ଓଡିଶା ପୋଲିସର ଦଲାଲ ଦମନ ଅଭିଯାନ, ନୂଆପଡ଼ା ବଲାଙ୍ଗିରରୁ ୪୧ ଦାଦନ ଶ୍ରମିକ ଦଲାଲ ଗିରଫ

ନୂଆପଡା(କେନ୍ୟୁଜ୍): ଡାକ୍ତରଖାନା ଓ ଆରଟିଓରୁ ଦଲାଲ ଦମନ ପରେ ଏବେ ଦାଦନ ଶ୍ରମିକ ଉପରେ ଦମନଲିଳା ଆରମ୍ଭ କରିଛି ଓଡିଶା ପୋଲିସ।ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସର ସତନ୍ତ୍ର ଟିମ୍ ଚଢାଉ କରି ୧୬ ଜଣ ଦାଦନ ସର୍ଦ୍ଦାରକୁ ଗିରଫ କରିଛି । ଏ ନେଇ ନୂଆପଡ଼ା ଏସ୍ପି ବିନୀତ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜିଲ୍ଲାର କୋମ୍ନା ଥାନା ଅଧୀନରେ ଦୁଇ ଜଣ, ବୋଡେନ୍ ଥାନା ଅଧୀନରେ ଜଣେ, ବେଲଟୁକୁରୀ ଥାନା ଅଧୀନରେ ୩ ଜଣ ଓ ଜୋଙ୍କ ଥାନା ଅଧୀନରେ ୪ଜଣଙ୍କୁ ଗିରଫ କରାଯାଇଛି। ଦୀର୍ଘ ଦିନରୁ ରାଜ୍ୟ ବାହାରକୁ ବେଆଇନ ଭାବେ ଦାଦନ ଚାଲାଣ କରିଆସୁଥିବା ନେଇ ଜିଲ୍ଲା ପୋଲିସ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ଆଜି ନୂଆପଡ଼ା ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ସ୍ୱତନ୍ତ୍ର ଟିମ୍ ଚଢାଉ କରିଥିଲା। ୧୬ ଦାଦନ ସର୍ଦ୍ଦାରଙ୍କ ବିରୋଧରେ ଜିଲ୍ଲାର ୬ଟି ଥାନାରେ ମାମଲା ରୁଜୁ ହୋଇଛି।
ସେପଟେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ୨୫ ଦାଦନ ସର୍ଦ୍ଦାରଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ୍ । ଏ ନେଇ ପ୍ରେସ୍ମିଟ୍ରେ ବଲାଙ୍ଗୀର ଏସ୍ପି ସୂଚନା ଦେଇଛନ୍ତି। ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି, ତୁରେକେଲା, ବେଲପଡ଼ା, ଖପ୍ରାଖୋଲ, ଲାଠୋର ଅଞ୍ଚଳରେ ଚଢାଉ କରାଯାଇଛି। ଦୀର୍ଘ ଦିନରୁ ରାଜ୍ୟ ବାହାରକୁ ବେଆଇନ ଭାବେ ଏମାନେ ଦାଦନ ଚାଲାଣ କରି ଆସୁଥିଲେ।