Below header

ମିଳିଲାନି ଉପଯୁକ୍ତ ପ୍ରମାଣ: ଆଜୀବନ କାରାଦଣ୍ଡରେ ଦଣ୍ଡିତ ୨୮ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ନିମ୍ନ ଅଦାଲତରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ୨୮ଜଣ ଅଭିଯୁକ୍ତଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍‌ ୧୯୯୬, ଅଗଷ୍ଟ ୧୩ରେ ପ୍ରଦାନ କରିଥିବା ଆଜୀବନ କାରାଦଣ୍ଡ ରାୟକୁ ରଦ୍ଦ କରିଛନ୍ତି । ଉପଯୁକ୍ତ ପ୍ରମାଣ ନଥିବାରୁ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ।

ହାଇକୋର୍ଟ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଶଙ୍କର ଲେଙ୍କା, ଗାନ୍ଧି ରାଉତ ଓ ଅନ୍ୟ ୨୫ଜଣଙ୍କ ଆବେଦନର ଏକତ୍ର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମାମଲା ପରିଚାଳନା କରୁଥିଲେ । ୧୯୯୪ ଜୁନ୍‌ ୨୩ରେ ରଘୁନାଥପୁର ଓ ଘୁମୁସରପଦର ଗାଁ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ସଂଘେଶ୍ଵରପୁର ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ୱରେ ଏକ ବୈଠକ ବସିବାର ଥିଲା ।

ଶତାଧିକ ରଘୁନାଥପୁର ଗ୍ରାମବାସୀ ହାତରେ ଦେଶୀ ବନ୍ଧୁକ, ଲାଠି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଘଟଣାସ୍ଥଳରେ ପହଞ୍ଚି ଘୁମୁସରପଦର ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଗୁଳି ମାଡରେ ଘୁମୁସରପଦର ଗାଁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଉଭୟ ଗାଁର ଲୋକମାନେ ଆହତ ହୋଇଥିଲେ । ଏ ନେଇ ବାଲୁଗାଁ ଥାନାରେ ରଘୁନାଥପୁରର ୫୦ରୁ ଅଧିକ ଲୋକଙ୍କ ନାଁରେ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲା ପୋଲିସ ରୁଜୁ କରିଥିଲା ।

ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍‌ ଅଦାଲତ ମାମଲାର ଶୁଣାଣି କରି ୩୨ଜଣ ଅଭିଯୁକ୍ତଙ୍କୁ ଆଇପିସିର ଦଫା ୧୪୮, ୩୦୨, ୩୦୭, ୧୪୯ ସହିତ ଆର୍ମସ୍‌ ଆକ୍ଟର ଧାରା ୨୫ ଓ ୨୭ରେ ଦୋଷୀ ସାବ୍ଯସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ । ଏହି ରାୟ ବିରୋଧରେ ହାଇକୋର୍ଟରେ ୩୨ଜଣ ଅଭିଯୁକ୍ତ ୪ଟି ମାମଲା ଦାୟର କରିଥିଲେ । ଏହି ସବୁ ମାମଲା ବିଚାରାଧୀନ ଥିବା ବେଳେ ଚାରି ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଅଭିଯୁକ୍ତମାନେ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଜାମିନରେ ଖଲାସ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.