Below header

ବିଶ୍ୱକପ୍‌ : ଚାରି ଶହ ରନ୍‌ କରି ବି ହାରିଗଲା ନ୍ୟୁଜିଲାଣ୍ଡ, ବର୍ଷା ନିୟମରେ ଜିତି ଗଲା ପାକିସ୍ତାନ

ନ୍ୟୁଜିଲାଣ୍ଡର ଏହି ପରାଜୟରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦଳ ଭାବେ ସେମିଫାଇନାଲ୍‌ ଯିବା ନିଶ୍ଚିତ ହୋଇଯାଇଛି ।

ବେଙ୍ଗାଲୁରୁ : ଧୂଆଧାର ବ୍ୟାଟିଂରେ ବର୍ଷା ସାଜିଲା ବାଧକ । ତେବେ କର ବା ମର ମ୍ୟାଚ୍‌ରେ ଶେଷରେ ବିଜୟୀ ହୋଇଛି ପାକିସ୍ତାନ । ବିଶ୍ୱକପ୍‌ର ୩୫ତମ ମ୍ୟାଚ୍‌ ରେ ଆଜି ପାକିସ୍ତାନ ବର୍ଷା ନିୟମକୁ ଆଧାର କରି ନ୍ୟୁଜିଲାଣ୍ଡକୁ ୨୧ ରନ୍‌ରେ ହରାଇ ଦେଇଛି । ଫଳରେ ୮ଟି ମ୍ୟାଚ୍‌ରୁ ୪ ବିଜୟ ଓ ୪ ପରାଜୟ ସହ ପାକିସ୍ତାନ ୮ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଏହି ବିଜୟ ସତ୍ତ୍ୱେ ପାକିସ୍ତାନ ଦଳକୁ ସେମିଫାଇନାଲ୍‌ରେ ପହଞ୍ଚିବା ସହଜ ହେବ ନାହିଁ । ତେବେ ତଥାପି ଏହା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ୪୦୦ ରନ୍‌ ସ୍କୋର କରିବା ପରେ ବି ହାରି ଯାଇଛି କିଓ୍ଵି ଦଳ । ନ୍ୟୁଜିଲାଣ୍ଡର ଏହା ହେଉଛି ଲଗାତର ଚତୁର୍ଥ ପରାଜୟ ।

ଆଜି ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା । ନ୍ୟୁଜିଲାଣ୍ଡ ବ୍ୟାଟର ଜୋରଦାର ବ୍ୟାଟିଂ କରିଥିଲେ । ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ନ୍ୟୁଜିଲାଣ୍ଡ କରିଥିଲା ୪୦୧ ରନ୍‌ । ଅଲରାଉଣ୍ଡର ରଚିନ ରବୀନ୍ଦ୍ର ୧୦୮ ଏବଂ ଓ୍ଵଲିୟମସନ୍‌ ୯୫ ରନ୍‌ କରିଥିଲେ ।

ପରେ ପାକିସ୍ତାନ ମଧ୍ୟ ଜୋରଦାର ଜବାବ ଦେଇ ୨୫.୩ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇ ୨୦୦ ରନ୍‌ କରିଥିଲା । ଫକର ଜମନ୍‌ ୧୨୬ ଓ ଅଧିନାୟକ ବାବର ଅଜମ ଅପରାଜିତ ରହି ୬୬ ରନ୍‌ କରିଥିଲେ । ବର୍ଷା ବାଧା ଯୋଗୁଁ ଶେଷରେ ଡକଓ୍ଵର୍ଥ ଲୁଇସ୍‌ ନିୟମରେ ପାକିସ୍ତାନକୁ ବିଜୟ ଘୋଷିତ କରାଯାଇଥିଲା ।

୨୫.୩ ଓଭର ବେଳକୁ ନ୍ୟୁଜିଲାଣ୍ଡ ଠାରୁ ୨୧ ରନ୍‌ରେ ଆଗୁଆ ଥିବା ଯୋଗୁଁ ବର୍ଷା ନିୟମକୁ ଆଧାର କରି ପାକିସ୍ତାନକୁ ୨୧ ରନ୍‌ରେ ବିଜୟୀ ଘୋଷଣା କରାଯାଇଛି । ପୂର୍ବରୁ ଏହାକୁ ୪୧ ଓଭରରେ ୩୪୨ ରନ୍‌ର ଟାର୍ଗେଟ୍‌ ଦିଆଯାଇଥିଲା । ହେଲେ ମଝିରେ ବାଧା ସୃଷ୍ଟି କରିବା ପରେ ୨୫.୩ ଓଭର ପରେ ବର୍ଷା ଆଉ ଖେଳ କରାଇ ଦେଇ ନଥିଲା । ଫକର ଜମନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ତେବେ ନ୍ୟୁଜିଲାଣ୍ଡର ଏହି ପରାଜୟରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦଳ ଭାବେ ସେମିଫାଇନାଲ୍‌ ଯିବା ନିଶ୍ଚିତ ହୋଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.