Below header

ସକାଳେ ଠିକାଦାରକୁ ମାରିଥିଲା ଭାଲୁ ଏବେ ଭାଲୁକୁ ମାରିଦେଲେ ଲୋକେ

ଶୌଚ ହେବାକୁ ଯାଇଥିଲେ ଜଣେ ଠିକାଦାର । କିନ୍ତୁ ହଠାତ୍ ପଡିଗଲେ ଭାଲୁ ହାବୁଡରେ । ଆଉ ବୋଧହୁଏ ଯମ ହୋଇ ଆସିଥିଲା ଏ ଭାଲୁଟି । ସେଥିପାଇଁ ତ ଠିକାଦାରଙ୍କୁ ଝୁଣି ଖାଇଗଲା ଏହି ନରହନ୍ତା ଭାଲୁ ।

ନବରଙ୍ଗପୁର (କେନ୍ୟୁଜ) : ଜୀବନ ହେଉଛି ବିଧି ନିର୍ଦ୍ଦିଷ୍ଟ। ଜୀବନ ଯାତ୍ରାରେ କେତେବେଳେ ଯେ କଣ ଘଟିଯିବ ତାହା କେହି ବି କହି ପାରିବେ ନାହିଁ । ଯେମିତି ରାତିରେ ଶୋଉଥିବା ମଣିଷ ନିଜେ ବି ଜାଣିନି ସକାଳର ସୂର୍ଯ୍ୟ ଦେଖିପାରିବ କି ନାହିଁ । ରାସ୍ତାରେ ଯାଉଥିବା ଲୋକଟି ଜାଣିନି ଆଉ ଘରକୁ ଫେରିବ ନା ନାହିଁ । କାହିଁକିନା ଜୀବନ ମୃତ୍ୟୁ କାହା ହାତରେ ନଥାଏ । ଏଇ ଯେମିତି ଏ ବ୍ୟକ୍ତି ଜଣକ, ସେ କଣ ଜାଣିଥିଲେ ଆଜି ଅଚାନକ ମୃତ୍ୟୁ ସହ ତାଙ୍କର ସାମ୍ନାସାମ୍ନି ହେବ ବୋଲି ।

ସମୟ ସକାଳ ୬ଟା ହେବ । ନିଦରୁ ଉଠି ସକାଳୁ ଶୌଚ ହେବାକୁ ଯାଇଥିଲେ ଜଣେ ଠିକାଦାର । କିନ୍ତୁ ହଠାତ୍ ପଡିଗଲେ ଭାଲୁ ହାବୁଡରେ । ଆଉ ବୋଧହୁଏ ଯମ ହୋଇ ଆସିଥିଲା ଏ ଭାଲୁଟି । ସେଥିପାଇଁ ତ ଠିକାଦାରଙ୍କୁ ଝୁଣି ଖାଇଗଲା ଏହି ନରହନ୍ତା ଭାଲୁ । ଠିକାଦାର ବି ନିଜ ଜୀବନ ବଞ୍ଚାଇବା ପାଇଁ ଭାଲୁ ସହ ଲଢ଼େଇ କରିଥିଲେ କିନ୍ତୁ ବଞ୍ଚାଇ ପାରିଲେନି ନିଜକୁ । ଭାଲୁଟି ଏମିତି ଭାବେ ତାଙ୍କ ମୁହଁକୁ ଝୁଣି ଖାଇଯାଇଛି ଯେ ଆମେ ସେ ଚିତ୍ରକୁ ନିଜେ ବି ଦେଖି ପାରୁନୁ କି ଆପଣଙ୍କୁ ବି ଦେଖାଇ ପାରିବୁନି । ନବରଙ୍ଗପୁର ବ୍ଲକ୍‌ ଭତରାସିଉନି ପଞ୍ଚାୟତରେ ଘଟିଛି ଏହି ଅଘଟଣ ।

ସୂଚନା ମୁତାବକ ଆଜି ସକାଳୁ ଭାରତ ମାଳା ଯୋଜନାରେ ନୟୋଜିତ ଜଣେ ଠିକାଦାର ବ୍ରିଜେଶ ଦ୍ବିବେଦୀ ଯାହାଙ୍କ ଘର ମଧ୍ୟପ୍ରଦେଶ ମାହୀର ଗାଁରେ ତାଙ୍କୁ ଭାଲୁ ଆକ୍ରମଣ କରି ମାରି ଦେଇଛି । ଏଭଳି କି ଭାଲୁ କବଳରୁ ମୁକୁଳିବା ପାଇଁ ଭାଲୁ ସହ ସେ ଦୀର୍ଘ ସମୟ ଧରି ଲଢେ଼ଇ କରିଥିଲେ। ଶ୍ରମିକ ଓ ଗାଁ ଲୋକ ଭାଲୁକୁ ଘଉଡେଇଵା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ କିଛି ଲାଭ ହେଲା ନାହିଁ । ଜଙ୍ଗଲୀ ଭାଲୁ ଆକ୍ରମଣରେ ଠିକାଦାର ଜଣକ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କଲେ। ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ଶବ ଜବତ କରିଛନ୍ତି ।

ସେହି ଭାଲୁ ଭତରା ଗାଁ ଭିତରେ ରହିଥିଲା । ରମ୍‌ତମୁଖା ଭାଲୁକୁ ଶହ ଶହ ଲୋକ ଘେରି ରହିଥିଲେ । ବନ ବିଭାଗର ଏକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ୮ ଘଣ୍ଟା ଧରି ଗ୍ରାମବାସୀ ଭାଲୁକୁ ଘେରାଉ କରି ରଖିଥିଲେ । କିନ୍ତୁ ବନ ବିଭାଗ କର୍ମଚାରୀ ନାଁ ଭାଲୁକୁ ଆୟତ୍ତ କରି ପାରିଲେ ନା ତାକୁ ଜଙ୍ଗଲକୁ ଘଉଡ଼ାଇ ପାରିଲେ । ଫଳରେ ଗାଁରେ ଉତ୍ତେଜନା ସୃଷ୍ଟି ହେଇଥିଲା । ବନ ବିଭାଗ ଭାଲୁକୁ ଧରିବାରେ ବିଳମ୍ବ କରିବାରୁ ଗାଁ ଲୋକେ ରାଗି ଯାଇଥିଲେ । ପରେ ସେମାନେ ଭାଲୁକୁ ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଏଇଠି ଉଠୁଛି ପଶୁ ସୁରକ୍ଷା ପ୍ରଶ୍ନ । ହେଲେ ଲୋକଙ୍କ ପ୍ରଶ୍ନ ଥିଲା ମଣିଷ ଜୀବନ ଆଗେ ନାଁ ପଶୁ ଜୀବନ ? ଯଦି ଭାଲୁ ଆଉ କାହାକୁ ମାରିଥାନ୍ତା ? ଅନ୍ୟପଟେ ଭାଲୁ ମୃତଦେହକୁ ବନବିଭାଗ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଭାଲୁକୁ ମାରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫ୍‌ଓ କହିଛନ୍ତି । ତେବେ ନିଜ ଜୀବନ ରକ୍ଷା ପାଇଁ ଲଢ଼େଇ କରି ହାରି ଯାଇଥିବା ଠିକାଦାରଙ୍କର ପରିବାରରେ ଏବେ କାନ୍ଦ ବୋବାଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.