Below header

ଭୁବନେଶ୍ୱର : ରଣଜୀ ଲଢ଼େଇରେ ଓଡ଼ିଶା ପାଇଁ ରାଜସ୍ଥାନର ୧୭୩ ରନ୍‌ ଚ୍ୟାଲେଞ୍ଜ

ଭୁବନେଶ୍ୱର (କେ ନ୍ୟୁଜ୍‌): ଗୋଟିଏ ଦିନରେ ୧୮ଟି ଓ୍ଵିକେଟ୍‌ର ପତନ । ଏଠାରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଏହି ଘଟଣା ଘଟିଛି । ଜିତିବା ପାଇଁ ଘରୋଇ ଓଡ଼ିଶା ଆଗରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ । ହେଲେ ଚ୍ୟାଲେଞ୍ଜକୁ ଗ୍ରହଣ କରିବ କଣ ଓଡ଼ିଶା ଦଳ ଆରମ୍ଭରୁ ଝଟ୍‌କା ଖାଇଛି । ପ୍ରଥମ ପାଳି ଭଳି ଦ୍ୱିତୀୟ ପାଳିରେ ମଧ୍ୟ ଦୁଇ ଓପ୍ନର ପୂରା ଫ୍ଲପ୍‌ ହୋଇଛନ୍ତି । ଦଳୀୟ ସ୍କୋର ୨ ରନ୍‌ ହୋଇଥିବା ବେଳେ ଦୁଇଜଣ ଯାକ ପଡ଼ିଆରୁ ବିଦା ହୋଇଯାଇଛନ୍ତି । ଆଜି ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡ଼ିଶା ତାର ଦ୍ୱିତୀୟ ଇନିଂସ୍‌ର ୨ଟି ଓ୍ଵିକେଟ୍‌ ହରାଇ ୬ ରନ୍‌ ସଂଗ୍ରହ କରିଛି । ଆଉ ୧୬୭ ରନ୍‌ କଲେ ମ୍ୟାଚ୍‌ ଜିତିବ ।
ପୂର୍ବରୁ ରାଜସ୍ଥାନ ଦ୍ୱିତୀୟ ଇନିଂସ୍‌ରେ ୧୪୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ପୁଣି ବସନ୍ତ ମହାନ୍ତି ଘାତକ ବୋଲିଂ କରି ୫ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ମ୍ୟାଚ୍‌ରେ ସେ ମୋଟ୍‌ ୧୧ଟି ଓ୍ଵିକେଟ୍‌ ନେଇଛନ୍ତି ।
ପ୍ରଥମ ଦିନ ୪ ଓ୍ଵିକେଟ୍‌ରେ ୭୮ ରନ୍‌ କରିଥିବା ଓଡ଼ିଶା ଦଳ ଆଜି ଆଉ ୩୩ ରନ୍‌ ଭିତରେ ବାକି ୬ଜଣ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ହରାଇ ମାତ୍ର ୧୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଦେବାଶିଷ ସାମନ୍ତରାୟ ଅର୍ଦ୍ଧଶତକ ହାସଲ କରିଥିଲେ । ଦ୍ୱିତୀୟ ଇନିଂସ୍‌ରେ ସେ ୧ ରନ୍‌ କରି ଅପରାଜିତ ଅଛନ୍ତି । ପ୍ରଥମ ପାଳିରେ ଦେବାଶିଷ ଓ ଅଭିଷେକ ରାଉତ (୨୪)ଙ୍କ ବ୍ୟତୀତ ଆଉ କେହି ଡବଲ୍‌ ଫିଗରରେ ପହଞ୍ଚି ପାରି ନଥିଲେ । ଅନିକେତ ଚୌଧୁରୀ ଓ ତନବୀର ଉଲ୍‌ ହକ୍‌ ୫ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ । ହକି ଦ୍ୱିତୀୟ ଇନିଂସରେ ପ୍ରଥମ ୨ଟି ଓ୍ଵିକେଟ୍‌ ନେଇ ସାରିଛନ୍ତି ।

HAQU
ତନବୀର ଉଲ୍‌ ହକ୍‌

ତେବେ ଏଠାକାର ପିଚ୍‌କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । କାରଣ ପ୍ରଥମ ଦିବସରେ ୧୪ଟି ଓ ଦ୍ୱିତୀୟ ଦିନରେ ୧୮ଟି ଓ୍ଵିକେଟ୍‌ର ପତନ ଘଟିଛି । ଯାହାଫଳରେ ଆସନ୍ତାକାଲି ୩ ଦିନରେ ଖେଳ ସରିଯିବାର ସମ୍ଭାବନା ସ୍ପଷ୍ଟ ହୋଇଛି । ଏହି ପିଚ୍‌ରେ ବୋଲର୍‌ମାନେ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଖୁବ୍‌ ଅସୁବିଧାରେ ପକାଇଛନ୍ତି ।

ସ୍କୋର : ରାଜସ୍ଥାନ ପ୍ରଥମ ଇନିଂସ୍‌ : ୧୩୫ । ଦ୍ୱିତୀୟ ଇନିଂସ୍‌-୧୪୮, ୫୦.୨ ଓଭର (ଅମିତ କୁମାର ଗୌତମ ୫୧, ସଲାମ ଖାନ୍‌ ୪୩ । ରାଜେଶ ମହାନ୍ତି ୭-୧-୩୧-୨, ବସନ୍ତ ମହାନ୍ତି ୧୯-୯-୨୯-୫, ଧୀରଜ ସିଂହ ୫-୦-୨୭-୨) ।
ଓଡ଼ିଶା ପ୍ରଥମ ଇନିଂସ୍‌-୧୧୧, ୫୭.୨ ଓଭର (ଦେବାଶିଷ ସାମନ୍ତରାୟ ୫୦, ଅଭିଷେକ ରାଉତ ୨୪ ) । ଦ୍ୱିତୀୟ ଇନିଂସ୍‌-୬/୨, ୬ ଓଭର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.