ଆଜିର ଦିନରେ ଘଟିଥିଲା ବଡ ଅଘଟଣ, ମାତ୍ର ୩ ମିନିଟରେ ମରିଯାଇଥିଲେ ୧୭୮ ଜଣ

ମାତ୍ର କେଇ ମିନିଟରେ ଗାଁ ସତେ ଯେମିତି ଶ୍ମଶାନରେ ପରିଣତ ହୋଇଗଲା । ହଁ ଆଜ୍ଞା ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗାଁରେ ସେଦିନର ସେହି ଲୋମଟାଙ୍କୁରା ଘଟଣା କଥା । ଶୁଣନ୍ତୁ କେମିତି ଆଉ କଣ ହୋଇଥିଲା ସେଦିନ ଲୋକଙ୍କ ମୁହଁରୁ ।

ଆନନ୍ଦପୁର (କେନ୍ୟୁଜ) : ସେଦିନ ଥିଲା ୧୯୭୮ ମସିହା ଏପ୍ରିଲ ମାସ ୧୬ ତାରିଖ । ସମୟ ଅପରାହ୍ନ ୪ଟା ପାଖା ପାଖି ହେବ । ଲୋକମାନେ ନିଜ ନିଜ କାମରେ ବ୍ୟସ୍ତ ଥାଆନ୍ତି, ହେଲେ ହଠାତ୍‌ ଏହି ସମୟରେ ଆକାଶରୁ ଘୋଟି ଆସିଲା କଳା ବାଦଲ। କ୍ରମଶଃ ଏହା ଘନୀଭୂତ ହୋଇ ଘୂର୍ଣ୍ଣିବାତ୍ୟାର ରୂପ ନେଲା । ନିମିଷକ ମଧ୍ୟରେ ଘୂର୍ଣ୍ଣିବାତ୍ୟା ପ୍ରଳୟଙ୍କରୀ ରୂପ ଧାରଣ କଲା । କେହି କିଛି ବୁଝିବା ପୂର୍ବରୁ ଗଛଲତା, ଗାଈଗୋରୁ ଓ ମଣିଷମାନଙ୍କୁ ଆକାଶକୁ ଉଡାଇନେଲା । ଚାହୁଁ ଚାହୁଁ ମାତ୍ର ତିନି ଚାରି ମିନିଟରେ ଗୋଟିଏ ଗାଁର ୧୨୦ଟି ଘର ମାଟିରେ ମିଶିଗଲା । କ୍ଷଣିକ ମଧ୍ୟରେ ୧୭୮ଜଣ ଲୋକଙ୍କ ସହ ୭ଶହ ଗୃହପାଳିତ ପଶୁଙ୍କ ଜୀବନ ଚାଲିଗଲା । ମାତ୍ର କେଇ ମିନିଟରେ ଗାଁ ସତେ ଯେମିତି ଶ୍ମଶାନରେ ପରିଣତ ହୋଇଗଲା । ହଁ ଆଜ୍ଞା ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗାଁରେ ସେଦିନର ସେହି ଲୋମଟାଙ୍କୁରା ଘଟଣା କଥା । ଶୁଣନ୍ତୁ କେମିତି ଆଉ କଣ ହୋଇଥିଲା ସେଦିନ ଲୋକଙ୍କ ମୁହଁରୁ ।

କେବଳ ପୁରୁଣାବାନ୍ଧଗୋଡା ଗ୍ରାମ ନୁହେଁ,ଏହି ଘୂର୍ଣ୍ଣିବାତ୍ୟା ନିକଟସ୍ଥ କରଡାମାଳି,ନର୍ଦ୍ଦା,ତିଗିରିଆ,ବିଲାବନ୍ଧ ଆଦି ଗାଁର କ୍ଷତି ଘଟାଇଥିଲା । ଘଟଣାପରେ ଦେଶବିଦେଶରୁ ଛୁଟିଥିଲା ସହାୟତାର ସୁଅ । ଅକାଳରେ ପ୍ରାଣ ହରାଇଥିବା ଲୋକଙ୍କର ଗାଁମୁଣ୍ଡରେ ସମୁହ ଦାହସଂସ୍କାର କରାଗଲା । ସେହି ସ୍ଥାନରେ ସ୍ଥାପିତ ହେଲା ଏକ ସ୍ମୃତିସ୍ତମ୍ଭ । ସେହି ଅବିଶ୍ବାସନୀୟ ଘୂର୍ଣ୍ଣିବାତ୍ୟାକୁ ଆଜି ପୁରିଛି ୪୬ ବର୍ଷ । ଏବେବି ମୃତକଙ୍କ ସ୍ମୃତିରେ ସ୍ମୃତି ସ୍ତମ୍ଭ ପାଖରେ ଠିଆ ହୋଇ ବାହୁନି କାନ୍ଦୁଛନ୍ତି ପରିବାର ଅନ୍ୟ ପଟେ ଆଜିର ଦିନ ଆସିଲେ ଦେହ ସିତେଇ ଉଠେ ଗ୍ରାମବାସୀଙ୍କର । ଏହି ଦିନରେ ଭଗବାନଙ୍କୁ ସମସ୍ତେ ଏକତ୍ରିତ ହୋଇ ପ୍ରାର୍ଥନା କରିଥାନ୍ତି ଏଭଳି ବିପଦ ଅନ୍ୟ କେହି ବି ସାମ୍ନା ନକରିବାକୁ । ଏତେବଡ ଦୁର୍ଘଟଣା ପରେ ପୁରୁଣାବାନ୍ଧଗୋଡା ଗାଁରେ ଅନେକ ପରିବର୍ତ୍ତନ ଆସିଛି । ହେଲେ ଏପ୍ରିଲ ମାସ ୧୬ ତାରିଖ ଆସିଲେ ଏବେବି ନିଜ ଲୁହକୁ ସମ୍ଭାଳି ପାରନ୍ତିନି ପ୍ରତ୍ୟକ୍ଷଦର୍ଶୀ। କାହିଁକିନା ମାତ୍ର ୩ ମିନିଟରେ ଗୋଟିଏ ଗାଁରୁ ମରିଗଲେ ୧୭୮ ଜଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.