ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ । ହେଲେ ଏବେ ବିକାଶର ରାସ୍ତାରେ ଆଗଉଥିବା ମଣିଷ ଗଛ କାଟି ସଫା କରିବାରେ ବ୍ୟସ୍ତ । ସେଥିଲାଗି ଭୟଙ୍କର ଦାଉ ସାଧୁଛି ପ୍ରକୃତି । ଯେଉଁ ପରିମାଣରେ ଗଛ କଟା ଯାଉଛି, ଜଙ୍ଗଲ ସଫା ହେଉଛି ସେହି ଅନୁସାରେ ନୂଆ ଗଛ ଲାଗୁ ନାହିଁ । ତେଣୁ ତାତିରେ ଜଳୁଛି ଦେଶ ଦୁନିଆ ।… ଏଭଳି ଚିନ୍ତାଜନକ ସ୍ଥିତି ଭିତରେ ଆମେ ଭେଟିଥିଲୁ ଜଣେ ବିଶେଷ ବ୍ୟକ୍ତିଙ୍କୁ ।

ଭୁବନେଶ୍ୱର ଆଠ ନମ୍ବର ରାସ୍ତା ଉପରେ ଦେହରେ ଖଣ୍ଡେ ଗଞ୍ଜି ପ୍ୟାଣ୍ଟ ଆଉ ଅଣ୍ଟାରେ ଗାମୁଛା । ଆଖିରେ ଚଷମା l ଗୋଟିଏ ଟ୍ରଲିକୁ ଠେଲି ଠେଲି ନେଉ ଥାଆନ୍ତି l ଦେଖିଲେ ଲାଗୁଥିଲା ବିଏମସି କର୍ମଚାରୀ ବୋଧେ । ଟ୍ରଲି ଉପରେ ଦୁଇ ଚାରିଟି ବାଲଟି ଥୁଆ ହୋଇଛି l ବାଲ୍ଟି ଭିତରେ ପାଣି ରହିଥାଏ । ଲାଗିଲା ନିଜ ଘରେ ପଣି ନାହିଁ ତେଣୁ ନେଇ କି ଯାଉଛନ୍ତି l ମନରେ ଟିକେ କାହିଁକି କୌତୁହଳ ଜାଗିଲା l ଆମେ ଦେଖିଲା ପରେ ବ୍ୟକ୍ତି ଜଣଙ୍କ ପିଛା କଲୁ l ଦେଖିଲୁ ଅଳ୍ପ ଦୂର ଗଲା ପରେ ସେହି ବାଲ୍ଟି ରେ ଥିବା ପାଣି ଗୋଟିଏ ଛୋଟ ପାତ୍ର ସାହାଯ୍ୟରେ ରାସ୍ତା କଡରେ ଲାଗିଥିବା ଗଛରେ ଢାଳିବାକୁ ଲାଗିଲେ l ଅଳ୍ପ ବାଟ ଯାଉଥାନ୍ତି ତାପରେ ଗଛ ଗୁଡିକୁ ପାଣି ଦେଉ ଥାନ୍ତି l ବାଟ ଆଡେଇ ଚାଲିଯିବାକୁ ବାହାରିଥିଲୁ ପୁଣି ଭାବିଲୁ ବ୍ୟକ୍ତି ଜଣଙ୍କ ସହିତ ଟିକେ କଥା ହୋଇଯିବା । ସେ କିନ୍ତୁ କୁଆଡକୁ ନଚାହିଁ ଗୋଟିଏ ପରେ ଗୋଟିଏ ଗଛକୁ ପାଣି ଦେଉଥାନ୍ତି l ତା ସହିତ ପାଣି ଦେବା ପରେ ଗଛରେ ଗୁଡ଼ାଇ ହୋଇଥିବା ଅନାବନା ଲତା ଗୁଡ଼ିକୁ ଟାଣି ବାହାର କରୁଥାନ୍ତି । ପାଣି ଦେବା ପରେ ପୁଣି ଫେରିଲେ ଯେଉଁଠାରୁ ଆରମ୍ଭ କରିଥିଲେ ସେହି ସ୍ଥାନକୁ l ଆଶ୍ଚର୍ଯ୍ୟ ର କଥା ସେହି ସ୍ଥାନରେ ଥିବା କାନ୍ଥରେ ଲେଖା ହୋଇଥିଲା ବିଷ ନିବାରଣ, ବ୍ରଣ ମୁଣ୍ଡ ଘା, ଜ୍ୱର ଭଳି ରୋଗକୁ ନେଇ କିଛି କଥା । ତା ନିକଟରେ ରହିଥିଲା କେତେକ ଗଛ l ଆମେ ତାଙ୍କୁ ପଚରିଲୁ କିଛି ଗଛର ଔଷଧୀୟ ଗୁଣ ଉପରେ ।

