ଆସନ୍ତାକାଲି ବଲାଙ୍ଗିରରେ ଉଦ୍ଘାଟିତ ହେବ ମୋତିଲାଲ ଓସଓ୍ଵାଲ-କିସ୍ ଆବାସିକ ବିଦ୍ୟାଳୟ
ବଲାଙ୍ଗିର (କେ ନ୍ୟୁଜ୍) : ମୟୁରଭଞ୍ଜ ପରେ ଏବେ ବଲାଙ୍ଗିରରେ ଉଦ୍ଘାଟିତ ହେବାକୁ ଯାଉଛି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସେସ୍ କିସ୍ର ଶାଖା । ଜିଲ୍ଲାର ଜନଜାତି ପିଲାଙ୍କ ଶିକ୍ଷାର ମୂଳଦୁଆ ପଡ଼ିବ ଏହି ମୋତିଲାଲ ଓସଓ୍ଵାଲ-କିସ୍ ଆବାସିକ ବିଦ୍ୟାଳୟରେ । ଆସନ୍ତାକାଲି ଏହାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋତିଲାଲ ଓସଓ୍ଵାଲ ଫାଇନାନସିଆଲ ସର୍ଭିସେସ୍ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୋତିଲାଲ ଓସଓ୍ଵାଲ, ଶ୍ରୀମତୀ ବିମଳା ଓସଓ୍ଵାଲ, ଗ୍ରୁପ୍ ଅଧ୍ୟକ୍ଷ ରାମଦେଓ ଅଗ୍ରଓ୍ଵାଲ, ମୋତିଲାଲ ଓସଓ୍ଵାଲ ଫାଉଣ୍ଡେସନ୍ ଅଧ୍ୟକ୍ଷ ସୁନୀତା ଅଗ୍ରଓ୍ଵାଲ, ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ୍ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ କିସ୍ ଓ କିଟ୍ ପ୍ରତିଷ୍ଠାତା ପ୍ରଫେସର ଡ. ଅଚ୍ୟୁତ ସାମନ୍ତ । ଆସନ୍ତାକାଲି ଦିନ ୧୧ଟା ବେଳେ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହେବ ।
ଏହି ଆବାସିକ ବିଦ୍ୟାଳୟରେ କେବଳ ବଲାଙ୍ଗିର ଜିଲ୍ଲାର ଜନଜାତି ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ମିଳିବ । କିସ୍ ଭୁବନେଶ୍ୱର ଓ ବାରିପଦା ଭଳି ଏଠାରେ ମଧ୍ୟ ପିଲାମାନଙ୍କୁ ସମ୍ପୂର୍ଣ୍ଣ ମାଗଣା ରହିବା, ଖାଇବା ଏବଂ ପାଠ୍ୟୋପକରଣ ସହିତ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ।
ବିଶ୍ୱର ସର୍ବବୃହତ୍ ଜନଜାତି ଆବାସିକ ଶିକ୍ଷାନୁଷ୍ଠାନ ଭାବେ ଖ୍ୟାତି ଲାଭ କରିଥିବା କିସ୍ ୩୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀଙ୍କୁ ଦେଉଛି ଶିକ୍ଷାର ଆଲୋକ । ଏଠାରୁ ୨୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି ।