ସଂସଦରେ ଉଠିଲା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରସଙ୍ଗ, ବାହାମାସରେ ଆକାଉଣ୍ଟ ଖୋଲିବା କଥା କହିଲେ ଭର୍ତ୍ତୃହରି ମହତାବ

ଭୂବନେଶ୍ବର : ଭୂତ କଂପାନୀ ଜରିଆରେ ବାହାମାସରୁ ଟଙ୍କା କାରବାର ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିଷୟରେ ଖବର ପରେ ବିବାଦ ବଢିବାରେ ଲାଗିଛି। ଆଜି ଲୋକସଭାର ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇଥିଲେ ସାଂସଦ ଭର୍ତ୍ତୃହରି ମହତାବ। ପ୍ରଥମ ପ୍ରଶ୍ନ ଥିଲା, ବୈଜୟନ୍ତ ପଣ୍ଡା ତାଙ୍କ ପତ୍ନୀ ଓ ସହଯୋଗୀଙ୍କ ଦ୍ୱାରା ପରିଚାଳିତ ଓ ଫାଇଦା ମିଳୁଥିବା କଂପାନୀଗୁଡିକ ଟିକସ ଠକେଇର ଭୂଃସ୍ୱର୍ଗ ବାହାମାସର ନସାଓରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆଗରୁ ଆର୍‌ବିଆଇର ଅନୁମତି ନେଇଥିଲେ କି। ବୈଜୟନ୍ତ ତାଙ୍କ ସଫେଇରେ କହିଥିଲେ, ଯେତେବେଳେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିଲା ସେତେବେଳେ ସେ ବିଦେଶରେ ଛାତ୍ର ଥିଲେ ଓ ଏନ୍‌ଆରଆଇ ଥିଲେ। ସେଥିପାଇଁ ଆର୍‌ବିଆଇରୁ ଅନୁମତି ଦରକାର ନଥିଲା।

ଭର୍ତ୍ତୃହରିଙ୍କ ଦ୍ୱିତୀୟ ପ୍ରଶ୍ନ ଥିଲା,ବୈଜୟନ୍ତ ଭାରତକୁ ଫେରିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ଆର୍‌ବିଆଇ ଆଗରେ ତଥ୍ୟ ରଖିଥିଲେ କି? ଓ ଆଇନ ଅନୁଯାୟୀ ଘଜଓ ମାନ୍ୟତା ଛାଡିଥିଲେ କି? ତୃତୀୟ ପ୍ରଶ୍ନ ଥିଲା ଯେତେବେଳେ ଆକାଉଣ୍ଟ ବନ୍ଦ କରାଗଲା ବୈଜୟନ୍ତ ଆର୍‌ବିଆଇକୁ ସୂଚନା ଦେଇଥିଲେ କି? ସେଥିରେ ଥିବା ଟଙ୍କା ଆଇନ ଅନୁଯାୟୀ ଭାରତକୁ ଆଣିଥିଲେ କି? ଯଦି ତାହା କରି ନଥିଲେ ତେବେ ଫରେନ୍‌ ଏକ୍‌ସଚେଞ୍ଜ ଓ ମନି ଲଣ୍ଡରିଂ ନେଇ ଥିବା ଭାରତୀୟ ନିୟମର ଅନୁସାରେ କଣ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପଚାରିଥିଲେ ଭର୍ତ୍ତୃହରି।

ଭର୍ତ୍ତୃହରିଙ୍କ ପ୍ରଶ୍ନ ପଛର ପ୍ରମୁଖ କାରଣ ଥିଲା, ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଏହି ଟ୍ଵିଟ୍‌। ଗଣମାଧ୍ୟମରେ ବୈଜୟନ୍ତଙ୍କ ବେଆଇନ ଆକାଉଣ୍ଟ ଖବର ପରେ ସ୍ୱାମୀ ଟ୍ଵିଟ୍‌ କରି ଏ ବିଷୟରେ ଓଡ଼ିଶା ସରକାରଙ୍କୁ ତଥ୍ୟ ରଖିବାକୁ କହିଥିଲେ। ବିଜେଡି ସାଂସଦ ପିକାନୀ ମିଶ୍ର କହିଛନ୍ତି, ବୈଜୟନ୍ତଙ୍କ ପ୍ରସଙ୍ଗରେ ଯେଉଁ ତଥ୍ୟ ଆସିଛି ତାର ତଦନ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯିବ ଦରକାର। ବିଜେପି କାହିଁକି ରାଜ୍ୟ ସରକାରଙ୍କ ଆଡକୁ ବଲ୍‌ ଗଡାଉଛି।

ସେପଟେ ଆଜି ସଂସଦରେ ଏ ପ୍ରସଙ୍ଗ ଉଠିବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। କହିଛନ୍ତି, ବାହାମାସରେ ତାଙ୍କର କୌଣସି ଆକାଉଣ୍ଟ ନାହିଁ କି ତାଙ୍କ ପରିବାରର କୌଣସି କଂପାନୀ ନାହିଁ। ୬୦ ବର୍ଷ ହେଲା ତାଙ୍କ ପରିବାରର କଂପାନୀଗୁଡିକ ବିଶ୍ୱରେ ବ୍ୟବସାୟ କରୁଛି। ସରକାରୀ ଅନୁମତି ସହ ସବୁ କାମ କରି ଆସିଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.