Below header

ବିଭିନ୍ନ ଦାବିନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ, ଅଗଷ୍ଟ ୩ ରୁ କଳାବ୍ୟାଚ ପରିଧାନ ଘୋଷଣା

ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘ (ପିଇଓ) ପକ୍ଷରୁ ବିଭିନ୍ନ ଦାବି ନେଇ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

କେନ୍ୟୁଜ(ବ୍ୟୁରୋ) : ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘ (ପିଇଓ) ପକ୍ଷରୁ ବିଭିନ୍ନ ଦାବି ନେଇ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘ ପକ୍ଷରୁ, ପିଇଓମାନଙ୍କ ଶିକ୍ଷାଗତ ଯୋଗ୍ୟତା +୨ ରୁ +୩(ସ୍ନାତକ) କରିବା ସହ ଦରମା ୨୧,୭୦୦ ଟଙ୍କାରୁ (ପେ-ଲେବଲ ୫) ରୁ ୩୫,୪୦୦ ଟଙ୍କା (ପେ-ଲେବଲ ୯) କୁ ମଞ୍ଜୁର ପ୍ରଦାନ କରିବା, ୧୦ ବର୍ଷ ଚାକିରି ପୁରଣ କରିଥିବା ପିଇଓଙ୍କ ପାଇଁ ଉଚ୍ଚତର ପଦବୀରେ ଅବସ୍ଥାପିତ କରିବା, ଜିପିଡିଓ ପଦବୀକୁ ୧୦୦ % ପଦୋନ୍ନତିର ବ୍ୟବସ୍ଥା କରିବା, ଓପିଆରଏସ କ୍ୟାଡରରେ ପିଇଓମାନଙ୍କୁ ଅନ୍ତର୍ଭୁକ୍ତ କରିବା ଆଦି ଦାବି ସରକାରଙ୍କ ଦୃଷ୍ଟିକୁ ଅଣାଯାଇଥିଲା ।

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମପଞ୍ଚାୟତକୁ କ୍ଷମତା ହସ୍ତାନ୍ତର ଓ କ୍ରିୟାଶୀଳ କରିବା ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଜିଲ୍ଲା ଓ ବ୍ଲକସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନାକୁ କ୍ରିୟାଶୀଳ କରିବାରେ ପିଇଓମାନେ ଗୁରୁ ଦାୟିତ୍ୱ ତୁଲାଉଛନ୍ତି । ତେବେ ସରକାରଙ୍କ ଠାରେ ବିଭିନ୍ନ ଦାବି ବିଭିନ୍ନ ସମୟରେ ଉପସ୍ଥାନ କରାଯାଇଥିଲେ ମଧ୍ୟ ପିଇଓମାନଙ୍କ ଦାବି ପ୍ରତି ଦୀର୍ଘ ୬୦ ବର୍ଷ ଧରି ସରକାର ବିଚାର କରିନାହାଁନ୍ତି ବୋଲି ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଥିଲା ।

ସରକାର ଯଦି ତୁରନ୍ତ ଉପରୋକ୍ତ ଦାବିଗୁଡିକୁ ପୁରଣ ନକରନ୍ତି, ଅଗଷ୍ଟ ୩ ତାରିଖ ଠାରୁ ଅଗଷ୍ଟ ୧୦ ତାରିଖ ଯାଏ ଓଡ଼ିଶାର ସମସ୍ତ ପିଇଓମାନେ ନିଜ ନିଜର କାର୍ଯ୍ୟ କ୍ଷେତ୍ରରେ କଳାବ୍ୟାଜ ପରିଧାନ କରିବେ । ଏହି ସମୟ ମଧ୍ୟରେ ଯଦି ସରକାର ଦାବି ପୂରଣ ନେଇ ପଦକ୍ଷେପ ନ ନିଅନ୍ତି,ତେବେ ଆସନ୍ତା ୧୫ ଦିନ ମଧ୍ୟରେ ପିଇଓସମୂହ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସଂଘ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।

ଉକ୍ତ ସମ୍ମିଳନୀରେ ସଂଘର ସଭାପତି ସୁଭାଷ ଚନ୍ଦ୍ର କର, କାର୍ଯ୍ୟକାରୀ ସଭାପତି ସୁରେଶ କୁମାର ହୋତା,ସାଧାରଣ ସମ୍ପାଦକ କମଳାକାନ୍ତ ପଣ୍ଡା,ନାରାୟଣ ସାହୁ, ଉଗ୍ରେସନ ଗୌଡ,ଧର୍ମେନ୍ଦ୍ର ସାହୁ,ବିକ୍ରମ ଜେନା,ହିମାଂଶୁ ଶେଖର ବାରିକଙ୍କ ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.