Below header

ଜୁନିଅର ଜାତୀୟ ରଗ୍‌ବୀ ସେଭେନ୍‌ସ ଚାମ୍ପିଅନସିପ୍: ଓଡ଼ିଶା ବାଳକ ଦଳକୁ ସ୍ୱର୍ଣ୍ଣ, ବାଳିକା ହାତେଇଲେ ବ୍ରୋଞ୍ଜ

ଭୁବନେଶ୍ବର(କେନ୍ଯୁଜ୍): ଜୁନିଅର ଜାତୀୟ ରଗ୍‌ବୀ ସେଭେନ୍‌ସ ଚାମ୍ପିଅନସିପରେ ଓଡ଼ିଶା ବାଳକ ଦଳ ଜିତିଛି ସ୍ୱର୍ଣ୍ଣ। ଓଡ଼ିଶା ବାଳିକା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। କ୍ୟାମ୍ପସ ୧୩ର କିଟ୍‌ ରଗବୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ୧୮ ବର୍ଷରୁ ଜୁନିଅର ଜାତୀୟ ରଗ୍‌ବୀ ସେଭେନ୍‌ସ ଚାମ୍ପିଅନସିପ। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଚାମ୍ପିଅନ୍‌ସିପ ରବିବାର ଉଦ୍‌ଯାପିତ ହୋଇଛି। ବାଳକ ବିଭାଗରେ ଓଡ଼ିଶା ଚାମ୍ପିଅନ ହୋଇଥିବା ବେଳେ ମହାରାଷ୍ଟ୍ର ଦ୍ୱିତୀୟ ଓ ବିହାର ତୃତୀୟ ସ୍ଥାନ ହାସଲ କରିଛି।

ସେହିପରି ବାଳିକା ବିଭାଗରେ ବିହାର ଚାମ୍ପିଅନ ହୋଇଥିବା ବେଳେ ଦିଲ୍ଲୀ ଦ୍ୱିତୀୟ ଓ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ରଗ୍‌ବୀ ଇଣ୍ଡିଆ, ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ, ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଏହି ଚାମ୍ପିଅନସିପ୍‌ର ଆୟୋଜନ କରିଥିଲେ।

girl

ଯୋଗ ଦେଇଥିଲେ ୨୪ଟି ବାଳକ ଦଳ ଓ ୨୧ଟି ବାଳିକା ଦଳର ପ୍ରାୟ ୬ଶହ ଖେଳାଳି। ଉଦ୍‌ଯାପନୀ ଦିବସରେ ଅତିଥି ଭାବେ ଯୋଗ ଦେଇଥିଲେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର ତଥା ସଚିବ ଆର. ଭିନିଲ କ୍ରିଷ୍ଣା। ଏହାସହ ରଗବୀ ଇଣ୍ଡିଆର ବୋର୍ଡ ସଦସ୍ୟ ରାହୁଲ ବୋଷ, ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନର ସଭାପତି ପ୍ରିୟଦର୍ଶୀ ମିଶ୍ର, ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନର ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ଓ କିଟ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ ଅତିଥିଭାବେ ଯୋଗ ଦେଇଥିଲେ।

ଚାମ୍ପିଅନସିପ୍‌ର ବିଜୟୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। ଏହାସହ କିଟ୍‌ ପରିସରରେ ଚାମ୍ପିଅନସିପର ଆୟୋଜନ କରାଯାଇଥିବାରୁ ରଗବୀ ଇଣ୍ଡିଆ ଓ ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନକୁ ଧନ୍ୟବାଦ ଦେଇଛନ୍ତି। ସମସ୍ତ ପ୍ରକାର ସହଯୋଗ ପାଇଁ ଓଡ଼ିଶା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଡ.ସାମନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.