ରଣଜୀ ଟ୍ରଫି : ଇନିଂସ ପରାଜୟରୁ ବର୍ତ୍ତିଲା ଓଡ଼ିଶା ହେଲେ ପରାଜୟରୁ ରକ୍ଷା ପାଇବ କେମିତି ?

ଭୁବନେଶ୍ବର (କେନ୍ୟୁଜ୍) : ରଣଜୀ ଟ୍ରଫି ଦ୍ବିତୀୟ ମ୍ୟାଚର ଦ୍ବିତୀୟ ଇନିଂସରେ ଶୋଚନୀୟ ବ୍ୟାଟିଂ ପ୍ରଦର୍ଶନ କରିଛି ଘରୋଇ ଓଡ଼ିଶା ଦଳ । ଯଦିଓ ଉତ୍ତର ପ୍ରଦେଶ ଠାରୁ ଇନିଂସ୍ ପରାଜୟ ଏଡ଼ାଇ ପାରିଛି ହେଲେ ପରାଜୟରୁ ରକ୍ଷା ପାଇବା ମୁସ୍କିଲ । କାରଣ ଆଜି ୩ୟ ଦିବସ ଖେଳ ଶେଷ ସୁଦ୍ଧା ୧୮୦ ରନ୍ କରି ଉତ୍ତର ପ୍ରଦେଶ ପ୍ରଥମ ଇନିଂସ ଠାରୁ ଆଉ ମାତ୍ର ଗୋଟିଏ ରନ୍ ପଛରେ ରହିଛି । ତେବେ ୭ଟି ୱିକେଟ୍ ହରାଇ ସାରିଥିବାରୁ ଆଉ କେତେଦୂର ଯାଇ ପାରିବ ତାକୁ ନେଇ ପ୍ରଶ୍ନ ଉଠିଛି । ଏବେ କେବଳ ସ୍ପେସାଲିଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଶାନ୍ତନୁ ମିଶ୍ର ହିଁ ବାକି ଅଛନ୍ତି । ତେଣୁ ହାତରେ ଆଉ ମାତ୍ର ୩ଟି ୱିକେଟ୍ ବାକି ଥିବା ବେଳେ ଆସନ୍ତାକାଲି ଅନ୍ତିମ ଦିବସରେ ମ୍ୟାଚ୍ ବଞ୍ଚାଇବା ବିପ୍ଳବ ସାମନ୍ତରାୟଙ୍କ ଟିମ୍ ପାଇଁ ସମ୍ଭବ ହେବ ନାହିଁ ବୋଲି ଜଳ ଜଳ ଦେଖା ଯାଉଛି। କେବଳ କିଛି ଚମତ୍କାର ହିଁ ମ୍ୟାଚର ପଟ୍ଟ ପରିବର୍ତ୍ତନ କରି ପାରିବ ।
ଭଲ ଭାଗିଦାରୀ ନାହିଁ
କିଟ୍ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚର ପ୍ରଥମ ଇନିଂସରେ ୧୮୧ ରନ୍ ପଛରେ ରହି ଦ୍ବିତୀୟ ପାଳି ଆରମ୍ଭ କରିଥିଲା ଓଡ଼ିଶା ଦଳ । ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ ଓପ୍ନର ଅନୁରାଗ ଷଡ଼ଙ୍ଗୀ । ଅନ୍ୟ ଓପ୍ନର ସନ୍ଦୀପ ପଯ୍ଟନାୟକ ୪୬, ଗୋବିନ୍ଦ ପୋଦ୍ଦାର ୨୭, ଶୁଭ୍ରାଂଶୁ ସେନାପତି ୪୨ ରନ୍ କରି କିଛି ପରିମାଣରେ ଦଳର ସମ୍ମାନ ରଖିଥିଲେ । ହେଲେ ଉତ୍ତର ପ୍ରଦେଶକୁ ଠିକଣା ଜବାବ ଦେଇ ମ୍ୟାଚ୍ ଡ୍ର ରଖିବାକୁ ଏହା ଯଥେଷ୍ଟ ନଥିଲା ।
ଦାବି ଦେଲେ ଅଙ୍କିତ-ଶିବମ ଯୋଡ଼ି
ୟୁପିର ଦୁଇ ପ୍ରମୁଖ ବୋଲର ଅଙ୍କିତ ରାଜପୁତ ଓ ଶିବମ ମାଭି ୩ଟି ଲେଖାଏଁ ୱିକେଟ୍ ନେଇ ଓଡ଼ିଶାର ବ୍ୟାଟିଂ ଦୁର୍ଗକୁ ଦୋହଲାଇ ଦେଇଥିଲେ । ଆଜିର ଖେଳ ଶେଷ ବେଳକୁ ଶାନ୍ତନୁ ୧୯ ରନ୍ କରି ଅପରାଜିତ ଥିଲେ ।
