ବିଳମ୍ବିତ ରାତିରେ ଲୁଟ, ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମର ତଦନ୍ତ ଜାରି

କେନ୍ଦୁଝର(କେନ୍ୟୁଜ): ଲୁଟ୍‌ କରିବା ପାଇଁ ଲୁଟେରାଙ୍କ ଚାଲାକି ବଢ଼ିଚାଲିଛି । ଦିନ ବେଳେ ଚୋରି କରିବା ସ୍ଥାନକୁ ଟାର୍ଗେଟ କରୁୁଛନ୍ତି ଆଉ ରାତି ହେଲେ ଘରେ ପଶି କଳା କନା ବୁଲାଉଛନ୍ତି । ଏମିତି ପ୍ରତ୍ୟେକ ଦିନ ଘଟୁଛି । ଏ ଚୋରଙ୍କ ଲୋଲୁପ ନଜରରୁ ବଞ୍ଚି ପାରୁ ନାହାନ୍ତି ସାଧାରଣ ମଣିଷ । ଦିନ ବେଳେ ଚୋରି କରିବା ପାଇଁ କରୁଛନ୍ତି ପ୍ଲାନ୍‌ ଆଉ ସଂଜ ନଇଁ ଆସିଲେ ଲୋକଙ୍କ ଘରେ ପଶି ସୁନା ଗହଣା ସବୁ ଲୁଟି ନେଉଛନ୍ତି ।

ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବେଲସୁନ୍ଦରୀ ଗ୍ରାମରେ ଘଟିଯାଇଛି । ଲାବଣ୍ୟମୟୀ ମଲ୍ଲିକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ୪ ଭରି ଓଜନର ସୁନା ଅଳଙ୍କାର ସହ ନଗଦ ୧୭ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ପରିବାର ଲୋକ ଅନ୍ୟ ଏକ ଘରେ ଶୋଇଥିବାବେଳେ ଲୁଟେରାମାନେ ବାହାରୁ ତାଲା ମାରି ଅନ୍ୟ ଘରେ ପଶି ଆଲମିରା ଭାଙ୍ଗି ଲକରରୁ ମୂଲ୍ୟବାନ ସୁନା ଏବଂ ରୂପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ । ଭୋର ସମୟରେ ପରିବାର ମୁଖିଆ ରାମଚନ୍ଦ୍ରପୁର ଥାନା ଅଧିକାରୀଙ୍କୁ ଲିଖିତ ଏତଲା ଦେଇଥିଲେ । ପରେ ଅଭିଯୋଗକୁ ଆଧାର କରି ରାମଚନ୍ଦ୍ରପୁର ଥାନା ଅଧିକାରୀ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଚୋରିକୁ ନେଇ ପୋଲିସ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଚୋରି ସମ୍ବନ୍ଧରେ ପରିବାର ଲୋକଙ୍କୁ ଅଧିକ ପଚାରା ଉଚରା କରୁଛି ପୋଲିସ । ପାରିପାର୍ଶ୍ବିକ ଦିଗ ଉପରେ ପୋଲିସ ନଜର ରଖିଥିବା ଜଣାପଡ଼ିଛି ।

ଦିନକୁ ଦିନ ଏଭଳି ଚୋରଙ୍କ ଉତ୍ପାତ ବଢ଼ି ଚାଲିଛି । ଦିନ ରାତି କିଛି ମାନୁ ନାହାନ୍ତି ଏମାନେ । ପୋଲିସକୁ ବି ଏମାନଙ୍କର ଭୟ ନାହିଁ । ଚୋରି କରିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ସୁଯୋଗ ମିଳିଲେ ଏମିତି ଚୋରି କରି ଫେରାର ମାରୁଛନ୍ତି । ଏମିତି ଅନେକ ଚୋର ଅଛନ୍ତି ଯେଉଁମାନେ ଚୋରି କରିବା ପରେ ବି ପୋଲିସ ସେମାନଙ୍କ ଟେର୍‌ ପାଏନି । ତେବେ ଆପଣ ଯଦି ଚୋରଙ୍କ ଠାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ସତର୍କ ରୁହନ୍ତୁ । ଘରେ ସନ୍ଧ୍ୟା ହେଲେ କବାଟ ବନ୍ଦ କରି ରୁହନ୍ତୁ । କାରଣ ରାତି ହେଲେ ଚୋରମାନଙ୍କ ଉତ୍ପାତ ଅଧିକ ବଢ଼ିଯାଉଛି । ଯଦି ଆପଣ ନିଜେ ସତର୍କ ରହିବେ ତେବେ ଚୋରଙ୍କ ଜାଲରୁ ବଞ୍ଚିପାରିବେ ।

Leave A Reply

Your email address will not be published.