ଶରଧାବାଲୀରେ ପହଞ୍ଚିଲା ତିନି ରଥ, ଭକ୍ତ ଶୂନ୍ୟ ରଥଯାତ୍ରା ପାଇଁ କାଳିଆ ମୁହଁରେ ନଥିଲା ହସ

କେନ୍ୟୁଜ୍(ବ୍ୟୁରୋ): ରଥ, ପଥ ଜଗନ୍ନାଥ ମୟ । ଉଛୁଳି ପଡ଼ିଥିଲା ବଡ଼ଦାଣ୍ଡ । ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଶ୍ରୀମନ୍ଦିର ସଜେଇ ହୋଇଥିଲା । ସିଂହଦ୍ୱାରରେ ଅପେକ୍ଷାରତ ଥିଲେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନ ପାଇଁ ଘଣ୍ଟଘଣ୍ଟା, ମୃଦଙ୍ଗ ଓ ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ହେଉଥିଲା ଗଗନ ପବନ । ଅପେକ୍ଷା ଥିଲା କେତେବେଳେ ନୀଳକନ୍ଦରରୁ ବାହାରିବେ ନୀଳମଣି । ସକାଳ ୬ଟା ୧୦ରେ ରଥ ପ୍ରତିଷ୍ଠା ହୋଇଥିଲା । ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ପହଣ୍ଡି । ଧାଡ଼ି ପହଣ୍ଡିରେ ପ୍ରଥମେ ବାହାରିଥିଲେ ଚକ୍ରରାଜ ସୁଦର୍ଶନ । ପରେ ପରେ ବଡ଼ଦେଉଳୁ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ସେବାୟତ ରଥାରୁଢ଼ କରିଥିଲେ । ତାଙ୍କ ପଛରେ ଦେବୀ ସୁଭଦ୍ରା ଓ ସବା ଶେଷରେ ରତ୍ନବେଦୀରୁ ବାହାରିଥିଲେ ଜଗତରନାଥ ଶ୍ରୀଜଗନ୍ନାଥ । ଟାହିଆ ହଳାଇ ପାଇଶି ପାହାଡ ଡେଇଁ ଝୁଲି ଝୁଲି ଆସିଥିଲେ କାଳିଆ ଠାକୁର । ଜଗାକୁ ଦେଖିଲେ ସାରା ଜଗତ । କିନ୍ତୁ ବଡ଼ଦାଣ୍ଡକୁ ଆସି ମହାବାହୁ ଦେଖିଥିଲେ ଭକ୍ତଶୂନ୍ୟ ରଥ ପଥ ।

ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପୂର୍ବରୁ ସରିଥିଲା ମହାପ୍ରଭୁଙ୍କ ପହଣ୍ଡି । ଏହାପରେ ରଥାରୁଢ଼ ଶ୍ରୀଜିଉଙ୍କୁ ଆସି ଦର୍ଶନ କରିଥିଲେ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ତାମଯାନରେ ଶ୍ରୀନଅରରୁ ଆସି ବଡ଼ଦାଣ୍ଡରେ ପହଞ୍ଚିଥିଲେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ତିନି ରଥରେ କରିଥିଲେ ଛେରା ପହଁରା । ପରେ ଚାରମାଳ ଫିଟା ସହ ଘୋଡ଼ା ଓ ସାରଥୀ ଲଗାଯାଇଥିଲା । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଶରଧାବାଲି ଅଭିମୁଖେ ଗଡ଼ିଥିଲା ତିନି ରଥ । ଆଗେ ଆଗେ ତାଳଧ୍ୱଜ, ପଛରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥକୁ ଟାଣିଥିଲେ ସେବାୟତ । ଖରା, ଛାଇର ଲୁଚକାଳି ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ସୃଷ୍ଟି କରିଥିଲା ଅନନ୍ୟ ପରିବେଶ । ଗୋଟିଏ ରଥରେ ସାମିଲ ଥିଲେ ୫୦୦ରୁ ୬୦୦ ସେବାୟତ ।

ଘୋଷଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ବିଜେ କରିଛନ୍ତି ଶ୍ରୀଜିଉ । ପତିତଜନଙ୍କୁ ଉଦ୍ଧାରିବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଲେ ମହାପ୍ରଭୁ । କରୋନା ଯୋଗୁ ଭଗବାନଙ୍କୁ ଚର୍ମଚକ୍ଷୁରେ ଦେଖି ପାରିଲେନି ଭକ୍ତ । କରୋନା କଟକଣା ଯୋଗୁ ଗତବର୍ଷ ଭଳି ଏବର୍ଷ ବି ଘରୁ ଟିଭି ମାଧ୍ୟମରେ ଘୋଷଯାତ୍ରା ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀ ଯାଆନ୍ତି ମୁଖ୍ୟମନ୍ତ୍ରୀ ।କୋଭିଡ୍‌ କଟକଣାରେ ବିନା ଭକ୍ତରେ କିଭଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ହେଉଛି ତାହା ଏବର୍ଷ ବି ଦେଖିଛି ସାରା ବିଶ୍ୱ । କିନ୍ତୁ ଏବର୍ଷ ବି ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇପାରିଲା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.