ସତର୍କ ରୁହନ୍ତୁ, କୋଭିଡ୍ ଲଢ଼େଇକୁ ବାଟବଣା କରୁଛି ଏଭଳି ଭାଇରଲ୍ ଅଡିଓ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏବେ ଏକ ଅଡିଓ ସାରା ରାଜ୍ୟରେ ଭାଇରଲ୍ ହେଉଛି । ଜଣେ ଯୁବକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ କୋଭିଡ୍ ହସପିଟାଲ ଯାଇଥିଲେ । ସେଠାରୁ ଫେରିବା ପରେ ନିଜର ଅନୁଭୂତିକୁ ସେ ଜଣେ ସାଙ୍ଗ ସହିତ ବାଣ୍ଟୁଛନ୍ତି । ଫୋନ୍‌ରେ ହୋଇଥିବା ଏହି କଥାବାର୍ତ୍ତାକୁ ନେଇ ଭାରି ଚର୍ଚ୍ଚା ଚାଲିଛି । ପିଜିଟିଭ୍‌ରୁ ନେଗେଟିଭ୍ ହୋଇଥିବା ଯୁବକ ଜଣକ କହୁଛନ୍ତି କିଭଳି ଭାବେ ତାଙ୍କୁ ସେଠାରେ ଚିକିତ୍ସା କରାଯାଉଥିଲା । ବିଶେଷ କିଛି ଔଷଧ ଦିଆଯାଉନଥିଲା ଓ ବିନ୍ଦାସ ରହିବାକୁ କୁହାଯାଉଥିଲା । ଯାହାର କିଛି ଲକ୍ଷଣ ନାହିଁ ତାକୁ ଖାଲି ଭିଟାମିନ୍ ଔଷଧ ଦିଆଯାଉଛି । ଏଭଳି ବ୍ୟବହାର କରାଯାଉଛି ଯେମିତି କରୋନା ପଜିଟିଭ୍‌ର ଅର୍ଥ ହିଁ କିଛି ନାହିଁ ।
ଏହି ଅଡିଓଟି କେତେ ସତ କି ଖାଲି ଡ୍ରାମା ସେକଥା ତ ଜଣାପଡ଼ିନାହିଁ । ତେବେ ସାଧାରଣ ଲୋକଙ୍କ ଭିତରେ ଗୋଟିଏ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଅଦୃଶ୍ୟ ଶତ୍ରୁ କରୋନାକୁ ନେଇ ସମସ୍ତଙ୍କ ମନ ଭିତରେ ଅନେକ ବିଭ୍ରାନ୍ତି ରହିଛି । ଯାହାକୁ ଏହି ଭାଇରଲ୍ ଅଡ଼ିଓ ଆହୁରି ଦୃଢ଼ କରିବାରେ ଲାଗିଛି । ଲୋକେ ଯାହା କଥା ହେଉଛନ୍ତି ତାର କେତେକ ପ୍ରତିକ୍ରିୟା ଆମେ ଏଠାରେ ଦେଉଛୁ । ସେ ସବୁ ପଢ଼ିବା ପରେ ଆଲୋଚନା କରିବା ଏଭଳି ଅଡିଓ ଆପଣଙ୍କୁ କରୋନା ଲଢ଼େଇରେ ବାଟବଣା କରୁ ନାହିଁ ତ ?

FAKE-1

୧-କରୋନା ବୋଲି କିଛି ନାହିଁ, ଖାଲି ଗୋଟେ ପ୍ରହସନ ଚାଲିଛି ।
୨-କରୋନା ନାଁରେ ଚାଲିଛି ବଡ଼ ରାଜନୀତି ।
୩-ସରକାର ଓ ଡାକ୍ତରଖାନାଗୁଡ଼ିକ କରୋନା ରୋଗୀଙ୍କ ବାବଦରେ ବଡ଼ ଆକାରରେ ଟଙ୍କା ପାଉଛନ୍ତି । ସେଥିଲାଗି ଅଧିକ ପଜିଟିଭ୍ ଦେଖାଉଛନ୍ତି ।
୪-କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଜମା ଯାଅନି ସେଠି କରୋନା ହୋଇଯିବ ।
୫-ଯଦି ଏତେ ପଜିଟିଭ୍ ହେଉଛନ୍ତି ତେବେ ଏତେ ସଂଖ୍ୟାରେ ସୁସ୍ଥ କେମିତି ହେଉଛନ୍ତି ।
୬-ସାନିଟାଇଜର୍‌ରେ କଣ ସତରେ କରୋନା ଭାଇରସ୍ ମରୁଛି ?
୭-ଯଦି ସାମାନ୍ୟ ଜି ଥଣ୍ଡା ଔଷଧରେ କରୋନା ଭଲ ହେଉଛି ତେବେ ସରକାର କାହିଁକି କୋଭିଡ୍ ହସପିଟାଲରେ ଲୋକଙ୍କୁ ରଖୁଛନ୍ତି ?

