Below header

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୧ତମ ରାଜ୍ୟ ଚାରୁକଲା ପୁରସ୍କାର ପ୍ରଦାନ ଉତ୍ସବ, ପୁରସ୍କୃତ ହେଲେ ୧୨ ଜଣ କୃତୀ ଶିଳ୍ପୀ

ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ୪୧ତମ ରାଜ୍ୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ।  ଉତ୍ସବ ପ୍ରାରମ୍ଭରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପୁରସ୍କୃତ ସମସ୍ତ ଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ୪୧ତମ ରାଜ୍ୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍‌ କହିଲେ ଯେ ଶିଳ୍ପୀଙ୍କଠାରେ କୌଣସି ଭେଦଭାବର ପାର୍ଥକ୍ୟ ନଥାଏ । ବାସ୍ତବତାକୁ ନିଖୁଣ ରୂପ ଦେବାରେ ଜଣେ ଶିଳ୍ପୀ ସର୍ବଦା ଗୁରୁତ୍ୱ ଦେଇଥାଏ ବୋଲି ସେ ଉଲ୍ଲେଖ କରିଥିଲେ । ଗୋଟିଏ ଜାତିର ଅଗ୍ରଗତି ନିମନ୍ତେ ତା’ର ଐତିହ୍ୟ, ସଂସ୍କୃତି ପ୍ରମୁଖ ଭୂମିକା ତୁଲାଇଥାଏ ବୋଲି ସେ କହିଥିଲେ ।
ଉତ୍ସବ ପ୍ରାରମ୍ଭରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପୁରସ୍କୃତ ସମସ୍ତ ଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ କଳାର ଉନ୍ନତି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାଦ୍ୱାରା ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ରାଜ୍ୟର ଶିଳ୍ପୀମାନେ ଉତ୍କର୍ଷ ହାସଲ କରିପାରିଛନ୍ତି । ପୂର୍ବରୁ ୮ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଉଥିବାବେଳେ ଚଳିତ ବର୍ଷଠାରୁ ୧୨ଟି ବିଭାଗରେ ପୁରସ୍କାର ପ୍ରଦାନ ନିମନ୍ତେ ସରକାର ଘୋଷଣା କରିଥିଲେ ବୋଲି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ କହିଲେ ଯେ ଶିଳ୍ପୀମାନଙ୍କର ବାସ୍ତବଧର୍ମୀ କାରୁକାର୍ଯ୍ୟ ସର୍ବଦା ଉତ୍ସାହପ୍ରଦ ରହିଛି । ସେମାନଙ୍କର ଉନ୍ନତି ନିମନ୍ତେ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ କମିଟିରେ ରାଜ୍ୟ ବାହାରର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କୁ ନେଇ ପୁରସ୍କୃତ ହୋଇଥିବା ଶିଳ୍ପୀମାନଙ୍କୁ ଚୟନ କରାଯାଇଛି । ପୁରସ୍କୃତ ହୋଇନଥିବା ଶିଳ୍ପୀମାନେ ନିରନ୍ତର ପ୍ରୟାସ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।
ଏକ ଉଚ୍ଚସ୍ତରୀୟ ଚୟନ କମିଟି ଦ୍ୱାରା ଚୟନ ହୋଇଥିବା ୧୨ ଜଣ ଶିଳ୍ପୀଙ୍କ ଶ୍ରେଷ୍ଠ କଳାକୃତି ପାଇଁ ଚଳିତ ବର୍ଷ ସେମାନଙ୍କୁ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଚଳିତ ବର୍ଷ ଚାରୁକଳା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଚିତ୍ରଶିଳ୍ପୀ ସୋଫିୟା ୟାସ୍ମିନ୍‌, ଦିନେଶ ମୁଦୁଲି, ବିକ୍ରମ କେଶରୀ ଫାରକ, ନରେନ୍ଦ୍ର କୁମାର ମାଝୀ ଓ ନରେଶ ସୁନା, ଭାସ୍କର୍ଯ୍ୟରେ ଭିକାରୀ ପ୍ରଧାନ, କାନ୍ତ କିଶୋର ମହାରଣା ଓ ହିମାଂଶୁ ମହନ୍ତ, ମୁଦ୍ରଣ କଳାରେ ଅମୀୟ ରଞ୍ଜନ ଓଝା ଓ ଅଙ୍କିତା ସାହୁ ଏବଂ ପାରମ୍ପରିକ କଳାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ପୁଷ୍ପାଞ୍ଜଳି ରାଓ ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର-୨୦୨୩ରେ ପୁରସ୍କୃତ କରାଯାଇଥିଲା ।
ପୁରସ୍କୃତ ଶିଳ୍ପୀମାନଙ୍କୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଉପଢୌକନ, ଟ୍ରଫି ଓ ମାନପତ୍ର ପ୍ରଦାନ କରି ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ଶାସନ ସଚିବ ତଥା ଏକାଡେମୀର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ମଧୁସୂଦନ ଦାଶ ଧନ୍ୟବାଦ ଅର୍ପଣ କରିଥିବାବେଳେ ଡ. ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.