ଆମ ଆଗ୍ରହ ଦେଖି ସେ କହି ଚାଲିଲେ ଅନେକ କଥା । ନିଜ କଥା ଆଉ ଏଇ ଗଛ ସବୁ କଥା । ତାଙ୍କ କଥା ଓ କାମ ବିଷୟରେ ଶୁଣି ଆମକୁ ଟିକେ ସଂକୋଚ ଲାଗିଥିଲା l ପ୍ରକୃତରେ ସେ ଜଣେ ଅବସର ପ୍ରାପ୍ତ ଶିକ୍ଷକ l ନାଁଟି ତାଙ୍କର ଶିଶିର ରୟ l ସେ ବିଭିନ୍ନ ସ୍କୁଲରେ ଅନେକ ବିଦ୍ୟାର୍ଥୀ ଙ୍କୁ ଶିକ୍ଷା ଦାନ କରି ଜୀବନର ରାହା ଦେଖାଇଛନ୍ତି l ଜଣେ ସୁନାମ ଧନ୍ୟ ଶିକ୍ଷକ ଭାବରେ ସମସ୍ତଙ୍କ ଭିତରେ ଜଣାଶୁଣା l କିଛି ମାସ ତଳେ ଆଠ ନମ୍ବର ବାଳକ ବିଦ୍ୟାଳୟରୁ ଶେଷ ଅବସର ଅବସର ନେଇଛନ୍ତି l ସ୍କୁଲରେ ଶିକ୍ଷା ଦେବା ସମୟରୁ ଆରମ୍ଭ କରିଥିଲେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ l ଦୀର୍ଘ ବର୍ଷ ଧରି ଶିଶିର ସାର ଏଭଳି ବୃକ୍ଷ ରୋପଣ କରି ଆସୁଛନ୍ତି l ନିଜେ ଆଠ ନମ୍ବର ସ୍କୁଲରେ ପଢ଼ାଉଥିବା ସମୟରେ ଏମିତି ଏକ ବଗିଚା ଗଢିଛନ୍ତି ଯାହାକୁ ଦେଖିଲେ ଆଖି ଲାଖିଯିବ । ସାର ସିନା ପାଠ ପଢ଼ାଇବାରୁ ଅବସର ନେଇଛନ୍ତି ହେଲେ ଏଇ ବୃକ୍ଷରୋପଣରୁ ଦୂରେଇ ଯାଇ ନାହାନ୍ତି । ସକାଳ ପାଇଲେ ଚିନ୍ତାରେ ରୁହନ୍ତି କି କେଉଁଠି ପାଣି ଦେବେ କେଉଁ ଗଛର ବାଡ଼ ଦେବେ l କେଉଁ ଔଷଧୀୟ ବୃକ୍ଷ କେଉଁଠି ଲଗା ହେବ l ବର୍ଷ ବର୍ଷ ଧରି ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ବୃକ୍ଷ ଚାରା ଆଣି ବଣ୍ଟନ କରନ୍ତି ଆଉ ନିଜେ ମଧ୍ୟ ଲଗାନ୍ତି l ଶିକ୍ଷକତା ହୁଏତ ଶିଶିର ସାରଙ୍କର ପେସା କିନ୍ତୁ ବୃକ୍ଷ ରୋପଣ ହେଉଛି ତାଙ୍କର ବଡ଼ ନିଶା l

