୩ ଚୋରଙ୍କୁ କାବୁ କରିନେଲେ ଲୋକ, ଏମିତି ମାରିଲେ ଯେ ଦୁଇ ଜଣ ମରିଗଲେ ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ

ଲୋକମାନେ ଯଦି ଏକାଠି ହେଇଗଲେ ସେଠି ଆଖି କାନର ବି ଚିହ୍ନବର୍ଣ୍ଣ ରହେନାହିଁ । ଆଉ ଏଠି ତ ପବ୍ଲିକ ଏମିତି ବାଡେଇଛନ୍ତି ଯେ ଦୁଇ ଜଣଙ୍କର ପ୍ରାଣବାୟୁ ଉଡିଯାଇଛି ।

ବରଗଡ (କେନ୍ୟୁଜ) : ପବ୍ଲିକ ମାଡ ତ ଜାଣିଥିବେ । ଲୋକମାନେ ଯଦି ଏକାଠି ହେଇଗଲେ ସେଠି ଆଖି କାନର ବି ଚିହ୍ନବର୍ଣ୍ଣ ରହେନାହିଁ । ଆଉ ଏଠି ତ ପବ୍ଲିକ ଏମିତି ବାଡେଇଛନ୍ତି ଯେ ଦୁଇ ଜଣଙ୍କର ପ୍ରାଣବାୟୁ ଉଡିଯାଇଛି । ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଲୋକମାନଙ୍କ ମାଡରେ ଚାଲିଯାଇଛି ଚୋରର ଜୀବନ । ମହଙ୍ଗା ପଡିଗଲା ଚୋରୀ କରିବା । ଫଳରେ ଲୋକଙ୍କ ହାତରୁ ମାଡ ଖାଇ ଚାଲିଗଲା ପ୍ରାଣ ।

ହଁ ଆଜ୍ଞା ସ୍ପଷ୍ଟ ଦିବାଲୋକରେ ଲୁଟିବା ଲୁଟେରାଙ୍କ ପାଇଁ ମହଙ୍ଗା ପଡ଼ିଛି। ତିନି ଜଣ ଲୁଟେରାଙ୍କୁ ଉତ୍ତ୍ୟକ୍ତ ଲୋକେ ଏମିତି ପିଟିଲେ ଯେ ଲହୁଲୁହାଣ ହୋଇଗଲେ ଚୋର । ଏମାନଙ୍କ ଭିତରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତର ଜଣକ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ବୁର୍ଲା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ମୃତକ ଦୁଇ ଜଣ ହେଲେ ବରଗଡ଼ ସଦର ବ୍ଲକ ପଣ୍ଡରିପଥର ଗାଁର ବିଜୟ ବାଗ ଏବଂ ସମ୍ବଲପୁରର ବିକୁ ଜାଲ୍‌। ଗୁରୁତର ଜଣକ ହେଲେ ପଣ୍ଡରିପଥରର ସୁରଥ କର୍ମୀ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧୀନ ସାହୁଟ୍ରିକାଠାରେ। ତେବେ ଯାହା ସୂଚନା ରହିଛି ଦୀର୍ଘ ଦିନ ହେଲା ଏହି ଇଲାକାରେ ଏହି ଲୁଟେରା ଗ୍ୟାଙ୍ଗର ଆତଙ୍କ ରହିଥିବା ଗ୍ରାମବାସୀ କହୁଛନ୍ତି। ଏହି ଗ୍ୟାଙ୍ଗ୍‌ ଦିନବେଳା କଲେଜରୁ ଫେରୁଥିବା ଛାତ୍ରଛାତ୍ରୀଙ୍କୁ ଟା‌ର୍ଗେଟ୍‌ କରି ଟଙ୍କା, ମୋବାଇଲ୍‌ ଲୁଟି ନେଉଥିଲେ ବୋଲି ଅଭିଯୋଗ ହେଉଥିଲା । ମଙ୍ଗଳବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଏହି ଗ୍ୟାଙ୍ଗ ପୁଣି ଲୁଟ୍‌ ଉଦ୍ୟମ କରୁଥିଲେ। କିଛି ପଥଚାରୀଙ୍କୁ ଲୁଟ୍‌ ପାଇଁ ଯୋଜନା ଚାଲିଥିବାବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ। ଜଣେ ଲୁଟେରା ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲା।

ତେବେ ଅନ୍ୟ ତିନି ଜଣ କିନ୍ତୁ ଲୋକଙ୍କ ହାବୁଡରେ ପଡଗଲେ । ଯାହାପରେ ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ସମସ୍ତଙ୍କୁ ଘଟଣାସ୍ଥଳରୁ ପୁଲିସ୍‌ ପିସିଆର୍‌ ଭ୍ୟାନ୍‌ରେ ଉଦ୍ଧାର କରି ଡାକ୍ତରଖାନା ନେଇ ଆସିଥିଲା। ତେବେ ବିଜୟକୁ ଡାକ୍ତର ମୃତ ଘୋଷଣା କରିଥିଲେ। କିଛି ସମୟ ଧରି ଚିକିତ୍ସା ପରେ ବିକୁ ମଧ୍ୟ ଆଖି ବୁଜି ଦେଇଥିଲା। ଏଭଳି ସମ୍ବେଦନଶୀଳ ପ୍ରସଂଗରେ ପୁଲିସ୍‌ ମୁହଁ ଫିଟାଉ ନାହିଁ। ଲୁଟେରାଙ୍କ ନାମରେ ଆଗରୁ କିଛି ମାମଲା ଥିଲା ନା ନାହିଁ ତାହା ଆଗକୁ ଜଣାପଡ଼ିବ। ତେବେ ଏହି ଘଟଣା ପରେ ଗାଁରେ ଏକ ପ୍ରକାର ଜନଶୂନ୍ୟ ଭଳି ସ୍ଥିତି ଦେଖାଦେଇଛି। ପୁଲିସ୍‌ ଘଟଣା ନେଇ ଛାନ୍‌ଭିନ୍ କରୁଥିଲେ ହେଁ ରିପୋର୍ଟ ଲେଖାଯିବା ଯାଏ କାହାରିକୁ ଗିରଫ କରିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.