କଷ୍ଟକର ଖ୍ରୀଷ୍ଟଚର୍ଚ୍ଚ ପିଚ୍ରେ ଭାରତର ଦ୍ୱିତୀୟ ପାଳି ୯୦/୬, ମ୍ୟାଚ୍ କାହା ପକ୍ଷରେ ଯିବ ତାକୁ ନେଇ କଳ୍ପନା ଜଳ୍ପନା

ଖ୍ରୀଷ୍ଟଚର୍ଚ୍ଚ : ପ୍ରଥମ ଇନିଂସ୍ରେ ଯାହା କରିଥିଲା ଦ୍ୱିତୀୟ ଇନିଂସ୍ରେ ଆହୁରି ଖରାପ ବ୍ୟାଟିଂ କଲା ଟିମ୍ ଇଣ୍ଡିଆ । ଯାହାଫଳରେ ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୬ ଓ୍ଵିକେଟ୍ ହରାଇ ୯୦ ରନ୍ କରିଛି । ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡକୁ ୨୩୫ ରନ୍ରେ ଅଲ୍ଆଉଟ୍ କରି ମାତ୍ର ୭ ରନ୍ରେ ଆଗୁଆ ରହିଥିବା ଭାରତ ଏବେ ମୋଟ୍ ୯୭ ରନ୍ ଆଗରେ ରହିଛି ।
ବୋଲର୍ଙ୍କୁ ସୁହାଉଥିବା ଏହି ଖ୍ରୀଷ୍ଟଚର୍ଚ୍ଚ ପିଚ୍ରେ ବ୍ୟାଟିଂ କରିବା ଧୀରେ ଧୀରେ ଅଧିକ କଷ୍ଟକର ହୋଇପଡୁଛି । ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନରେ ମୋଟ୍ ୧୬ଟି ଓ୍ଵିକେଟ୍ ପଡ଼ିବା ଘଟଣା ଏଠାକାର ପିଚ୍ ବୋଲରଙ୍କୁ କେତେ ସୁହାଉଛି ସେ କଥା ସ୍ପଷ୍ଟ ହୋଇ ଯାଉଛି । ନ୍ୟୁଜିଲାଣ୍ଡର ୧୦ଟି ଏବଂ ଭାରତର ୬ଟି ଓ୍ଵିକେଟ୍ର ଆଜି ପତନ ଘଟିଛି ।
ଦ୍ୱିତୀୟ ପାଳିରେ ଭାରତ ପକ୍ଷରୁ କେହି ବି ତିଷ୍ଠି ପାରି ନାହାନ୍ତି । ପୃଥ୍ଵୀ ସ ୧୪, ମୟଙ୍କ ଅଗ୍ରଓ୍ଵାଲ ୩, ପୂଜାରା ୨୪, ଅଧିନାୟକ କୋହଲି ୧୪, ରାହାଣେ ୯, ଉମେଶ ଯାଦବ ୧ ରନ୍ କରି ଆଉଟ୍ ହୋଇଛନ୍ତି । ହନୁମା ବିହାରି ୫ ଏବଂ ଋଷଭ ପନ୍ତ ୧ ରନ୍ କରି ଅପରାଜିତ ଅଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ବୋଲଟ୍ ମାତ୍ର ୧୨ ରନ୍ରେ ୩ଟି ଏବଂ ସାଉଦି, ଗ୍ରାଣ୍ଡହୋମ୍ ଓ ଓ୍ଵାଗନର ଗୋଟିଏ ଲେଖାଏଁ ଓ୍ଵିକେଟ୍ ଦଖଲ କରିଛନ୍ତି ।
ତେବେ ବର୍ତ୍ତମାନ ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ଟି ଯେଉଁ ସ୍ଥିତିରେ ରହିଛି ତାହା କେଉଁ ଦଳ ପକ୍ଷକୁ ଯିବ ସେକଥା କହିବା ମୁସ୍କିଲ ହେବ । କାରଣ ଭାରତୀୟ ବୋଲର ଯଦି ପ୍ରଥମ ପାଳି ଭଳି କମାଲ୍ ଦେଖାନ୍ତି ତେବେ ଦଳକୁ ଜିତାଇ ପାରିବେ ।
ସ୍କୋର : ଭାରତ-୨୪୨ ଓ ୯୦/୬ । ନ୍ୟୁଜିଲାଣ୍ଡ-୨୩୫ ।