ମେ’୧୭ ତାରିଖରେ ୧୦ମ ଆର୍ଟ ଅଫ୍‌ ଗିଭିଂ ଦିବସ, ବିଶ୍ୱର ୧୨୦ ଦେଶରେ ହେବ ପାଳନ

ବର୍ଷ ତମାମ ଲୋକମାନଙ୍କୁ ବିଭିନ୍ନ ଉପାୟରେ ସେବା ଯୋଗାଇ ଦେଉଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଳିତବର୍ଷ ‘ଆର୍ଟ ଅଫ୍‌ ଗିଭିଂ ହିରୋ’ ସମ୍ମାନରେ ସମ୍ମାନିତ କରାଯିବ।

କେନ୍ୟୁଜ୍(ବ୍ୟୁରୋ): ମେ’୧୭ ତାରିଖରେ ବିଶ୍ୱର ୧୨୦ ଦେଶରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ ହେଉଛି । ଓଡ଼ିଶାର ୩୦ଟି ଜିଲ୍ଲା ସଦର ମହକୁମା ସମେତ ୩୫ଟି ସହର ତଥା ପ୍ରତ୍ୟେକ ବ୍ଲକ୍‌ରେ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳନ ହେଉଛି। ପ୍ରତ୍ୟେକ ବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଆର୍ଟ ଅଫ୍‌ ଗିଭିଂର ଚଳିତବର୍ଷର ବିଷୟବସ୍ତୁ ରହିଛି ହେଲ୍ପିଂ ଦି ହେଲ୍ପ ।

ଚଳିତବର୍ଷ ଆର୍ଟ ଅଫ୍‌ ଗିଭିଂ ପରିବାର ପକ୍ଷରୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ବିଭିନ୍ନ ଉପାୟରେ ଜନସାଧାରଣଙ୍କୁ ସହାୟତା ଓ ସେବା ଯୋଗାଇ ଆସୁଥିବା ବିଭିନ୍ନ ବର୍ଗର ଲୋକଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯିବ । ସେଥିମଧ୍ୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ, ଅଟୋ ରିକ୍ସା ଚାଳକ, ଟ୍ରାଫିକ୍‌ ପୋଲିସ୍‌, ଆମ୍ବୁଲାନ୍ସ ଚାଳକ ଓ ସଫେଇ କର୍ମଚାରୀ ଆଦିଙ୍କୁ ଆର୍ଟ ଅଫ୍‌ ଗିଭିଂ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯିବ ।

ବର୍ଷ ତମାମ ଲୋକମାନଙ୍କୁ ବିଭିନ୍ନ ଉପାୟରେ ସେବା ଯୋଗାଇ ଦେଉଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଳିତବର୍ଷ ‘ଆର୍ଟ ଅଫ୍‌ ଗିଭିଂ ହିରୋ’ ସମ୍ମାନରେ ସମ୍ମାନିତ କରାଯିବ। ଲୋକପ୍ରିୟ ଡାକ୍ତର ଶଙ୍କର ରାମଚନ୍ଦନୀ, ମହିଳା ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ରଞ୍ଜିତା ରଥ, ଆମ୍ବୁଲାନ୍ସ ଚାଳକ ଅମରନାଥ ମହାନ୍ତ, ଆଶାକର୍ମୀ ଶିଲାବତୀ ପ୍ରଧାନ, ଓଡିଶା ପତିତା ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ଓ ଟ୍ରାଫିକ ପୋଲିସ୍‌ ଫିରୋଜ ମହମ୍ମଦ ଆଦି ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଟ୍‌ ଅଫ୍‌ ଗିଭିଂ ହିରୋ ସମ୍ମାନ ପ୍ରଦାନ କରାଯିବ । ଏବେ ସମଗ୍ର ବିଶ୍ୱରେ ଆର୍ଟ ଅଫ୍‌ ଗିଭିଂର ୨ କୋଟିରୁ ଊର୍ଦ୍ଧ୍ୱ ଅନୁଗାମୀ ଓ ଦେଢ କୋଟି ସଦସ୍ୟ ଏହାର ବାର୍ତ୍ତା ବର୍ଷ ତମାମ ପ୍ରଚାର ଓ ପ୍ରସାର କରୁଛନ୍ତି ।

ବିଶ୍ୱର ୧୨୦ଟି ଦେଶର ୫ ଶହଟି ସ୍ଥାନରେ ଏହାର ସଂଯୋଜକ ରହିଥିବା ବେଳେ ଭାରତର ସମସ୍ତ ରାଜ୍ୟ ଓ ଓଡ଼ିଶାର ସମସ୍ତ ବ୍ଲକ୍‌ ଓ ପଞ୍ଚାୟତରେ ସଂଯୋଜକ ଅଛନ୍ତି । ପାଇବାର କୌଣସି ଆଶା ନ ରଖି ଅନ୍ୟକୁ ବିଭିନ୍ନ ଭାବରେ ଦାନ କରିବାର ଦର୍ଶନ ଉପରେ ଏହା ପର୍ଯ୍ୟବସିତ । ଏଥିପାଇଁ ସମାଜର ବିଭିନ୍ନ ବର୍ଗର କୋଟି କୋଟି ଲୋକ ଅନୁପ୍ରାଣିତ ହୋଇ ‘ଆର୍ଟ ଅଫ୍‌ ଗିଭିଂ’ ଅଭିଯାନରେ ସାମିଲ ହୋଇଛନ୍ତି । ଜଣେ ବ୍ୟକ୍ତିର କାର୍ଯ୍ୟ କିପରି ଏକ ସୁନ୍ଦର ବିଶ୍ୱ ସୃଷ୍ଟି ପାଇଁ ପ୍ରଭାବ ପକାଇଥାଏ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ‘ଆର୍ଟ ଅଫ୍‌ ଗିଭିଂ ବୋଲି ଆର୍ଟ ଅଫ୍‌ ଗିଭିଂର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି ।

ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବାଣ୍ଟିବା ପାଇଁ ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କର ଏହି ସ୍ୱତନ୍ତ୍ର ଓ ଅଭିନବ ପ୍ରୟାସ ୨୦୧୩ ମସିହା ମେ ୧୭ ତାରିଖଠାରୁ ଆରମ୍ଭ କରାଯାଇଥିଲା । ସେହି ବର୍ଷଠାରୁ ପ୍ରତିବର୍ଷ ମେ ୧୭ ତାରିଖରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ଦିବସ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ଭାବେ ପାଳିତ ହୋଇଆସୁଛି । ମାତ୍ର ୫ ବର୍ଷ ବୟସରେ ପିତାଙ୍କୁ ହରାଇ ନିଜେ ଅଭାବ ମଧ୍ୟରେ ଥାଇ ଡ. ସାମନ୍ତ ପିଲାଦିନରୁ ଅନ୍ୟକୁ ସାହାଯ୍ୟ କରୁଥିଲେ । ବାଲ୍ୟଜୀବନରୁ ଛୋଟ ଛୋଟ କାମ କରି ସେ ପାଉଥିବା ସାମାନ୍ୟ ଅର୍ଥରେ ଗାଁର ଅନ୍ୟ ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିବାକୁ ଭୁଲୁ ନ ଥିଲେ । ଏହାର ପ୍ରତିଫଳନ ସ୍ୱରୂପ ଜନ୍ମ ନେଇଥିଲା ଆର୍ଟ ଅଫ୍‌ ଗିଭିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.