Below header

ଓଡିଶାରେ ଆରମ୍ଭ ହେବ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଭାଗ ନେବେ ଦୁଇ ଶହ ୟୁନିଭର୍ସିଟିର ପ୍ରାୟ ୪ ହଜାର ଖେଳାଳି

ଭୁବନେଶ୍ବର(କେନ୍ୟୁଜ୍): ପ୍ରଥମ ଥର ଲାଗି ଓଡ଼ିଶାର କିଟ୍‌ ବିଶ୍ୱବିଦ୍ୟାଳୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଲୟ କ୍ରୀଡ଼ା ଆୟୋଜନ ହୋଉଥିବା ବେଳେ ପ୍ରତିଯୋଗୀଙ୍କ ମନରେ ନାହିଁ ନଥିବା ଉତ୍ସାହ ପରିଲିଖିତ ହୋଇଛି । ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଏଥିରେ ମୋଟ୍‌ ୧୭ଟି ଇଭେଣ୍ଟରେ ୪ ହଜାର ଖେଳାଳି, ୪ ଶହ ଅଫିସିଆଲ୍‌ କିଟ୍‌ରେ ଆସି ପହଞ୍ଚି ସାରିଥିବା ବେଳେ ପ୍ରାୟ ୧୧ ଦିନ ପର୍ଯ୍ୟନ୍ତ କିଟ୍‌ ବିଶ୍ୱବିଦ୍ୟାଳୟରେ ଖେଳାଳିଙ୍କ ସମାଗମ ଦେଖାଯିବ । ୧୯ ତାରିଖରୁ ବିଭିନ୍ନ ସ୍ଥାନରୁ ଖେଳାଳିମାନେ ଆସି ପହଞ୍ଚିବାରେ ଲାଗିଛନ୍ତି । ଖେଳାଳି ଓ ଅଫିସିଆଲଙ୍କୁ ସ୍ୱାଗତ ଓ ସେମାନଙ୍କୁ କିଟ୍‌ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନ ଓ ବିମାନବନ୍ଦରରେ ହେଲ୍‌ପ ଡେସ୍କମାନ ରହିଛି । ସେଠାରୁ ସିଧା ସଳଖ ସେମାନଙ୍କୁ କିଟ୍‌ ବିଶ୍ୱବିଦ୍ୟାଳୟକୁ ଆଣିବା ପାଇଁ ସ୍ୱତନ୍ତ୍ର ବସ୍‌ ଓ ଅନ୍ୟାନ୍ୟ ଗାଡ଼ିର ବ୍ୟବସ୍ଥା କରାଯାଇଛି ।

ଏଭଳି ଏକ ମେଗା କ୍ରୀଡ଼ା ମହୋତ୍ସବର ଆୟୋଜକ କିଟ୍‌ ବିଶ୍ୱବିଦ୍ୟାଳୟ ହୋଇଥିବାରୁ କିଟ୍‌ର ବିଭିନ୍ନ ହଷ୍ଟେଲ ସମେତ କିଟ୍‌ କ୍ରୀଡ଼ାଗ୍ରାମ ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବ ସମୟରେ ପ୍ରସ୍ତୁତ ହେଉଥିବା କ୍ରୀଡ଼ା ଗ୍ରାମ ଭଳି କିଟ୍‌ର ସ୍ଥାୟୀ କ୍ରୀଡ଼ା ଗ୍ରାମରେ ଖେଳାଳି ଓ ଅଫିସିଆଲ୍‌ଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି । କିଟ୍‌ର ସମସ୍ତ କ୍ୟାମ୍ପସ୍‌, ରାସ୍ତା ଓ ପ୍ରାଚୀର ସବୁ ସଜେଇ ହେବାରେ ଲାଗିଛି । ୪ ହଜାର ଖେଳାଳିଙ୍କ ଯାତାୟତର ସୁବିଧା ପାଇଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ସହ ପ୍ରାଚୀରସବୁକୁ ରଙ୍ଗୀନ ଚିତ୍ରରେ ଚିତ୍ରଣ କରାଯାଇଛି । ଏହାସହ କ୍ୟାମ୍ପସ୍‌ର ସୌନ୍ଦର୍ଯ୍ୟକରଣ ପାଇଁ ଉଭୟ ପାର୍ଶ୍ୱରେ ଫୁଲଗଛରେ ସଜାଯାଇଛି । ବିଭିନ୍ନ କ୍ୟାମ୍ପସ୍‌କୁ ରଙ୍ଗୀନ ଆଲୋକମାଳାରେ ଆଲୋକିତ କରାଯାଇଛି ।

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିଟ୍‌ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ତୀରନ୍ଦାଜୀ, ଦୈଡ଼କୁଦ, ବ୍ୟାଡ୍‌ମିଣ୍ଟନ୍‌, ବକ୍ସିଂ, ଫୁଟ୍‌ବଲ୍‌, ଜୁଡୋ, ରଗ୍‌ବୀ, ଟେନିସ, ଭାରୋତ୍ତୋଳନ, ସନ୍ତରଣ ଆଦି ବିଭାଗରେ କିଟ୍‌ ବିଶ୍ୱବିଦ୍ୟାଳୟର ଉଭୟ ବାଳକ ଓ ବାଳିକା ବର୍ଗରେ ଶହେରୁ ଅଧିକ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରୁଛନ୍ତି । ଦୌଡକୁଦରେ ଅଲିମ୍ପିଆଲ୍‌ ଦୂତୀ ଚାନ୍ଦ ଅଂଶଗ୍ରହଣ କରୁଥିବା ବେଳେ ତୀରନ୍ଦାଜୀରେ ଆନ୍ତର୍ଜାତିକ ତୀରନ୍ଦାଜ ରଣଜିତ୍‌ ନାଏକ, ବ୍ୟାଡ୍‌ମିଣ୍ଟନରେ ଋତୁପର୍ଣ୍ଣା ପଣ୍ଡା, ରଗ୍‌ବୀରେ ହୁପି ମାଝୀଙ୍କ ଭଳି ପ୍ରମୁଖ ଅନ୍ତର୍ଜାତିକ ଖେଳାଳି ପ୍ରତିଯୋଗିତାରେ ଭାଗ ନେବେ । ସେହିପରି ବିଭିନ୍ନ ବିଭାଗରେ କିଟ୍‌ର ୨୫ରୁ ଅଧିକ କୋଚ୍‌ ଓ ମ୍ୟାନେଜର ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ନିୟୋଜିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.