଳି ମାଗ୍ନସ କାର୍ଲସନଙ୍କ ଠାରୁ ହାରି ଯାଇଛନ୍ତି ଭାରତର ରମେଶବାବୁ ପ୍ରଜ୍ଞାନାନନ୍ଦ। କାର୍ଲସନ ଟାଇବ୍ରେକରରେ ୧୮ ବର୍ଷୀୟ ପ୍ରଜ୍ଞାନାନନ୍ଦଙ୍କୁ ହରାଇ ଦେଇଛନ୍ତି। ମ୍ୟାଚ୍ ହାରି ମଧ୍ୟ ଏତେ କମ ବୟସରେ ଫାଇନାଲରେ ପହଞ୍ଚିବା ଓ ବିଶ୍ୱର ୧ନଂ ଖେଳାଳି କାର୍ଲସନଙ୍କୁ ଟକ୍କର ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଦୁଇଦିନ ଖେଳାଯାଇଥିଲା ।
ମଙ୍ଗଳବାର ଠାରୁ ଉଭୟଙ୍କ ମଧ୍ୟରେ ଫାଇନାଲ ଲଢ଼େଇ ଆରମ୍ଭ ହୋଇଥିଲା। ପ୍ରଥମ ଦୁଇ କ୍ଲାସିକାଲ ଗେମକୁ ଡ୍ର ରଖିବାରେ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନାନନ୍ଦ ସମର୍ଥ ହୋଇଥିଲେ। ଦୁଇଟି ଲଢ଼େଇ ଡ୍ର ରହିବାରୁ ଆଜି ଟାଇବ୍ରେକରରେ ଫଳାଫଳ ନିର୍ଣ୍ଣୟ କରାଯାଇଥିଲା। ତେବେ ଟାଇବ୍ରେକରରେ ପ୍ରଜ୍ଞାନାନନ୍ଦ ସାମାନ୍ୟ ପଛରେ ପଡ଼ି ଯାଇଥିଲେ।
୩୨ ବର୍ଷୀୟ କାର୍ଲସନ ପ୍ରଥମଥର ପାଇଁ ବିଶ୍ୱକପ ଜିତି ସମସ୍ତଙ୍କୁ ନିଜର ଦକ୍ଷତା ପ୍ରଦର୍ଶିତ କରିଛନ୍ତି। କାର୍ଲସନ ଫୁଡ ପଏଜନିଂରେ ଆକ୍ରାନ୍ତ ଥାଇ ମଧ୍ୟ ମ୍ୟାଚ୍ ଖେଳିଥିଲେ। ଏଥିସହ ଚେସର ଜାଏଣ୍ଟ କିଲର ଭାବେ ପରିଚିତ ପ୍ରଜ୍ଞାନାନନ୍ଦଙ୍କୁ ହରାଇବାକୁ ସକ୍ଷମ ହୋଇଥିଲେ।
International Chess Federation (FIDE) tweets, “Praggnanandhaa is the runner-up of the 2023 FIDE World Cup! Congratulations to the 18-year-old Indian prodigy on an impressive tournament! On his way to the final, Praggnanandhaa beat, among others, world #2 Hikaru Nakamura and #3… pic.twitter.com/g9Ky5VUdA4
— ANI (@ANI) August 24, 2023
ଅନ୍ୟପକ୍ଷରେ ପ୍ରଜ୍ଞାନାନନ୍ଦ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ଦ୍ୱିତୀୟ ଭାରତୀୟ ଭାବେ ଏପରି ସଫଳତା ହାସଲ କରିଛନ୍ତି। ସେହିପରି କାଲସର୍ନ ଚେସ୍ ବିଶ୍ୱକପ ୨୦୨୩ ଟାଇଟଲକୁ ନିଜ ନାମରେ କରିଛନ୍ତି ।
ପ୍ରଜ୍ଞାନାନନ୍ଦ ଫାଇନାଲ ପୂର୍ବରୁ ସେମିଫାଇନାଲ ମ୍ୟାଚରେ ଦୁନିଆର ତୃତୀୟ ନଂ ଖେଳାଳି ଫାବିୟାନୋ କରୁଆନାଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ ।
ତେବେ ବିଶ୍ୱକପ ଜିତିଥିବା କାର୍ଲସନଙ୍କ ପ୍ରଥମ ଥର ଟାଇଟଲ ହାସଲ କରିଛନ୍ତି । ତାଙ୍କୁ ପୁରସ୍କାରରେ ୧୦ ହଜାର ଆମେରିକୀୟ ଡଲାର ମିଳିବ । ଯାହା ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୯ ଲକ୍ଷ ୯୪ ହଜାର ଟଙ୍କା ।