ଡାକ ବିଭାଗ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦୁର୍ନୀତି ମାମଲା: ରାଜ୍ୟରେ ୬୭ଟି ସ୍ଥାନରେ ସିବିଆଇ ରେଡ୍‌

ଭୁବନେଶ୍ୱର (କେନ୍ୟୁଜ): ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ (GDS) ନିଯୁକ୍ତି ମାମଲାରେ ସିବିଆଇର ବଡ଼ ଧରଣର ତଦନ୍ତ ଆରମ୍ଭ । ଓଡ଼ିଶାର ପ୍ରାୟ ୬୭ଟି ସ୍ଥାନରେ ଚଢଉ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । ଡାକ ବିଭାଗରେ ନକଲି ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା ୬୩ ପରୀକ୍ଷାର୍ଥୀ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।

୨୦୨୩ ଜାନୁଆରୀ ୨୭ ତାରିଖରେ ୧୩୮୨ଟି GDS ପଦବୀ ପାଇଁ ପରୀକ୍ଷା ନେଇ ଅନଲାଇନରେ ଆବେଦନ କରାଯାଇଥିଲା ।  ଆବେଦନ ପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ ରହିଥିଲା ।  ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ଆଧାରରେ ମେଧା ତାଲିକା ପ୍ରସ୍ତୁତ କରାଯାଇଥିଲା । ମେଧା ତାଲିକା ପ୍ରକାଶର ୧୫ ଦିନ ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ସହ ନିଯୁକ୍ତି ପାଇଁ ପ୍ରସ୍ତୁତ ରହିବାକୁ ଆବେଦନକାରୀଙ୍କୁ ଏସଏମଏସ ଓ ଇମେଲ ମାଧ୍ୟମରେ ସୂଚନା ଦିଆଯାଇଥିଲା । ତେବେ ସାର୍ଟିଫିକେଟ ଯାଞ୍ଚ ବେଳେ ବିଭିନ୍ନ ପୋଷ୍ଟାଲ ଡିଭିଜନରେ ୬୩ ଜଣ ଆବେଦନକାରୀ ନକଲି ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଥିଲା ।

ବାଲେଶ୍ବର, ମୟୂରଭଞ୍ଜ, କଲାହାଣ୍ଡି ଏବଂ ବ୍ରହ୍ମପୁର ପୋଷ୍ଟାଲ ଡିଭିଜନରେ ନକଲି ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ସାମନାକୁ ଆସିଥିଲା । ଏହି ମାଟ୍ରିକ ସାର୍ଟିଫିକେଟ ଗୁଡ଼ିକ ମୁଖ୍ୟତଃ ଆଲାହାବାଦ ବୋର୍ଡ, ପଶ୍ଚିମବଙ୍ଗ ବୋର୍ଡ, ଝାଡ଼ଖଣ୍ଡ ଏକାଡେମୀ କାଉନସିଲର ରହିଥିଲା । ଏଥିରେ ଆବେଦନକାରୀ କୌଣସି ଜାଲ ରାକେଟ ଠାରୁ ଏଗୁଡ଼ିକୁ ହାତେଇଥିବା ସନ୍ଦେହ କରିଥିଲା ଡାକ ବିଭାଗ । ଏନେଇ ସିବିଆଇରେ ଡାକ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଥିଲା । ମାମଲାର ତଦନ୍ତ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ ୬୭ ଟି ସ୍ଥାନରେ ଚଢଉ କରିଛି ସିବିଆଇ ।

Leave A Reply

Your email address will not be published.