ଡାହୁକ ଡାକରେ ଫାଟିଲା ବଡ଼ଦାଣ୍ଡ, ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ

ଘଣ୍ଟଘଣ୍ଟା ଓ ଜୟ ଜଗନ୍ନାଥ ଧ୍ୱନିରେ ଗଡ଼ିଥିଲା ତିନି ରଥ । ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତର ଛାତି କୁଣ୍ଡେମୋଟ । ସିଂହଦ୍ୱାର ଆସିବା ବାଟରେ ମାଉସୀ ମାଆଙ୍କ ଠାରୁ ମହାବାହୁ ଖାଇଲେ ପୋଡ଼ପିଠା । ଆସନ୍ତାକାଲି ଶ୍ରୀଜିଉଙ୍କ ହେବ ସୁନାବେଶ ।

ପୁରୀ(କେନ୍ୟୁଜ୍): ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ପହଣ୍ଡି ଓ ରଥଟଣା ହୋଇଥିଲା । ୫ ଲକ୍ଷରୁ ଅଧିକ ଭକ୍ତ ବାହୁଡା଼ ଯାତ୍ରା ରୁଣ୍ଢ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ୧୭୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ହଜାରେରୁ ଅଧିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ପରେ ରାମକୃଷ୍ଣ ଓ ମଦନମୋହନ ରଥକୁ ବିଜେ କରିଥିଲେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ  ମେହେନାରେ ଆସି ଛେରାପହଁରା କରିଥିଲେ । ଅପରାହ୍ନ ୧୨.୫୪ରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡିବା ଆରମ୍ଭ କରିଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ହୋଇଥିଲା । ବାଟରେ ମାଉସୀ ମାଆଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପୋଡ଼ପିଠା ଖାଇଥିଲେ ।

ଶେଷ ହେଲା ବିଶ୍ୱନିୟନ୍ତାଙ୍କ ଆଡ଼ପ ମଣ୍ଡପ ଯାତ୍ରା । ବାହୁଡା଼ ଯାତ୍ରାରେ ଭକ୍ତଙ୍କ ଗହଳି ଚହଳିରେ ଫାଟି ପଡିଥିଲା ସମଗ୍ର ଶ୍ରୀକ୍ଷେତ୍ର । ଜନସମୁଦ୍ରରେ ପରିଣତ ହେଲା ବଡଦାଣ୍ଡ । କାଳିଆକୁ ପାଇ ଭକ୍ତ ଓ ବଡଦାଣ୍ଡ ନିଜକୁ ଧନ୍ୟ ମନେ କରିଥିଲେ । ମହାପ୍ରଭୁ ବାହୁଡ଼ି ଆସିବାରୁ ଏବେ ଝୁରୁଛି ଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପ ସହ ଶରଧାବାଲି । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି ବଡ଼ଦାଣ୍ଡ । ମହାପ୍ରଭୁଙ୍କ ଏତେବଡ ଯାତ୍ରାରେ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନି ଓ ହରିବୋଲ ହୁଳହୁଳି ଯୋଗୁ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ରଥ ଗଡିବା ସମୟରେ ମହାପ୍ରଭୁଙ୍କ ପାଇଁ ଭକ୍ତର ଭାବ । ରଥାରୂଢ ଶ୍ରୀବିଗ୍ରହଙ୍କୁ ଚର୍ମଚକ୍ଷୁରେ ଦେଖି ନିଜ କୋହ ସହି ନ ପାରି ଆନନ୍ଦରେ କାନ୍ଦୁଥିଲା ଭକ୍ତ । ଆସନ୍ତାକାଲି ତିନି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଅପରାହ୍ନ ଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତମାନେ ସୁନାବେଶ ଦର୍ଶନ କରିପାରିବେ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.