Below header

ସରିଲା ଦୁଇଦିନର ଭାରତ ବନ୍ଦ, ଲୋକେ ଆଶ୍ୱସ୍ତ

ଭୁବନେଶ୍ୱର/ବ୍ରହ୍ମପୁର (କେ ନ୍ୟୁଜ୍‌) : ଭାରତ ବନ୍ଦ’ର ଆଜି ଦ୍ୱିତୀୟ ଦିନ । ଗତକାଲି ତୁଳନାରେ ଆଜି ବନ୍ଦ ଏତେ ପ୍ରଭାବୀ ନଥିଲା । ହେଲେ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ଯାନବାହନ ଚଳାଚଳ । ଦୁଇଦିନର ବନ୍ଦ ଡାକରା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍‌ ଏବଂ ଅନ୍ୟ ଯାତ୍ରୀବାହୀ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଯାହା ସୂଚନା ମିଳିଛି ବସ୍‌ କର୍ମଚାରୀମାନେ ବନ୍ଦ ଯୋଗୁଁ ଦୁଇ ଦିନ ଛୁଟି ପାଇ ଯାଇଥିଲେ ।

ଟ୍ରକ୍‌ ଭିତରେ ରୋଷେଇ

ହେଲେ ହଇରାଣ ହୋଇଥିଲେ ଦୂରଦୂରାନ୍ତକୁ ଯାଉଥିବା ଭାରୀ ଯାନ ସବୁ । ଟ୍ରକ୍‌ ସବୁ ଜାତୀୟ ରାଜପଥ କଡ଼ କିମ୍ବା ଢାବା କି ହୋଟେଲ ଥିବା ଅଞ୍ଚଳରେ ଟ୍ରେନ୍‌ ବଗି ଭଳି ଲମ୍ବା ଲାଇନ୍‌ ଲଗାଇଥିଲେ । ଆଉ ଯେଉଁଠି ଏସବୁ ସୁବିଧା ନଥିଲା କିମ୍ବା ବାହାର ଖାଇବା ପସନ୍ଦ ନଥିଲା ସେଠି ଟ୍ରକ୍‌ ଡ୍ରାଇଭର ଓ ହେଲପର ନିଜେ ରୋଷେଇ କରି ଖାଉଥିଲେ ।

TRUCK
ଆମେ ସେମାନଙ୍କ ସହ କଥା ହୋଇଥିଲୁ । ସେମାନଙ୍କୁ ସମବେଦନା ଜଣାଇଥିଲୁ । ନାଚାର ଥିଲେ ସେମାନେ । କାରଣ ଏଭଳି ‘ବନ୍ଦ’ର ସେମାନେ ଅନେକଥର ସାମନା କରିଛନ୍ତି । ଏହାକୁ ଏକ ଦୈବୀ ଦୁର୍ବିପାକ ଭାବି ସହି ନେଉଛୁ ବୋଲି ଜଣେ ଟ୍ରକ୍‌ ଡ୍ରାଇଭର କହିଛନ୍ତି ।

ଜାଣି ନଥିଲେ ‘ବନ୍ଦ’ କଣ ପାଇଁ

ଆଉ ଗୋଟିଏ କଥା ଆମ ନଜରକୁ ଆସିଥିଲା ଏଇ ବନ୍ଦ ବେଳେ । ରାସ୍ତାରୋକରେ ବସିଥିଲେ ଅନେକ ମହିଳା । ସେମାନେ ସମସ୍ତେ ଶ୍ରମିକ ଥିଲେ । ହେଲେ ଜାଣି ନଥିଲେ କଣ ପାଇଁ ଏଇ ଦୁଇ ଦିନିଆ ବନ୍ଦ ପାଳନ କରାଯାଉଛି । ଖାଲି ଏତିକି ଜାଣିଥିଲେ ଯେ ସେମାନଙ୍କ ମଜୁରୀ ଆଦି ବଢ଼ାଇବାକୁ ସରକାରଙ୍କ ପାଖରେ ଦାବି କରାଯାଉଛି ।

WOMEN STRIKE

ସ୍ୱାଭାବିକ ହେଲା ଜୀବନଯାତ୍ରା

ତେବେ ଆଜି ସନ୍ଧ୍ୟା ପରେ ପ୍ରାୟତଃ ସ୍ୱାଭାବିକ ହୋଇଛି ଜୀବନ ଯାତ୍ରା । ଆଶ୍ୱସ୍ତ ହୋଇଛନ୍ତି ସାଧାରଣ ଲୋକେ । ସମସ୍ତେ ପେଟ୍ରୋଲ ପମ୍ପ ଖୋଲିବାକୁ ଅପେକ୍ଷା କରିଛନ୍ତି । କାରଣ ବାହାରୁ ଅଧିକ ଦାମ୍‌ରେ ଅପମିଶ୍ରିତ ତେଲ କିଣିବାକୁ ପଡ଼ିଛି । ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଲୁଚି ଲୁଚି ଅଫିସ୍‌ ଯିବାକୁ ପଡ଼ିଛି । ଅନ୍ୟ କେଉଁଠିକୁ ଯିବା ପାଇଁ ଅଟୋ କିମ୍ବା ବସ୍‌ ମିଳି ନାହିଁ । ଦୁଇ ଦିନ ଭିତରେ କିଛି ବି ଯୋଜନା କରିବା ପୂର୍ବରୁ ଶହେଥର ଚିନ୍ତା କରିବାକୁ ପଡ଼ିଛି । ଏସବୁ ଚିନ୍ତା ଏବେ ଦୂର ହୋଇଛି । ଅନ୍ତତଃ ଆଉ ଗୋଟିଏ ‘ବନ୍ଦ’ ପର୍ଯ୍ୟନ୍ତ ।

NORMAL-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.