ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ମିଳିଲା ପୁରାତନ ମନ୍ଦିର, ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା କୋମନା ଦେଉଳବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ଏକ ପୁରାତନ ମନ୍ଦିର ଠାବ ହୋଇଛି । ସେଠାରୁ ଖଣ୍ଡା, ତ୍ରିଶୁଳ ସହ ବିଭିନ୍ନ ଆକୃତିର ଇଟାପଥର ଉଦ୍ଧାର ହୋଇଛି । ଏହା ଏକ ଶକ୍ତିପୀଠ ବୋଲି ଅନୁମାନ କରାଯାଉଛି । ଏହି ମନ୍ଦିର ମାଣିକଗଡ,ଜୁମଳାଗଡ ଦୁର୍ଗ ସମସାମୟିକ ବୋଲି କୁହାଯାଉଛି । ପୋଖରୀରୁ ପୁରାତନ ମନ୍ଦିର ଠାବ ହେବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିବାରେ ଲାଗିଛି ।

୧୫୯୦ ରୁ ୧୮୨୦ ମସିହା ପର୍ଯ୍ୟନ୍ତ କୋମନାଗଡ ଚୈାହାନ ବଂଶିୟ ରାଜାଙ୍କ ରାଜଧାନୀ ରହିଥିଲା । ସେହି ସମୟରେ ଅନେକ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରିବା ସହ ପୋଖରୀ ଖନନ କରାଯାଇଥିଲା । କୋମନା ଗଡଜାତ ଅଞ୍ଚଳରେ ରାଜାରାଜୁଡା ଶାସନ ବେଳେ ସମଲେଶ୍ଵରୀ ଗଡ ନିକଟରେ ଦେଉଳବନ୍ଧ ପୋଖରୀ ଖନନ କରାଯାଇଥିଲା । ଏହି ପୋଖରୀର ହୁଡାରେ ଏବେବି ଏକ ପୁରାତନ ଶିବ ମନ୍ଦିର ରହିଛି ।

ଏହି ପୋଖରୀ ପାଣି ଉପରେ କୋମନା ଗ୍ରାମବାସୀ ନିର୍ଭର କରି ଆସୁଛନ୍ତି । ରାଜାରାଜୁଡା ଶାସନ ଅମଳରୁ ପୋଖରୀର ପଙ୍କ ଉଦ୍ଧାରକାମ ହୋଇନଥିଲା । ଗତ କିଛିଦିନ ତଳେ ପ୍ରଥମକରି ପୋଖରୀର ପଙ୍କ ଉଦ୍ଧାର କାମ ଆରମ୍ଭ ହୋଇଛି । ପଙ୍କଉଦ୍ଧାର ବେଳେ ପୋଖରୀର ମଝିରେ କିଛି ପୁରୁଣା ଇଟା ବାହାରିଥିଲା । ଏହାକୁ ଖନନ କରିବାରୁ ୬ଫୁଟ ଉଚ୍ଚତାର ଏକ ମନ୍ଦିର ଆକୃତିର ଇଟା ତିଆରି ଘର ବାହାରିଥିଲା । ଏହାର ଓସାର ପ୍ରାୟ ଦେଢ ମିଟର ଏବଂ ଲମ୍ୱ ପ୍ରାୟ ୨ ମିଟର ରହିଛି ।

ଖନନ ବେଳେ ମାଠିଆର ଭଗ୍ନାବଶେଷ ସମେତ ଖଣ୍ଡା, ତ୍ରିଶୁଳ ସହ ବିଭିନ୍ନ ଆକୃତିର ଇଟାପଥର ଉଦ୍ଧାର ହୋଇଛି । ଯାହାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମିବାରେ ଲାଗିଛି । କୋମନା ଦେଉଳବନ୍ଧ ପୋଖରୀର ପଙ୍କଉଦ୍ଦାର କାର୍ଯ୍ୟ ବେଳେ ଇଟାରେ ନିର୍ମିତ ପୁରାତନ ମନ୍ଦିର ଠାବ ହୋଇଛି । ଏହି ଖବର ଜଣାପଡିବା ପରେ ମନ୍ଦିରକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି । ଏପରିକି ଅନେକ ଲୋକ ମନ୍ଦିରରେ ପୂଜା ଅର୍ଚନା କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି ।

ଏହି ମନ୍ଦିର ମାଣିକଗଡ, ଜୁମଳାଗଡ ଦୁର୍ଗ ସମସାମୟିକ ବୋଲି କୁହାଯାଉଛି । ପ୍ରତ୍ନତାତ୍ଵିକ ବିଭାଗ ପକ୍ଷରୁ ଏହା ଉପରେ ଅଧିକ ଅନୁସନ୍ଧାନ ଓ ଗବେଷଣା କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ସ୍ଥାନିୟ ଲୋକମାନେ କହିଛନ୍ତି । ଦେଉଳବନ୍ଧରେ ଉଦ୍ଧାର ହୋଇଥିବା ପୁରାତନ ମନ୍ଦିର ସଂପର୍କରେ କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର ନୂଆପଡା ଜିଲ୍ଲାପାଳ ଓ ରାଜ୍ୟ ପ୍ରତ୍ନତତ୍ଵବିଭାଗକୁ ଲିଖିତ ଜଣେଇବା ସହିତ ଏହାର ପୁନରୁଦ୍ଦାର କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.