FAKE-2ଏମିତି ଅନେକ କଥା ଚାଲିଛି ଲୋକଙ୍କ ଭିତରେ । ତେବେ ଆମେ ଏଠି କହି ରଖୁଛୁ ଯେ ଏପର‌୍ୟ୍ୟନ୍ତ ରାଜ୍ୟରେ ୨୦୦ରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଲାଣି । ହୁଏତ କିଛି ଲୋକ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିଲେ ଏବଂ କରୋନା ପ୍ରଭାବରେ ତାଙ୍କର ମୃତ୍ୟୁ ଘଟିଛି । ହେଲେ ଆଉ କିଛି ଲୋକ ବି ଏମିତି ଅଛନ୍ତି ଯେଉଁମାନେ ସିଧାସଳଖ କରୋନାରେ ମରିଛନ୍ତି । ପରୀକ୍ଷାରୁ ଅନେକଙ୍କର ପଜିଟିଭ୍ ଆସିଛି । ସରକାର ବାରମ୍ବାର କହୁଛନ୍ତି ଯେ ଲକ୍ଷଣ ନଥାଇ ମଧ୍ୟ ବହୁତ ଲୋକଙ୍କର କୋଭିଡ୍ ପଜିଟିଭ୍ ଆସୁଛି । କେବଳ ସାଧାରଣ ଲୋକ ନୁହନ୍ତି ପୋଲିସ୍ କର୍ମଚାରୀ, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଅନ୍ୟ କୋଭିଡ୍ ଯୋଦ୍ଧା ବି ସଂକ୍ରମିତ ହେଉଛନ୍ତି । ତେଣୁ ହାତଗୋଡ଼ ନଥିବା କରୋନା ଭାଇରସ୍‌କୁ ଏଭଳି କିଛି ଛୋଟ କଥା ଭାବିବା ବଡ଼ ଭୁଲ ହେବ । କାରଣ ଯାହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ତାକୁ ଯଦି ଆମେ ଗୋଟିଏ ଭାଇରଲ୍ ଅଡିଓକୁ ଶୁଣି ଏଡ଼ାଇଯିବା ତେବେ ଆମେ ନିଜର ହିଁ କ୍ଷତି କରିବା ।

ହୁଏତ କାହାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ଯୋଗୁଁ ସେ କରୋନାକୁ ହରାଇ ଦେଇ ପାରେ ହେଲେ ତା ଯୋଗୁଁ ଅନ୍ୟମାନେ ସଂକ୍ରମିତ ହୋଇ ପାରନ୍ତି । ସେହି ବ୍ୟକ୍ତି ନିଜ ପରିବାରର ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର‌୍ୟ୍ୟନ୍ତ ସମସ୍ତଙ୍କୁ ସଂକ୍ରମିତ କରି ପାରନ୍ତି । ଯାହା କେତେକ ଜାଗାରେ ଘଟି ଚାଲିଛି । ଆମର କଣ ବୁଦ୍ଧିବୃତ୍ତି ନାହିଁ ଯେ ଗୋଟିଏ ଅଡ଼ିଓକୁ ଶୁଣି କରୋନା ପାଇଁ ନେଉଥିବା ସତର୍କତାକୁ ଭୁଲିଯିବା ? ଗଞ୍ଜାମ ଜିଲ୍ଲାରେ ଯାହା ସବୁ ଘଟୁଛି ତାହା କଣ ମିଛ ? ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ବୁର୍ଲା ଭିମସାର ପର‌୍ୟ୍ୟନ୍ତ କରୋନା ତାର କାୟା ମେଲାଇଛି ।

ଆହୁରି ମଧ୍ୟ କରୋନା ଭାଇରସ୍ ଗୋଟିଏ ପ୍ରକାରର ନୁହେଁ । କାହାକୁ କିଭଳି ଭାଇରସ୍ ଆକ୍ରମଣ କରିବ ସେକଥା କହିବା ମୁସ୍କିଲ । ଦୁନିଆଁ ସାରା ଡାକ୍ତର, ବୈଜ୍ଞାନିକ ଏହାର ପ୍ରତିକାର ବାହାର କରିବାକୁ ନିରବଚ୍ଛିନ୍ନ ଭାବେ ଲାଗିଛନ୍ତି । ସେ ସମୟରେ ଆମେ ସତର୍କ ନରହି ବାଟ ହୁଡ଼ିବା ଆଦୌ ଠିକ୍ ନୁହେଁ ।

ଏକଥା ମଧ୍ୟ ମାନିବାକୁ ହେବ ଯେ ସରକାରଙ୍କ ସତର୍କତା, କୋଭିଡ୍ ଯୋଦ୍ଧାମାନଙ୍କର ଦିନରାତି ଅକ୍ଳାନ୍ତ ପରିଶ୍ରମ କଣ ସବୁ ମିଛ ? ଏଭଳି ଭାଇରଲ୍ କଥା ସବୁ କୋଭିଡ୍ ଯୋଦ୍ଧାଙ୍କ ପରିଶ୍ରମ ଓ ନିଷ୍ଠାର ମର‌୍ୟ୍ୟାଦା ହାନି କରୁଛି । ତା ସହିତ ସାଧାରଣ ଲୋକଙ୍କୁ ବିପଥଗାମୀ କରିବାର ମଧ୍ୟ ଆଶଙ୍କା ରହିଛି । ତେଣୁ ଭ୍ୟାକସିନ୍ ଆସିବା ଯାଏ ଅନ୍ତତଃ ନିଜ ସୁରକ୍ଷା ନିଜ ହାତରେ ରଖନ୍ତୁ ଏବଂ ଏଭଳି ଭାଇରଲ୍‌କୁ ବାୟ ବାୟ କରନ୍ତୁ ।

Leave A Reply

Your email address will not be published.