ଯାଜପୁର : ATM ଲୁଟ୍‌ର ଘଟଣାର ପର୍ଦ୍ଦାଫାଶ: ୬ଜଣ ଆନ୍ତରାଜ୍ୟ ଲୁଟେରା ଗିରଫ, ନଗଦ ଟଙ୍କା ସହ ମାରଣାସ୍ତ୍ର ଏବଂ ଗାଡି ଜବତ

ଯାଜପୁର (କେନ୍ୟୁଜ): ଯାଜପୁର ନେଉଳପୁର ବଜାରରୁ ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାସ। ୬ଜଣ ଆନ୍ତରାଜ୍ୟ ଲୁଟେରା ଗିରଫ। ସେମାନଙ୍କ ନିକଟରୁ ନଗଦ ଟଙ୍କା ସହ ବ୍ୟବହୃତ ଗାଡି, ମାରଣାସ୍ତ୍ର ସହ ଏଟିଏମେସିନ ଜବତ। ସୂଚନା ମୁତାବକ, ଗତ ୨୪ ତାରିଖ ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ବଜାରରେ ଥିବା ଏସବିଆଇ ଏଟିଏମ ମେସିନକୁ ଲୁଟି ନେଇଥିଲେ ଦୁର୍ବୁତ୍ତ।

ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମର ସହାୟତା ନେଇଥିଲା। ଏଥିସହ ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଶେଷରେ ଲୁଟେରାଙ୍କ ପାଖରେ ପହଁଚିବା ପାଇଁ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୫ ଜଣ ରାଜସ୍ଥାନ ଅଞ୍ଚଳର ଥିବା ବେଳେ ଅନ୍ୟ ଜଣେ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ନଗଦ ୩ଲକ୍ଷ ୬୮ହଜାର ଟଙ୍କା ସହ ବ୍ୟବହୃତ ଦୁଇଟି ଗାଡି, ମୋବାଇଲ, ସିମ କାର୍ଡ, ବିଭିନ୍ନ ମାରଣାସ୍ତ୍ର, ଏଟିଏମ ମେସିନ ଲୁଟରେ ବ୍ୟବହୃତ ସରଞ୍ଜାମ ଆଦି ଜବତ କରିଛି ପୋଲିସ।

ଅନ୍ୟପଟେ ଲୁଟେରା ମାନେ ଏଟିଏମରୁ ଟଙ୍କା ନେଇ ମେସିନକୁ ଫିଙ୍ଗିଥିବା ଏକ ବାମ୍ଫିରୁ ଅଗ୍ନିଶମ ବାହିନୀଙ୍କ ସହାୟତାରେ ପୋଲିସ ଉକ୍ତ ମେସିନକୁ ଉଦ୍ଧାର କରିଛି। ଗତ ୨୦ତାରିଖ ଦିନ ଉକ୍ତ ଗ୍ୟାଙ୍ଗର ସଦସ୍ୟ ଓଡିଶା ଆସି ଏଟିଏମ ଲୁଟ କରିବା ନେଇ ଯୋଜନା କରିଥିଲେ। ଖୋର୍ଦ୍ଧା ଅଞ୍ଚଳରୁ ସିମ କାର୍ଡ କିଣିଥିଲେ। ପୋଲିସ ଉକ୍ତ ବ୍ୟବସାୟୀକୁ ମଧ୍ୟ ଗିରଫ କରିଛି। ସମସ୍ତ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଯାଜପୁର ଏସପି ରାହୁଲ ପି ଆର ଏକ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.