ସରକାରୀ ସହାୟତା ସାତ ସପନ, ଭଙ୍ଗା କୁଡ଼ିଆରେ ରୋଗୀଣା ପୁଅ ସହ ବିତୁଛି ବୃଦ୍ଧା ବାସନ୍ତୀଙ୍କ ଜୀବନ

ଢେଙ୍କାନାଳ: ଭଙ୍ଗା ଦଦରା ଘର । ଚାରିପାଟ କାନ୍ଥ ବର୍ଷାରେ ଭାଙ୍ଗି ଯାଇଛି । ଏଇ ନୁଆଁଣିଆ ଚାଳ ଛପର ଘରେ ବଡ଼ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ଢେଙ୍କାନାଳ କାମାକ୍ଷାନଗର ବ୍ଳକ ତୁମୁସିଂଗା ଶିର୍ମୁଳା ଗାଁର ବୃଦ୍ଧା ବାସନ୍ତି ଓ ତାଙ୍କ ପରିବାର । ପୂର୍ବରୁ ୨୦୦୯ ମସିହାରେ ବାସନ୍ତୀଙ୍କୁ ପକ୍କାଘର ଯୋଜନାରେ କାର‌୍ୟ୍ୟାଦେଶ ମିଳିଥିଲା । ଗୋଟିଏ କିସ୍ତି ଟଙ୍କା ବି ମିଳିଥିଲା । ହେଲେ ଅର୍ଥ ଅଭାବରୁ ଘର କିଣି ପାରିନଥିଲେ । ବାସନ୍ତୀଙ୍କ ପରିବାର କହିଲେ ୨ପୁଅ, ଜଣେ ବୋହୂ ଓ ୨ଜଣ ନାତୁଣୀ । ବଡ଼ ପୁଅ ମୁଲ ଲାଗିଲେ ପରିବାର ଚଳେ ।

ବୋଝ ଉପରେ ଲଳିତା ବିଡ଼ା ସାଜିଛି ବାସନ୍ତୀଙ୍କ ସାନ ପୁଅର ଯକ୍ଷ୍ମା ରୋଗ । ଗତ କିଛି ମାସ ତଳେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଅକୁ ଯକ୍ଷ୍ମା ହୋଇଥିବା ସେ ଜାଣିବାକୁ ପାଇଲେ । ପରିବାରରେ ୬ଜଣ ସଦସ୍ୟ ଥିଲେ ମଧ୍ୟ ଏଯାଏଁ ୩ଜଣଙ୍କୁ ଖାଦ୍ୟ ସୁରକ୍ଷାରେ ସାମିଲ କରାଯାଇନାହିଁ । ଯକ୍ଷ୍ମା ରୋଗରେ ଆକ୍ରାନ୍ତ ସାନ ପୁଅ ବି ଏଥିରୁ ବାଦ୍ । ଖାଲି ସେତିକି ନୁହେଁ, ବାସନ୍ତୀଙ୍କୁ ମଧ୍ୟ ବିଧବା ଭତ୍ତା ମିଳୁନି । ବାରମ୍ବାର ଗୁହାରୀ କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବାସନ୍ତୀଙ୍କ ଘରକୁ ଜଣେ ଅଧିକାରୀଙ୍କୁ ପଠାଯାଇଛି । ତଦନ୍ତ ପରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କାମାକ୍ଷାନଗର ବିଡିଓ କହିଛନ୍ତି । ବାସନ୍ତୀଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.