ଆଇସ୍କ୍ରିମ୍ ଭିତରୁ ବାହାରିଲା ମଣିଷ ଆଙ୍ଗୁଠି, ଅନ୍ଲାଇନ ଅର୍ଡର କରିଥିଲେ ଡାକ୍ତରାଣୀ

ଆଇସକ୍ରିମ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି । ମୁମ୍ବାଇର ଜଣେ ମହିଳା ଡାକ୍ତର ଖାଇବା ପାଇଁ ଅନଲାଇନରେ ଆଇସକ୍ରିମ ଅର୍ଡର କରିଥିଲେ । ହେଲେ ଏହାକୁ ଖୋଲି ଖାଇବାକୁ ଯିବା ବେଳକୁ ସେଥିରୁ ବାହାରିଥିଲା ଏକ କଟା ଆଙ୍ଗୁଠି । ଡାକ୍ତରାଣୀ ଜଣକ ତୁରନ୍ତ ଏ ନେଇ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଆଇସକ୍ରିମ କମ୍ପାନୀ ବିରୋଧରେ ମାମଲା ରୁଜୁ କରି କଟା ଆଙ୍ଗୁଠିକୁ ଫରେନସିକ୍ ଲାବେରେଟୋରୀକୁ ଯାଞ୍ଚ ପାଇଁ ପଠାଇଛି । ମୁମ୍ବାଇ ମଲାଡ ଅଞ୍ଚଳରେ ଏହି ଘଟଣା ଘଟିଛି । ଆଇସକ୍ରିମ ପ୍ରସ୍ତୁତ ହେଉଥିବା ଅଞ୍ଚଳରେ ପୋଲିସ ତଦନ୍ତ କରିବ ବୋଲି ଜଣାପଡ଼ିଛି ।
ଖବର ମୁତାବକ, ମଲାଡ ଅଞ୍ଚଳର ଜଣେ ୨୭ ବର୍ଷୀୟା ଡାକ୍ତରାଣୀ ଅର୍ଲେମ୍ ବ୍ରେଣ୍ଡନ୍ ସେରାଓ ଗତ ବୁଧବାର ଜେପ୍ଟୋ ଡେଲିଭରୀ ଆପ୍ ମାଧ୍ୟମରେ ଏକ କୋନ୍ ଆଇସ୍କ୍ରିମ ଅର୍ଡର କରିଥିଲେ । ଏହି ଆଇସ୍କ୍ରିମ୍ର ନାମ ‘ୟୁମୋ ବଟରସ୍କଚ୍’ ।
କିଛି ସମୟ ପରେ ଡେଲିଭରୀ ବଏ ଆସି ତାଙ୍କୁ ଆଇସ୍କ୍ରିମ୍ ଦେଇଥିଲେ । ଡାକ୍ତରାଣୀ ଜଣକ ବହୁତ ଖୁସିର ସହିତ ଆଇସ୍କ୍ରିମ୍ ଖାଇବା ଆରମ୍ଭ କରିଥିଲେ । ହେଲେ ଖାଇବାକୁ ଯିବା ବେଳକୁ ଯେତେବେଳେ ସେ ଆଇସ୍କ୍ରିମରେ ମଣିଷର କଟା ଆଙ୍ଗୁଠି ଦେଖିବାକୁ ପାଇଥିଲେ, ସେତେବେଳେ ତାଙ୍କ ହୋଶ୍ ଉଡ଼ିଯାଇଥିଲା ।
ଆଇସ୍କ୍ରିମ୍ ଭିତରେ ମଣିଷର କଟା ଆଙ୍ଗୁଠି ମିଳିଥିଲା, ଯାହାକି ପାଖାପାଖି ୨ ସେଣ୍ଟିମିଟରର ଥିଲା । ପୋଲିସ କହିଛି ଯେ ଅଭିଯୋଗକାରିଣୀ ହେଉଛନ୍ତି ଜଣେ ଏମ୍ବିବିଏସ୍ ଡାକ୍ତର । ତାଙ୍କ ଭଉଣୀ ଯେତେବେଳେ ଘର ପାଇଁ ଗ୍ରୋସରୀ ସାମଗ୍ରୀ ଅର୍ଡର କରୁଥିଲେ, ସେତେବେଳେ ସେ ତାଙ୍କ ପାଇଁ ଏକ ଆଇସ୍କ୍ରିମ୍ ଅର୍ଡର କରିବାକୁ କହିଥିଲେ ।
ବର୍ତ୍ତମାନ ମୁମ୍ବାଇର ମଲାଡ ଥାନାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଉକ୍ତ କଟା ଆଙ୍ଗୁଠିକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି, ରିପୋର୍ଟ ଆସିଲେ ଆଙ୍ଗୁଠି କାହାର ବୋଲି ଜଣାପଡ଼ିବ ।