ପୁଣି ଓଡିଶାକୁ ଫେରିବ ହକି ବିଶ୍ବକପ୍, ଏଥର ଭୁବନେଶ୍ବର ଓ ରାଉରକେଲାରେ ହେବ ଆୟୋଜନ

ଭୁବନେଶ୍ବର(କେନ୍ୟୁଜ୍):  ପୁଣି ଓଡ଼ିଶା ଆୟୋଜନ କରିବ ପୁରୁଷ ହକି ବିଶ୍ୱକପ । କ୍ରମାଗତ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହାକୁ ଆୟୋଜନ କରିବାର ଗୌରବ ଲାଭ କରିବ । ଆଗାମୀ ୨୦୨୩ ବିଶ୍ୱକପର ସମସ୍ତ ମ୍ୟାଚ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପର ପ୍ରଥମ ବର୍ଷ ପୂର୍ତ୍ତି ଅବୂସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି । ଆଗାମୀ ପୁରୁଷ ହକି ବିଶ୍ୱକପ ଆୟୋଜନ ପାଇଁ ମାଲେସିଆ, ବେଲଜିୟମ ଓ ଭାରତ ଭିତରେ ପ୍ରତିଯୋଗିତା ଚାଲିଥିଲା । ଭାରତ ଶେଷରେ ଏହି ବାଜି ଜିତିଥିଲା । ଓଡ଼ିଶା ସରକାର ହକି ଇଣ୍ଡିଆ ସହଭାଗୀତାରେ ଏହାକୁ ଆୟୋଜନ କରିବେ । ବିଶ୍ୱକପ ଆୟୋଜନ କରିବା ଏକ ଦେଶ ପାଇଁ ଗୌରବର ବିଷୟ । ଓଡ଼ିଶା ଏହାକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆୟୋଜନ କରିବ ।

ମୁଖ୍ୟମନ୍ତ୍ରୀ ୨୦୨୩କୁ ହକି ବିଶ୍ୱକପକୁ ଭୁବନନେଶ୍ୱର ସହ ରାଉରକେଲାରେ ଖେଳାଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ରାଉରକେଲାର ପାନପୋଷ ହଷ୍ଟେଲ ଦେଶରେ ହକିର ପ୍ରାଣକେନ୍ଦ୍ର । ହକିର ଗଡ଼ ସୁନ୍ଦରଗଡ଼ର ଅବଦାନକୁ ଆଖିରେ ରଖି ସ୍ମାର୍ଟ ସିଟି ରାଉରକେଲାରେ ମଧ୍ୟ ମ୍ୟାଚ ଖେଳାଯିବ । ଏହାଦ୍ୱାରା ବିଶ୍ୱ ହକି ମାନଚିତ୍ରରେ ସୁନ୍ଦରଗଡ଼ ଓ ରାଉରକେଲାକୁ ସ୍ୱତନ୍ତ୍ର ସ୍ଥାନ ମିଳିପାରିବ । ଏହା ଅଞ୍ଚଳର ବିକାଶରେ ମଧ୍ୟ ସହାୟକ ହେବ । ମୁଖ୍ୟମନ୍ତ୍ରୀ ଆଜି ସୁନ୍ଦରଗଡ଼ରେ ୧୭ଟି ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହାସହ ପଢନ୍ତୁ: କାହିଁକି ଅମାବାସ୍ୟାକୁ ନେଇ ଲୋକଙ୍କ ମନରେ ରହିଥାଏ ଡର? ଜାଣନ୍ତୁ ଏହା ପଛର କାରଣ

ଗୋଟିଏ ବର୍ଷ ଭିତରେ ଏସବୁର ନିର୍ମାଣ କାମ ସରିବ । ହକି ପାଇଁ ଏଭଳି ଉତ୍କଷ୍ଟ ଭିତ୍ତିଭୂମି ୟୁରୋପରେ ହକି ଖେଳୁଥିବା ଦେଶରେ ମଧ୍ୟ ନାହିଁ । ଏହାଛଡ଼ା ହକି ହାଇପରଫରମାନସ ସେଣ୍ଟର କୋଠାର ଶିଳାନ୍ୟାସ କରିଛନ୍ତି ନବୀନ । ହକି ଇଣ୍ଡିଆ ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲାର ତୃଣମୂଳ ସ୍ତରରେ ଉନ୍ନୟନ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ଅବସରରେ ହକି ବିଶ୍ୱକପ-୨୦୧୮ ସଂପର୍କିତ ଏକ ଡକ୍ୟୁମେଣ୍ଟାରୀ ଓ କଫି ଟେବୁଲ ବୁକର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରେ ହକି ବିଶ୍ୱକପର ଏକ ବର୍ଷ ପୂର୍ତ୍ତି ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଏଫଆଇଏଚର ସଭାପତି ଡ. ନରେନ୍ଦ୍ର ବାତ୍ରା, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକମାନେ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.