ଜୟ ହୋ…ଜୟସ୍ୱାଲ : ଅପରାଜିତ ୧୭୯ ରନ୍, ଇଂଲଣ୍ଡ ବିପକ୍ଷରେ ଭାରତ ୩୩୬/୬
ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୩୩୬ ରନ୍ କରିଛି ।

ବିଶାଖାପାଟଣା : ୧୭ଟି ଚୌକା ଓ ୫ଟି ଛକାମ ମାରି ୧୭୯ ରନରେ ଅପରାଜିତ ଅଛନ୍ତି ଯୁବ ଓପ୍ନର ଯଶସ୍ବୀ ଜୟସ୍ବାଲ । ଯାହାଫଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତୀୟ ଦଳ ଦୃଢ ସ୍ଥିତିରେ ପହଞ୍ଚିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୩୩୬ ରନ୍ କରିଛି । ଜୟସ୍ବାଲ ୧୭୯ ରନ୍ କରି ଅପରାଜିତ ଅଛନ୍ତି । ତାଙ୍କ ସହ କ୍ରିଜରେ ଅଛନ୍ତି ଆର ଅଶ୍ବିନ।
ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । କ୍ୟାପଟେନ୍ ରୋହିତ ଶର୍ମା ମାତ୍ର ୧୪ ରନ୍ କରି ଆଉଟ ହୋଇ ଯାଇଥିଲେ । ଏହାପରେ ଶୁବମନ ଗିଲ୍ ଓ ଜୟସ୍ବାଲ ପାଳିକୁ ଆଗକୁ ନେଇଥିଲେ । ୩୪ ରନ୍ କରି ଆଉଟ ହୋଇଥିଲେ ଗିଲ୍। ପରବ୍ର୍ତୀ ବ୍ୟାଟରମାନେ ମଧ୍ୟ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲ । ଶ୍ରେୟସ ଆୟର ୨୭, ନିଜ ଜୀବନର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ରଜତ ପଟିଦାର ୩୨, ଅକ୍ଷର ପଟେଲ ୨୭ ରନ୍ କରି ଆଉଟ୍ ହୋଇଛନ୍ତି । …
ପ୍ରଥମ ଟେଷ୍ଟରେ ହାରିଥିବା ରୋହିତ ବାହିନୀ ସିରିଜ୍କୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ନେଇ ଖେଳୁଛି । କେଏଲ୍ ରାହୁଲ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଅନୁପସ୍ଥିତି ଦଳ ଅନୁଭବ କରୁଥିବା ବେଳେ ତାଙ୍କ ସ୍ଥାନରେ ଖେଳୁଛନ୍ତି ମୁକେଶ କୁମାର, କୁଲଦୀପ ଯାଦବ ଓ ରଜତ ପଟିଦାର ।
ଜୟସ୍ୱାଲଙ୍କ ଜୟ ଜୟକାର
ତେବେ ୨୨ ବର୍ଷୀୟ ଜୟସ୍ୱାଲଙ୍କ ବ୍ୟାଟିଂ ଆଜି ଦେଖିଲା ଭଳି ଥିଲା । ଉଭୟ ସତର୍କ ଓ ଆକ୍ରମଣାତ୍ମକ ଭଙ୍ଗୀରେ ସେ ଦିନ ସାରା ଖେଳିଥିଲେ । ଆଉ ୨୧ ରନ୍ କଲେ ଦ୍ୱିଶତକ ହାସଲ କରିବେ । ସେ ୨୭୫ ବଲ୍ର ସାମନା କରିଛନ୍ତି । ଏପର୍ଯ୍ୟନ୍ତ ୬ଟି ଟେଷ୍ଟ ଖେଳି ୨ଟି ଶତକ ଏବଂ ୨ଟି ଅର୍ଦ୍ଧଶତକ ସହ ମୋଟ ୫୯୦ ରନ୍ ସ୍କୋର କରିଛନ୍ତି ଜୟସ୍ୱାଲ ।