Below header

ଗଞ୍ଜାମ ବଡ଼ଘାଟି ନିକଟରେ ଡକାୟତି ଉଦ୍ୟମ ଯୋଜନା ପଣ୍ଡ: ୪ ଗିରଫ, ପିସ୍ତଲ ଓ ମାରଣାସ୍ତ୍ର ଜବତ 

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ମିଳିଛି ସଫଳତା । ଏକ ବଡ଼ ଡ଼କାୟତି ଉଦ୍ୟମ ଯୋଜନାକୁ ପଣ୍ଡ କରିଛି ପୋଲିସ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଘାଟି ନିକଟରେ ଗତକାଲି ବିଳମ୍ବତ ରାତିରେ କିଛି ଜଣ ଦୁର୍ବୃତ୍ତ ଡ଼କାୟତି କରିବା ନିମନ୍ତେ ଯୋଜନା କରୁଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ଘଟଣାସ୍ଥଳକୁ ଯାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଚାରି ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।

ଗିରଫ ମାନେ ହେଲ କୋଦଳା ଥାନା ବି. ନୂଆପଲ୍ଲୀ ଗାଁର ସନ୍ତୋଷ ଖଟେଇ, କାଳିମେଘି ଗାଁର ମୁନାରାମ ଜେନା , ଫାଶୀ ଗାଁର ରାଜ ଗୋପାଳ ମହାପାତ୍ର ଓ ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗାଁର ଧିରେନ୍ଦ୍ର ଦାଶ । ଏମାନଙ୍କଠାରୁ ୯ ଏମଏମ୍‌ର ୪ଟି ପିସ୍ତଲ, ୨ଟି ସିଙ୍ଗଲ ସଟ୍‌ ପିସ୍ତଲ, ଗୋଟିଏ ରିବଲ୍‌ବର, ଗୋଟିଏ ଏୟାରଗନ୍‌, ତିନୋଟି ମୋଟର ସାଇକେଲ, ଦୁଇଟି ଲୁହା ରୋଡ଼, ଦୁଇଟି ଟର୍ଚ୍ଚ ଲାଇଟ୍‌, ତିନୋଟି ମୋବାଇଲ, ଲଙ୍କା ଗୁଣ୍ଡ ଓ ମୁଖା ଜବତ କରିଛି ପୋଲିସ ।

dakayatଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ସେହିପରି ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶୀ ଗାଁର ସନ୍ତୋଷ କୁମାର ସାହୁଙ୍କ ଘରେ ଚଢ଼ାଉ କରି ତାଙ୍କ ଠାରୁ ଗୋଟିଏ ପିସ୍ତଲ ଓ ଗୁଳି ଜବତ କରିଛି ପୋଲିସ । ସନ୍ତୋଷ ଏହି ପିସ୍ତଲ ଟି ଖଲ୍ଲିକୋଟ ଥାନା ଲୋଚାପଡ଼ାର ଧର୍ମେନ୍ଦ୍ର ଦାସ ନାମକ ଜଣେ ଅସମାଜିକ ବ୍ୟକ୍ତିଙ୍କ ଠାରୁ ପିସ୍ତଲ ନେଇ ନିଜ ଘରେ ରଖିଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଆଜି ଏନେଇ ଖଲ୍ଲିକୋଟ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.