ବସନ୍ତଙ୍କୁ ୬ ୱିକେଟ୍
ପୂର୍ବରୁ ଓଡ଼ିଶା ପେସ୍ ବୋଲର ବସନ୍ତ ମହାନ୍ତି ୬ ୱିକେଟ୍ ଦଖଲ କରିବା ସତ୍ତ୍ବେ ଉତ୍ତର ପ୍ରଦେଶ ପ୍ରଥମ ଇନିଂସରେ ୪୩୭ ରନ କରି ଅଲଆଉଟ୍ ହୋଇଥିଲା । ଗତକାଲି ଶତକ କରି ଅପରାଜିତ ଥିବା ଅକ୍ଷଦୀପ ନାଥଙ୍କ ୧୫୯ ରନ୍ କରି ରାଜେଶ ମହାନ୍ତିଙ୍କ ବଲରେ ଆଉଟ୍ ହୋଇଥିଲେ । ସେହିପରି ପୂର୍ବ ଦିନରୁ ୬୬ ରନରେ ଅପରାଜିତ ଥିବା ରିଙ୍କୁ ସିଂହ ୭୨ ରନ୍ କରି ଦେବବ୍ରତ ପ୍ରଧାନଙ୍କ ଶିକାର ହୋଇଥିଲେ । ଶିବମ ମାଭି ୩୪ ଏବଂ ଦଶ ନମ୍ବର ବ୍ୟାଟସମ୍ୟାନ ୟଶ ଦୟାଲ ଅପରାଜିତ ୨୫ ରନ୍ କରିଥିଲେ । ଏହି ଯୋଡ଼ି ବେଶ୍ କିଛି ସମୟ ଓଡ଼ିଶା ବୋଲରଙ୍କୁ ନାକରେ କନ୍ଦାଇ ଦଶମ ୱିକେଟରେ ଯୋଡ଼ିଥିଲେ ୫୭ ରନ୍ ।
ରାଇନା ଫ୍ଲପ୍
ଅବଶ୍ୟ ଉତ୍ତର ପ୍ରଦେଶର ଷ୍ଟାର୍ ଖେଳାଳି ସୁରେଶ ରାଇନା କିଛି କରିସ୍ମା ଦେଖାଇ ପାରିନଥିଲେ । ସେ ମାତ୍ର ୧୦ ରନ୍ କରି ରାଜେଶ ମହାନ୍ତିଙ୍କ ବଲରେ ଗୋବିନ୍ଦ ପୋଦ୍ଦାରଙ୍କ ହାତରେ ଧରାପଡ଼ିଥିଲେ । ଓଡ଼ିଶାର ସଫଳତମ ବୋଲର ଭାବେ ବସନ୍ତ ମହାନ୍ତି ୩୨ ରନ୍ ଦେଇ ୬ଟି ୱିକେଟ୍ ଦଖଲ କରିଛନ୍ତି । ଗ୍ରୁପ ସି’ରେ ଖେଳୁଥିବା ଓଡ଼ିଶା ଏବେ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚରେ ହରିଆଣା ଠାରୁ ପଛୁଆ ରହି ମାତ୍ର ୧ ପଏଣ୍ଟ ପାଇଥିଲା ।
ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍-୨୫୬ । ଦ୍ବିତୀୟ ଇନିଂସ୍-୧୮୦/୭, ୬୩.୪ ଓଭର (ସନ୍ଦୀପ ପଟ୍ଟନାୟକ ୪୬, ଗୋବିନ୍ଦ ପୋଦ୍ଦାର ୨୭, ଶୁଭ୍ରାଂଶୁ ସେନାପତି ୪୨, ଶାନ୍ତନୁ ମିଶ୍ର ଅପରାଜିତ ୧୯ । ଅଙ୍କିତ ରାଜପୁତ ୧୯-୭-୪୮-୩, ଶିବମ ମାଭି ୧୩.୪-୨-୪୩-୩) ।
ଉତ୍ତର ପ୍ରଦେଶ ପ୍ରଥମ ଇନିଂସ୍-୪୩୭ (ଅକ୍ଷଦୀପ ୧୫୯, ପ୍ରିୟମ ଗର୍ଗ ୫୯, ରିଙ୍କୁ ସିଂହ ୭୨, ଶିବମ ମାଭି ୩୪। ବସନ୍ତ ମହାନ୍ତି ୩୦.୪-୧୨-୩୨-୬, ରାଜେଶ ମହାନ୍ତି ୨୪-୩-୬୭-୨) ।