ଯାଜପୁରରେ ଏଟିଏମ କାର୍ଡ ବଦଳାଇ ୯୦ହଜାର ଟଙ୍କା ଲୁଟ ଘଟଣା: ସିସିଟିଭି କ୍ୟାମେରାରେ ସାମନାକୁ ଆସିଲା ଅଭିଯୁକ୍ତଙ୍କ ଚେହେରା
ଗତ ୧୦ଦିନ ତଳେ ଏଭଳି ଠକେଇର ଶିକାର ହୋଇଥିଲେ ବଡ଼ଚଣା ଥାନା କୁନ୍ଦଳ ପଂଚାୟତ ଗରଗାଲି ଗ୍ରାମର ଯୁବକ ଶିଶିରକାନ୍ତ ବିଶ୍ୱାଳ। ଶିଶିର ଚଣ୍ଡିଖୋଲ ଷ୍ଟେଟ ବ୍ୟାଙ୍କ ନିକଟ ଏଟିଏମ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଯାଇଥିବା ଜଣେ ଅଜଣା ବ୍ୟକ୍ତି ଚାଲାକ କରି ତାଙ୍କ କାର୍ଡଟିକୁ ମାଗି ନେଇଥିଲେ।
ଯାଜପୁର (କେନ୍ୟୁଜ) : ଯୁବକଙ୍କୁ ଭୁଆଁ ବୁଲାଇ ତାଙ୍କ ଏଟିଏମରୁ ୯୦ହଜାର ଟଙ୍କା ଉଠାଇ ନେଇ ଅଜଣା ବ୍ୟକ୍ତି ଚମ୍ପଟ ମାରିବା ଘଟଣା। ସିସିଟିଭି କ୍ୟାମେରାରେ କଏଦ ଦୃଶ୍ୟ ହେଲା ଭାଇରାଲ। ଗତ ୧୦ଦିନ ତଳେ ଏଭଳି ଠକେଇର ଶିକାର ହୋଇଥିଲେ ବଡ଼ଚଣା ଥାନା କୁନ୍ଦଳ ପଂଚାୟତ ଗରଗାଲି ଗ୍ରାମର ଯୁବକ ଶିଶିରକାନ୍ତ ବିଶ୍ୱାଳ। ଶିଶିର ଚଣ୍ଡିଖୋଲ ଷ୍ଟେଟ ବ୍ୟାଙ୍କ ନିକଟ ଏଟିଏମ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଯାଇଥିବା ଜଣେ ଅଜଣା ବ୍ୟକ୍ତି ଚାଲାକ କରି ତାଙ୍କ କାର୍ଡଟିକୁ ମାଗି ନେଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ ଶିଶିର ପିନ ମାରିଥିଲେ। ଠିକ ଏହି ସମୟରେ ଅଜଣା ବ୍ୟକ୍ତି ଜଣକ ତାଙ୍କୁ ଏକ ନକଲି କାର୍ଡ ଧରାଇ ସେଠାରୁ ଖସି ପଳାଇଥିଲା।
ଶିଶିର ନକଲି କାର୍ଡଟିକୁ ମେସିନରେ ପୁରାଇବାରୁ ଟଙ୍କା ବାହାରି ନଥିଲା। ପରେ ବ୍ୟାଙ୍କ ଭିତରକୁ ଯାଇ ତାଙ୍କ ବ୍ୟାଙ୍କ ଖାତା ଯାଞ୍ଚ କରିବାରୁ କିଛି ସମୟ ବ୍ୟବଧାନ ଭିତରେ ତାଙ୍କ ଆକାଉଣ୍ଟରୁ ୯୦ହଜାର ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଫଳରେ ତାଙ୍କର ଜମାରାଶି ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲା। ଏନେଇ ଶିଶିର ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ସିସିଟିଭି କ୍ୟାମେରାରେ କଏଦ ଦୃଶ୍ୟ ଏବେ ଭାଇରାଲ ହୋଇଛି। ଏଥିରେ ଅଭିଯୁକ୍ତଙ୍କ ଚେହେରା ସାମନାକୁ ଆସିଛି।