CSK ଦେଲା ବଡ଼ ସଙ୍କେତ, ଆଉ ଆଇପିଏଲ୍‌କୁ ଫେରିବେନି ସୁରେଶ ରାଇନା

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସର ଦ୍ୱିତୀୟ ହାର ପରେ ସୁରେଶ ରାଇନାଙ୍କୁ ଫେରାଇ ଆଣିବାକୁ ଦାବି ଜୋର ଧରିଛି। ଫ୍ୟାନ୍‌ ଲଗାତାର ତାଙ୍କୁ ଟିମ୍‌ରେ ସାମିଲ କରିବାକୁ କହୁଛନ୍ତି। କିନ୍ତୁ ଏବେ ଲାଗୁଛି ଯେ ଆଇପିଏଲ୍‌ ୨୦୨୦ରେ ରାଇନା ଫେରିବା ଆଉ ସମ୍ଭବପର ନୁହେଁ। ଏହାର ବଡ଼ କାରଣ ହେଉଛି ଚେନ୍ନାଇ ନିଜ ୱେବ୍‌ସାଇଟ୍‌ରୁ ରାଇନାଙ୍କ ନାଁ ହଟାଇ ଦେଇଛି।

ରିପୋର୍ଟ ମୁତାବକ ଚେନ୍ନାଇ ସୁପରକିଙ୍ଗସର ୱେବ୍‌ସାଇଟରୁ ସୁରେଶ ରାଇନାଙ୍କ ନାଁ ହଟାଇ ଦିଆଯାଇଛି। ଟିମ୍‌ ସେକ୍ସନ୍‌ରେ ସମସ୍ତ ଖେଳାଳିଙ୍କ ନାଁ ରହିଛି। କିନ୍ତୁ ରାଇନାଙ୍କ ନାଁ ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ ରାଇନା ଚଳିତ ସିଜନ୍‌ରେ ଫେରିବେ ନାହିଁ। ଏହା ପୂର୍ବରୁ ରାଇନା ଚେନ୍ନାଇ ସୁପରକିଙ୍ଗସ୍‌ର ଟ୍ଵିଟର ହ୍ୟାଣ୍ଡେଲକୁ ଅନ୍‌ ଫଲୋ କରି ଦେଇଥିଲେ। ଏଥିରୁ ଅନୁମାନ କରାଯାଉଥିଲା ଯେ ସୁରେଶ ଏବେ ଆଇପିଏଲ୍‌ ଖେଳି ନପାରନ୍ତି। ମାତ୍ର ଏବେ ସିଏସ୍‌କେର ୱେବ୍‌ସାଇଟ୍‌ରୁ ତାଙ୍କ ନାଁ ହଟିବା ପରେ ସବୁ କିଛି ସ୍ପଷ୍ଟ ହୋଇଯାଇଛି।

ସୂଚନାଯୋଗ୍ୟ ଯେ ସିଏସ୍‌କେର ୧୩ ସଦସ୍ୟଙ୍କୁ କରେନା ପଜିଟିଭ୍‌ ଜଣାପଡ଼ିବା ପରେ ରାଇନା ଭାରତ ଫେରି ଆସିଥିଲେ। ଏଠାକୁ ଫେରିବା ପରେ ବି ସେ ଅଭ୍ୟାସ ଜାରି ରଖିଥିଲେ। ଏଣୁ ସେ ଫେରିବା ନେଇ ଆଶା କରାଯାଉଥିଲା। କିନ୍ତୁ ଏବେ ସେ ଫେରିବେନି ବୋଲି ସ୍ପଷ୍ଟ ହୋଇଛି।