Below header

ରାଜସ୍ଥାନ: ରାସ୍ତାକଡ଼ରେ ଶୋଇଥିବା ୧୧ ଜଣଙ୍କ ଉପରେ ଚଢ଼ିଗଲା କାର୍‌, ଜଣେ ଶିଶୁକନ୍ୟା ସମେତ ୩ ମୃତ

ରାଜସ୍ଥାନର ଦୌସା ଜିଲ୍ଲାରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ଦ୍ରୁତଗାମୀ କାର୍‌ ରାସ୍ତାକଡ଼ରେ ଶୋଇଥିବା ୧୧ ଜଣଙ୍କ ଉପରେ ଚଢ଼ିଯାଇଛି ।

ରାଜସ୍ଥାନର ଦୌସା ଜିଲ୍ଲାରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ଦ୍ରୁତଗାମୀ କାର୍‌ ରାସ୍ତାକଡ଼ରେ ଶୋଇଥିବା ୧୧ ଜଣଙ୍କ ଉପରେ ଚଢ଼ିଯାଇଛି, ଯେଉଁଥିରେ ଜଣେ ଶିଶୁକନ୍ୟା ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୮ ଜଣ ଲୋକ ଆହତ ହୋଇଛନ୍ତି । ସୂଚନା ରହିଛି, ଦୌସାର ମହୱା ସହରରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ହଠାତ୍‌ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ିଯାଇଥିଲା ।

ଏଥିରେ ଆହତ ୨ ବ୍ୟକ୍ତି ମହୱା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ଆହତ ୬ ଜଣଙ୍କୁ ଜୟପୁର ସ୍ଥାନାନ୍ତର କରାଯାଇଛି । ଗୁରୁବାର ରାତି ୧୧ଟା ୧୫ରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତ ଓ ଆହତ ବ୍ୟକ୍ତି ଗୋଟିଏ ହିଁ ପରିବାରର ଥିଲେ । ସେମାନେ ଟିକରାମ ପାଲିୱାଲ ସରକାରୀ ସିନିୟର ସେକେଣ୍ଡାରୀ ସ୍କୁଲ ନିକଟରେ ରାସ୍ତାପାର୍ଶ୍ୱ ଝୁମ୍ପୁଡ଼ି ଘରେ ରହୁଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର୍‌ଟିକୁ ଜବତ କରିଛି ।

ରାତି ପାଖାପାଖି ୧୧ଟା ୨୦ରେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଏହାପରେ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଡ୍ରାଇଭର ଜଣକ ବେପରୁଆ ଭାବରେ ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ । ଏହି ସମୟରେ ହଠାତ୍‌ ସେ ନିୟନ୍ତ୍ରଣ ହରାଇବାରୁ ଗାଡ଼ି ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ିଯାଇଥିଲା ।

ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇ ମହୱା ବିଧାୟକ ରାଜେନ୍ଦ୍ର ମୀଣା ବିଳମ୍ବିତ ରାତିରେ ଡାକ୍ତରଖାନାରେ ପହଞ୍ଚିଥିଲେ । ସେ ଆହତମାନଙ୍କ ଅବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଥିଲେ । ଏହାସହ ସମ୍ପୃକ୍ତ ଡ୍ରାଇଭରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଥାନା ଅଧିକାରୀ ଜିତେନ୍ଦ୍ର ସୋଲଙ୍କିଙ୍କୁ କହିଥିଲେ ।

ଜୟପୁର ହସ୍ପିଟାଲର ଡାକ୍ତର କହିଛନ୍ତି, ଏଠାରେ ୬ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ଅସ୍ତ୍ରୋପଚାର ୟୁନିଟ୍‌ରେ ଭର୍ତ୍ତି କରାଯାଇଛି । ସେପଟେ ସୂଚନା ମୁତାବକ, ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳ ଛାଡ଼ି ଖସି ପଳାଇଛନ୍ତି । ଦୁର୍ଘଟଣା ଘଟାଇଥିବା କାର୍‌କୁ ପୋଲିସ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.