Below header

ଦିନରେ ତାତୁଛି ଓଡିଶା, ଆଜି ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ

କେନ୍ୟୁଜ୍ (ବ୍ୟୁରୋ): ତାତିଲା ଓଡିଶା। ୪୦ ଡିଗ୍ରୀ ଉପରେ ରହିଲା ପାରଦ।  ଶୁକ୍ରବାର ଦିନ ୧୧ ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦  ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ ହୋଇଛି । ଓଡିଶାର ଅନେକ ସ୍ଥାନ ପ୍ରବଳ ଉତ୍ତାପ ସାଙ୍ଗକୁ ଝାଞ୍ଜି ପବନ ଅନୁଭୂତ ହୋଇଛି।  ​​ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ପଶ୍ଚିମ ଓଡିଶାର ଟିଟଲାଗଡରେ  ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ  ରେକର୍ଡ ହୋଇଥିବା ବେଳେ ଭବାନୀପାଟଣା ୪୪.୫ ଡିଗ୍ରୀ ସେଲସିୟସ ଏବଂ ବାଲାଙ୍ଗୀର ୪୪ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଛି।

ସେହିଭଳି ତାଳଚେରରେ ସର୍ବାଧିକ ଦିନର ତାପମାତ୍ରା ୪୩.୧ ଡିଗ୍ରୀ ସେଲସିୟସକୁ ଛୁଇଁଥିବାବେଳେ ମାଲକାନଗିରି ୪୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।  ଝାରସୁଗୁଡା  ଏବଂ ସମ୍ବଲପୁର ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସୋନେପୁର ୪୧.୮ ଡିଗ୍ରୀ ସେଲସିୟସରେ ଥିବା ବେଳେ ଫୁଲବାଣୀ ଏବଂ ପାରଳାଖେମୁଣ୍ଡି ଆଦି ସ୍ଥାନରେ  ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱର ୩୫.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ କଟକ ୩୫.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ଜିଲ୍ଲାମାନଙ୍କରେ ସର୍ବାଧିକ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି ଏବଂ ଏହା ପରେ ଆଉ ଉତ୍ତାପ ବଢିନପାରେ ବୋଲି ପାଣିପାଗ ବିଭାଗ କହିଛି। ସେହିଭଳି ଆଭ୍ୟନ୍ତରୀଣ ଓଡିଶାର କେତେକ ଅଞ୍ଚଳରେ ଏହା ୪୦ ଡିଗ୍ରୀ ସେଲସିୟସ କିମ୍ବା ତା ଠାରୁ ଅଧିକ ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.