ଯଦି ସାହିନ ଆଫ୍ରିଦି ଆଇପିଏଲ୍‌ ନିଲାମୀରେ ଥାଆନ୍ତେ ତେବେ ୨୦୦ କୋଟିରେ ବିକ୍ରି ହୋଇଥାନ୍ତେ?

ନୂଆଦିଲ୍ଲୀ : ଏବେ ପାକିସ୍ତାନୀ କ୍ରିକେଟର ସାହିନ ଶାହ ଆଫ୍ରିଦିଙ୍କୁ ନେଇ ଭାରତ ଓ ପାକିସ୍ତାନ ଭିତରେ ସୋସିଆଲ ମିଡିଆ ଯୁଦ୍ଧ ଚାଲିଛି । ପାକିସ୍ତାନର ଜଣେ ସାମ୍ବାଦିକ ଏକଥା ଲେଖିଥିଲେ ଯେ ବର୍ତ୍ତମାନ ସାହିନ ହେଉଛନ୍ତି ବିଶ୍ୱର ଜଣେ ଶ୍ରେଷ୍ଠ ଖେଳାଳି । ସେ ଯଦି ଆଇପିଏଲ୍‌ ନିଲାମୀରେ ସାମିଲ ହୋଇଥାନ୍ତେ ତେବେ ତାଙ୍କ ଦାମ୍‌ ୨ ଶହ କୋଟି ହୋଇଥାନ୍ତା । ଏକଥା ସିନା ସେ କହିଦେଲେ ହେଲେ ଆଉ ଯାଆନ୍ତି କୁଆଡ଼େ । କ୍ରିକେଟ୍‌ ପ୍ରେମୀମାନେ ତାଙ୍କୁ ଏମିତି ଟ୍ରୋଲ୍‌ କରିଛନ୍ତି ଯେ ତାଙ୍କ ମୁହଁ ବନ୍ଦ ହୋଇ ଯାଇଛି । ଏହି ପାକିସ୍ତାନୀ ସାମ୍ବାଦିକ ଜଣକ ହେଉଛନ୍ତି ଇତସାମ ଉଲ୍‌ ହକ୍‌ ।

ଅବଶ୍ୟ ସାହିନ ଆଫ୍ରିଦି ବର୍ତ୍ତମାନ ବିଶ୍ୱର ଜଣେ ଶ୍ରେଷ୍ଠ ପେସ୍‌ ବୋଲର୍‌ । ପାକିସ୍ତାନର ବିଜୟରେ ତାଙ୍କର ବଡ଼ ଭୂମିକା ରହୁଛି । ଏମିତିକି ଗତ ଆଇସିସି ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଭାରତକୁ ହରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ସମ୍ପର୍କ ବିଗିଡ଼ି ଯାଇଥିବାରୁ ପ୍ରଥମ ଆଇପିଏଲ୍‌ ପରେ ଆଉ କୌଣସି ପାକିସ୍ତାନ ଖେଳାଳି ଆଇପିଏଲ୍‌ରେ ଖେଳି ପାରୁ ନାହାନ୍ତି । ଏହି ଫଟାଫଟ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରୁ ଖେଳାଳିମାନେ ବିପୁଳ ଅର୍ଥ ଆୟ କରିବା ସହ ନିଜ ଦେଶର ଦଳ ପାଇଁ ଖେଳିବାର ସୁଯୋଗ ପାଉଥିବା ବେଳେ ପାକିସ୍ତାନ ଖେଳାଳି ବଞ୍ଚିତ ହେଉଛନ୍ତି । ତେଣୁ ଅନେକ ସମୟରେ ପାକିସ୍ତାନ ପକ୍ଷରୁ ଆଇପିଏଲ୍‌କୁ ନେଇ ଅନେକ ମତ ମନ୍ତବ୍ୟ ଆସିଥାଏ । ଆଉ ଏବେ ଏହି ସାମ୍ବାଦିକଙ୍କ ମନ୍ତବ୍ୟକୁ ନେଇ ଚାଲିଛି ଚର୍ଚ୍ଚା ଓ ଆଲୋଚନା । ଟ୍ରୋଲରମାନେ ଏହା ଉପରେ ଅନେକ ସମାଲୋଚନା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.