ସୁନ୍ଦର ପରିବେଶ ସାଙ୍ଗକୁ ସୁସ୍ଥ ଜୀବନ ନେଇ ସମସ୍ତେ କେମିତି ବଂଚିବେ ସେହି ଚିନ୍ତାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି l କେବେବି ମନରେ ଗ୍ଲାନି କି କ୍ଲାନ୍ତ ଦେଖିବାକୁ ମିଳେ ନାହିଁ l ଆଉ କିଏ କଲା ନକଲା ସେ କଥା ଭାବନ୍ତି ନାହିଁ । ଏମିତି କି ଅନେକ ଛାତ୍ରଙ୍କୁ ମାଗଣା ଶିକ୍ଷା ବହି କିଣି ଦେବା ଭଳି କାମ କରି ଆନନ୍ଦ ଅନୁଭବ କରନ୍ତି । ତା ସହିତ ଏହି ବୃକ୍ଷରୋପଣ ଓ ସେମାନଙ୍କ ଯତ୍ନ ନେବା କାମରେ ଦିନ ରାତି ଏକ କରି ଦିଅନ୍ତି । ଗଛ ଗୁଡିକ ଖାଲି ଲଗାଇ ଦିଅନ୍ତିନି ପିଲାଙ୍କୁ ଲଗାଇ ବିଭିନ୍ନ କାର୍ଯ୍ୟକ୍ରମ କରି ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରନ୍ତି । ଆଜିର ଯୁବ ପିଢ଼ିଙ୍କୁ ଏକାଠି କରି ସହର ସାରା ବୁଲି ବୁଲି ସଚେତନତା ପ୍ରଚାର ମଧ୍ୟ କରନ୍ତି l ଆଗରୁ ଶିକ୍ଷକ ଥିଲା ସମୟରେ ଯାହା କାମ ଥିଲା ଏବେ ଅବସର ନେଲା ପରେ ଆହୁରି ଶହେ ଗୁଣା କାମ ବଢ଼ାଇ ଦେଇଛନ୍ତି ଶିଶିର ସାର୍‌ l ସେ କେଉଁ ଔଷଧୀୟ ଗଛରେ କଣ ଗୁଣ କେଉଁ ରୋଗ ପାଇଁ କାମରେ ଆସେ ତାହା ମଧ୍ୟ ବେଶ ଭଲ ଭାବରେ ଜାଣନ୍ତି l କେମିତି ସୁନ୍ଦର ଏବଂ ସ୍ବାସ୍ଥ୍ୟକର ଆଉ ନିରୋଗ ପରିବେଶ ସୃଷ୍ଟି ହେଲେ ମଣିଷ ସମାଜ ଭଲରେ ବଞ୍ଚିବ ସେହି ଚିନ୍ତାରେ ଶିଶିର ସାର l

ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ସ୍ୱାର୍ଥକୁ ବଳି ଦେଇ ଦେଶ ଦୁନିଆ ପାଇଁ କାମ କରନ୍ତି । ସେମାନଙ୍କୁ ଜଣେ ଜଣେ ଦେବଦୂତ କହିଲେ ଭୁଲ ହେବ ନାହିଁ । କାରଣ ବର୍ତ୍ତମାନ ସମୟରେ ଶିଶିର ସାରଙ୍କ ଭଳି ବ୍ୟକ୍ତି ହିଁ ପ୍ରକୃତିର କୋପରୁ ଆମକୁ ବଞ୍ଚାଇ ପାରିବେ । ତାଙ୍କଠାରୁ ପ୍ରେରଣା ନେଇ ଆମେ ମଧ୍ୟ ତାଙ୍କ ବୃକ୍ଷରୋପଣ ଆନ୍ଦୋଳନରେ ସାମିଲ ହେଲେ ଏ ଦୁନିଆ ପୁଣି ସବୁଜ ସୁନ୍ଦର ହୋଇ ପାରିବ ।

Leave A Reply

Your email address will not be published.