ବୋଇତ ବନ୍ଦାଣ ପାଇଁ ଚମକୁଛି ସୋଲ ଡଙ୍ଗା, ଶେଷ ପର୍ଯ୍ୟାୟରେ ଚାଲିଛି ପ୍ରସ୍ତୁତି

ବୋଇତ ବନ୍ଦାଣ ପାଇଁ ଚମକୁଛି ସୋଲ ଡଙ୍ଗା ଚର୍ଚ୍ଚାରେ ଚିତ୍ତରଞ୍ଜନ

କଟକ : ଧର୍ମ ର ମାସ କାର୍ତ୍ତିକ ମାସ। ପାଖେଇ ଆସିଲାଣି କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ପାଇଁ ଚଳଚଞ୍ଚଳ ପୂରଠୁ ପଲ୍ଲୀ । ସବୁଠି ଉତ୍ସବମୁଖର ପରିବେଶ । କାର୍ତ୍ତିକ ପୂର୍ଣ୍ଣମାରେ ବୋଇତ ବନ୍ଦାଣ ପାଇଁ ସଜେଇ ହେଉଛି ଡଙ୍ଗା । କାର୍ତ୍ତିକ ପୂର୍ଣ୍ଣମାରେ ଭୋର ଭୋରୁ ଓଡ଼ିଆ ମାନେ ପରମ୍ପରା ଅନୁଯାୟୀ ଡଙ୍ଗା ଭସାଇ ଆସୁଛନ୍ତି । ଏହି ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ପ୍ରତ୍ୟେକ ଓଡିଆ ମାନେ ନଦୀ, ନାଳ ଓ ପୋଖରୀରେ ଡଙ୍ଗା ଭସାଇଥାନ୍ତି । ଡଙ୍ଗା ଭସାଇବା ପାଇଁ ସମସ୍ତେ ବଜାର ରୁ ବିଭିନ୍ନ ପ୍ରକାରର ଡଙ୍ଗା କିଣିଥାନ୍ତି। ବୋଇତ ବନ୍ଦାଣ ପାଇଁ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଭିନ୍ନ ଭିନ୍ନ ଡଙ୍ଗା । ଏହାରି ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ହାତ ତିଆରି ସୋଲ ଡଙ୍ଗା।

ତେବେ କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭସାଇବା ପାଇଁ ଲୋକ ମାନେ ବିଭିନ୍ନ ପ୍ରକାରର ଡ଼ଙ୍ଗା ବଜାରରୁ କିଣିଥାନ୍ତି। ହେଲେ ଚଳିତ ବର୍ଷ ଡଙ୍ଗା ଭସାଇବା ପାଇଁ ସୋଲରେ ଡଙ୍ଗା ତିଆରି କରି ଚର୍ଚ୍ଚା ରେ କଟକ କନ୍ଦରପୁର ଅଞ୍ଚଳର ଚିତ୍ତରଞ୍ଜନ। ଯାହାକୁ ସମସ୍ତେ ଶ୍ରଦ୍ଧାରେ କାହ୍ନୁ ବୋଲି ଡାକନ୍ତି । ସୋଲରେ ତିଆରି ଡଙ୍ଗା କିଣିବା ପାଇଁ କାହ୍ନୁ ଙ୍କ ଘରେ ଜମୁଛି ଭିଡ଼। କାର୍ତ୍ତିକ ପୂର୍ଣ୍ଣିମା ଆସୁଥିବାରୁ ଡଙ୍ଗା ତିଆରି କରି ବିକ୍ରିରେ ଲାଗିପଡିଛନ୍ତି କାହ୍ନୁ। କାହ୍ନୁ ପେଷାରେ ଜଣେ ଚିତ୍ରକର। ଏହି କାମ କରି ସେ ନିଜ ପରିବାରର ପେଟ ପୋଷିଥାଆନ୍ତି । କିନ୍ତୁ ଡଙ୍ଗା ଭସା ଆସୁଥିବାରୁ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ସୋଲ ଡଙ୍ଗା ତିଆରି କରିଛନ୍ତି ସେ। ୧୦ ଟଙ୍କା ଠାରୁ ଆରମ୍ଭ କରି ୩୦୦୦ ଟଙ୍କା ପର୍ଯ୍ୟନ୍ତ ଡଙ୍ଗାର ମୂଲ୍ୟ ରଖିଛନ୍ତି । ୬ ଇଞ୍ଚ ରୁ ଆରମ୍ଭ କରି ୧୦ଫୁଟ ପର୍ଯ୍ୟନ୍ତ ସାଇଜର ସୋଲ ଡଙ୍ଗା ତିଆରି କରିଛନ୍ତି କାହ୍ନୁ। ସୋଲ, ଅଠା, ରଙ୍ଗୀନ କାଗଜ, କଣ୍ଟା , ରଙ୍ଗ ଆଦି ବ୍ୟବହାର ଡଙ୍ଗା ତିଆରି କରି । ଦୁଇ ମାସ ପୂର୍ବରୁ ଡଙ୍ଗା ଭସା ଲାଗି ଡଙ୍ଗା ତିଆରି ଆରମ୍ଭ କରିଛନ୍ତି ବୋଲି କାହ୍ନୁ କୁହନ୍ତି।

କାହ୍ନୁ ଙ୍କ ଏହି ଡଙ୍ଗା ତିଆରି କାମରେ ତାଙ୍କ ପତ୍ନୀ ଓ ତାଙ୍କ ଝିଅ ବହୁତ ସାହାଯ୍ୟ କରିଥାନ୍ତି । ସୋଲ କାଟିବା, ଅଠା ମାରିବା ଭଳି କାମରେ ସାହାଯ୍ୟ କରି କାହ୍ନୁଙ୍କ କାମକୁ ସହଜ କରିଥାଆନ୍ତି ତାଙ୍କ ପତ୍ନୀ ଓ ଝିଅ। ଏବେ କାହ୍ନୁଙ୍କ ଘରେ ଏହି ସୋଲ ଡଙ୍ଗା କିଣିବା ଲାଗି ଛୋଟ ପିଲାଙ୍କ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ଭିଡ଼ ଜମୁଛି । କିଏ ଛୋଟ ଡଙ୍ଗା କିଣି ନେଉଛି ତ କିଏ ବଡ଼ ଡଙ୍ଗା ପାଇଁ କାହ୍ନୁଙ୍କୁ ଆଡଭାନ୍ସ ଟଙ୍କା ଦେଇ ଯାଉଛନ୍ତି ।
ତେବେ କାହ୍ନୁଙ୍କ ଏହି ନିଆରା କଳାକୃତି ପାଇଁ କାହ୍ନୁଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.