ମୋ ସରକାର ଟିମ୍‌ର ପ୍ରଥମ ଗସ୍ତର ଫିଡ୍‌ ବ୍ୟାକ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ଘୋଷଣା, ଲୋକଙ୍କ ଭାଗିଦାରୀ ଉତ୍ସାହଜନକ କହିଲେ ନବୀନ

ଭୁବନେଶ୍ବର(କେନ୍ୟୁଜ୍): ମୋ ସରକାର ନେଇ ଲଗାତର ଫିଡ୍‌ ବ୍ୟାକ୍‌ ନେଉଛନ୍ତି ସରକାର। ମୋ ସରକାର ଟିମ୍‌ ବିଭିନ୍ନ ଜିଲ୍ଲାକୁ ଘନଘନ ଗସ୍ତ କରୁଛନ୍ତି। ମୋ ସରକାର ଲାଗୁ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ୧୦ଦିନ ମଧ୍ୟରେ ୧୨୦ ଜଣଙ୍କ ସହ କଥା ହୋଇଛନ୍ତି। ଲୋକଙ୍କ ଠାରୁ ବହୁତ ଭଲ ମତାମତ ମିଳିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଜନା ମୁତାବକ ବରିଷ୍ଠ ଅଧିକାରୀ ଜିଲ୍ଲାକୁ ଗସ୍ତ କରିଛନ୍ତି। ସେମାନଙ୍କୁ ୧୫ ଜିଲ୍ଲା ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫିଡ୍‌ ବ୍ୟାକ୍‌ରେ ଲୋକଙ୍କ ଭାଗିଦାରୀ ଉତ୍ସାହଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ଟିମ୍‌ର ପ୍ରଥମ ଗସ୍ତରୁ ଯେଉଁ ମତାମତ ମିଳିଥିଲା ସେ ଅନୁଯାୟୀ ଅନୁଦାନ ମଞ୍ଜୁର କରାଯାଇଛି। ୪ଟି ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ଓ ରକ୍ତଦାନ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ପାଇଁ ୧୦ ଲକ୍ଷ ଅନୁଦାନ କରାଯାଇଛି। ମାଲକାନଗିରି ଚିକିତ୍ସାଳୟ ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି। ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରିବା ସହ ଆଟେଣ୍ଡାଣ୍ଟ ରେଷ୍ଟସେଡ୍‌ ଓ ଟ୍ରାଞ୍ଜିଟ୍‌ ହୋମର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ମୋଟୁ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ବସ୍‌ ସୁବିଧା କରାଯିବ। ସେହିପରି କୋରାପୁଟ ମେଡିକାଲ କଲେଜ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ କମ୍ପୋଜିଟ୍‌ ହସ୍ପିଟାଲ। ୨ ବର୍ଷରେ ଏହାକୁ ୭୦୦ ଶଯ୍ୟାକୁ ବୃଦ୍ଧି କରାଯିବ। ସେହିପରି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବେଡ୍‌ ସଂଥ୍ୟା ୨୫୦କୁ ବୃଦ୍ଧି କରାଯିବ। ଏହାସହ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେଡ୍‌ ସଂଖ୍ୟା ୨ଶହକୁ ବୃଦ୍ଧି କରାଯିବ ସହ ନୂଆ ହସ୍ପିଟାଲ ବିଲ୍‌ଡିଂ ନିର୍ମାଣ କରାଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.