ଏକତରଫା ପ୍ରେମର କରୁଣ ପରିଣତି : ଲୋକଲଜ୍ଜାକୁ ଡରି ଶେଷରେ ଜୀବନ ହାରିଲେ ଯୁବତୀ

ଗୋପ (କେନ୍ୟୁଜ): ଲୋକଲଜ୍ଜାକୁ ଡରି ଆତ୍ମହତ୍ୟା କଲେ ଯୁବତୀ । ଯୁବକଙ୍କ ଏକତରଫା ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଝିଅର ଆତ୍ମହତ୍ୟା ପାଇଁ ଗାଁର ଯୁବକଙ୍କୁ ଦାୟୀ କଲେ ପରିବାର । ମୃତକ ଜଗତସିଂପୁର ନାଉଗାଁ ଥାନା ତୋନ୍ତେଇ ଗାଁର ଲିଜାରାଣୀ ସାହୁ । ଏକ ତରଫା ପ୍ରେମ କରି ବିବାହ କରିବାକୁ ଧମକ ଦେବା ସହ କିଛି ଫଟୋ ଭାଇରାଲ କରିଦେବାର ମଧ୍ୟ ଧମକ ଦେଉଥିଲେ ଯୁବକ ।

ସୂଚନା ଅନୁଯାୟୀ ଗୋପ ବ୍ଲକ ନିମାପଡା ଗୁହାଳପଡା ସ୍ଥିତ ଏକ ରେସିଡେନ୍ସିଆଲ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାଠ ପଢୁଥିଲେ ଲିଜାରାଣୀ। ସପ୍ତାହେ ପୂର୍ବରୁ ଗାଁକୁ ଯାଇ ହଷ୍ଟେଲ ଫେରିଥିଲେ ଲିଜା । ସକାଳୁ କିଛି ସାଙ୍ଗ ଲିଜାଙ୍କୁ କଲେଜ ଯିବା ପାଇଁ ଡାକିଥିଲେ । ଅସୁସ୍ଥତା ଦର୍ଶାଇ ଲିଜା କଲେଜ ଯାଇନଥିଲେ । କଲେଜ କର୍ତ୍ତୁପକ୍ଷ ଲିଜାଙ୍କ ଅସୁସ୍ଥତା ସମ୍ପର୍କରେ ଜାଣିବା ପାଇଁ ଆସିବା ବେଳେ ଫ୍ୟାନରେ ଝୁଲନ୍ତା ମୃତଦେହ ଦେଖିଥିଲେ । ଘଟଣା ସମ୍ପର୍କରେ ପୋଲିସ୍‌ ଓ ପରିବାର ଲୋକଙ୍କୁ ତୁରନ୍ତ ଖବର ଦିଆଯାଇଥିଲା ।

ଖବର ପାଇ ପୋଲିସ ପହଞ୍ଚିବା ସହ ପୁରୀରୁ ଏକ ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରୁଛନ୍ତି । ପ୍ରଥମେ ହାତକୁ ବ୍ଲେଡରେ କାଟିବା ପରେ ଲୁଗାଶୁଖା ରଶିରେ ଆତ୍ମହତ୍ୟା କରିଛନ୍ତି ଲିଜା । ସେପଟେ ଯୁବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମୃତ ଲିଜାଙ୍କ ବାପା । ନିମାପଡା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ପରିବାରର ଅଭିଯୋଗ ଅନୁଯାୟୀ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ନିମାପଡା SDPO କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.