Below header

ଆଧାର କାର୍ଡ ନାହିଁ ତ ବାହାଘର ବନ୍ଦ: ବରକନ୍ୟାଙ୍କ ବୟସ ଯାଞ୍ଚ ପାଇଁ ଆଧାର କାର୍ଡ ଦାଖଲ ଓ ପଞ୍ଜିକରଣ ବାଧ୍ୟତାମୂଳକ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ଗଞ୍ଜାମ: ବାହାଘର ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । ଆଧାର କାର୍ଡ ନଥିଲେ ହୋଇପାରିବନି ବିବାହ । ଉଭୟ ବର ଓ କନ୍ୟା ବାହାଘର ପୂର୍ବରୁ ଆଧାର କାର୍ଡ ପଞ୍ଜିକରଣ କରିବେ । କଥାଟି ଅଡୁଆ ଲାଗୁଥିଲେ ବି ସତ । ଏମିତି ହୋିଛି ନିୟମ । ଏହାଦ୍ୱାରା ବାଲ୍ୟ ବିବାହ ରୋକାଯାଇପାରିବ । ଠକ ବର ପକ୍ଷର ଆଉ ଶିକାର ହେବାକୁ ପଡିବନି । ନାବାଳିକା ଚାଲାଣରେ ମଧ୍ୟ ଏହା ସହାୟକ ହେବ । ବାହାଘରରେ ସଂସ୍କାର ଓ ସୁଧାର ଆଣିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ବାଲ୍ୟ ବିବାହ ରୋକିବାରେ ଏହା ସହାୟକ ହେବ । ଅନେକ ସମୟରେ ବରର ବୟସକୁ ନେଇ ନ୍ଦ୍ୱନ୍ଦ୍ୱରେ ରହୁଥିଲେ କନ୍ୟାର ପିତା ମାତା । ଏବେ କିନ୍ତୁ ଆଉ ଅସୁବିଧା ରହିବନି । ଏଥିପାଇଁ ଘର ଘର ବୁଲି ବର କନ୍ୟାଙ୍କ ଆଧାର କାର୍ଡ ଯାଞ୍ଚ କରୁଛନ୍ତି ଅଙ୍ଗନବାଡି କର୍ମୀ । ପରେ ଏହାକୁ ରେଜିଷ୍ଟ୍ରେସନ କରାଯାଉଛି ।

ଏବେ ବି ଅନେକ ସ୍ଥାନରେ ପୁରୁଣା କଥାକୁ ଆଦରି ରହିଛନ୍ତି ଲୋକେ । ଫଳରେ ମାନସିକ ଓ ଶାରୀରିକ ସ୍ତରରେ ପୂର୍ଣ୍ଣତା ପାଇନଥିବା ଝିଅଟି ବିବାହ ବନ୍ଧନରେ ବାନ୍ଧି ହୋଇଥାଏ । ନୂଆ ସଂସାରରେ ପାଦ ଦେଉ ଦେଉ ବିବାହ ପାଲଟି ଯାଏ ଅଭିଶାପ । କେତେବେଳେ ଦୂର୍ବଳ ସନ୍ତାନ ତ କେତେବେଳେ ମା’ ମୃତ୍ୟୁ ମୁଖରେ ପଡିଥାଏ । ବିବାହ ପୂର୍ବରୁ ଉଭୟ ବର କନ୍ୟାଙ୍କ ଧାର୍ଯ୍ୟ ବୟସ ସୀମାକୁ ସୁନିଶ୍ଚିତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଏହି ନିୟମକୁ କନ୍ୟାର ପିତାମାନତା ଓ ସମ୍ପର୍କୀୟ ମାନେ ସ୍ୱାଗତ କରିବା ସହ ସୁଖ ଦାମ୍ପତ୍ୟ ଜୀବନ ଗଢିବାରେ ଏହା ସହାୟକ ହେବ ବୋଲି କହିଛନ୍ତି । ଗତ ୨୦୧୯-୨୦ମସିହାରେ ଚାଇଲଡ୍‌ ଲାଇନ ସଙ୍ଗଠନ ଓ ପ୍ରଶାସନ ପକ୍ଷରୁ ୧୭୨ଟି ବାଲ୍ୟ ବିବାହକୁ ବନ୍ଦ କରାଯାଇ ପାରିଥିଲା । ଚଳିତ ବର୍ଷ ଏପର୍ଯ୍ୟନ୍ତ ୬୨ଟି ବାଲ୍ୟ ବିବାହ ବନ୍ଦ କରାଯାଇଛି । ଗଞ୍ଜାମ ଜିଲ୍ଲାର ୧୧୭୨ଟି ଗାଁକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.