ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ ମୂଲ୍ୟବାନ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡ଼ିଗଲେ ଚିନ୍ତା ବଢିଯାଏ । କିଏ ଜମି ବିକ୍ରି କରି ଅବା ସୁନା ଗହଣା ବିକି ଚିକିତ୍ସା ଖର୍ଚ୍ଚ ତୁଲାଇ ଥାଆନ୍ତି । ଏପରିକି ପିଲାଙ୍କର ପାଠପଢାରେ ମଧ୍ୟ ଶେଷରେ ଡୋରି ବନ୍ଧା ହୋଇଥାଏ । ଡାକ୍ତରଙ୍କୁ ପୋଷି ସର୍ବସ୍ୱାନ୍ତ ହୁଅନ୍ତି ଲୋକେ । କିନ୍ତୁ ଏସବୁ ସମସ୍ୟାରୁ ଲୋକଙ୍କୁ ମୁକୁଳାଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିଲେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଇଁ ସ୍ମାର୍ଟ ହେଲଥ୍ କାର୍ଡ଼ର ବ୍ୟବସ୍ଥା କରିଥିଲେ । ଯାହାର ନାଁ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅର୍ଥାତ୍ BSKY । ଏହି ବ୍ୟବସ୍ଥାରେ ହସ୍ପିଟାଲରେ କାର୍ଡ଼ ଦେଖାଇଲେ ମାଗଣା ଚିକିତ୍ସା ସୁବିଧା ମିଳିବ । ଏହି ଯୋଜନାରେ ଲୋକଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ମିଳୁଥିଲା ମଧ୍ୟ । ଲୋକେ ଉପକୃତ ହେଉଥିଲେ । ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଥିଲା ।

ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୁଷ୍ମାନ ଯୋଜନା ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଲୋକଙ୍କୁ ବିଏସ୍କେଓ୍ଵାଇ କାର୍ଡ଼ରେ ଯେଉଁ ସୁବିଧା ମିଳୁଥିଲା ସେହି ସୁବିଧା କଣ ଆୟୁଷ୍ମାନ୍ ଯୋଜନାରେ ମିଳି ପାରିବ ? ସୁବିଧା ବିଏସ୍କେଓ୍ଵାଇ କାର୍ଡ଼ରେ ଯେଉଁ ସୁବିଧା ଉପଲବ୍ଧ ଥିଲା ତାହା ଆୟୁଷ୍ମାନ୍ କାର୍ଡ଼ରେ ଅଛି ନା ନାହିଁ ସେ ବିଷୟରେ ସବିଶେଷ ତଥ୍ୟ ଆଜି ଆମେ ଆପଣଙ୍କୁ ଜଣାଇବୁ ।

ଅଗଷ୍ଟ ୨୦୧୮ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆାରମ୍ଭ ହୋଇଥିବା ବେଳେ ୨୦୨୧ ଅଗଷ୍ଟ ମାସରୁ ସମସ୍ତଙ୍କ ପାଇଁ ସ୍ମାର୍ଟ କାର୍ଡ ବ୍ୟବସ୍ଥା ପ୍ରଚଳନ ହୋଇଛି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା କେବଳ ବିପିଏଲଙ୍କ ପାଇଁ ଥିବା ବେଳେ ବିଏସକେୱାଇ ଉଭୟ ଏପିଏଲ୍ ଓ ବିପିଏଲ୍ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ବିଏସକେୱାଇରେ ହସ୍ପିଟାଲରେ ପହଞ୍ଚିଲେ କ୍ୟାସଲେସ ଚିକିତ୍ସା ସୁବିଧା ରହିଛି । ସେହିପରି ଜଣେ ମହିଳା କେବଳ କେନ୍ଦ୍ରୀୟ ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ଚିକିତ୍ସା ପାଇ ପାରିବେ, ଯାହା BSKY ଅଧୀନରେ ପାଇବାକୁ ସେ ଅଧିକାରର ଅଧା ଅଟେ। ସେହିଭଳି ଅଙ୍ଗ ପ୍ରତିରୋପଣ ପାଇଁ ମଧ୍ୟ ବିଏସକେଓ୍ଵାଇ କାର୍ଡ଼ରେ ଅଧିକ ସହାୟତା ରାଶି ରହିଛି ।

ତେବେ ଆୟୁଷ୍ମାନ୍ ଭାରତ ଯୋଜନାର ସହାୟତା ସେହିମାନଙ୍କୁ ମିଳିଥାଏ ଯେଉଁ ପରିବାରରେ ଜଣେ ଦିବ୍ୟାଙ୍ଗ ବା ଭିନ୍ନକ୍ଷମ ସଦସ୍ୟ ଥାଆନ୍ତି। ଯଦି ଘର ଅଧା ତିଆରି ହୋଇଥିବ କିମ୍ବା ଦିନ ମଜୁରିଆ ହୋଇଥାନ୍ତି ଅଥବା ଜଣେ ଭୂମିହୀନ ବ୍ୟକ୍ତି ହୋଇଥାଆନ୍ତି । ଯେକୌଣସି ଅନୁସୂଚିତ ଜାତି କିମ୍ବା ଜନଜାତିର ହୁଅନ୍ତୁ, ଜଣେ ଗ୍ରାମାଞ୍ଚଳର ବାସିନ୍ଦା କିମ୍ବା ଆଦିବାସୀ ହୋଇଥିବେ ତେବେ ଏହି ବ୍ୟକ୍ତି ଆୟୁଷ୍ମାନ୍ ଯୋଜନାର ଲାଭ ଉଠାଇ ପାରିବେ । କେବଳ ଏହି ହିତାଧିକାରୀଙ୍କୁ ଆୟୁଷ୍ମାନ୍ କାର୍ଡ଼ ମିଳି ପାରିବ । କିନ୍ତୁ ବିଏସ୍କେଓ୍ଵାଇ କାର୍ଡ଼ ମାଧ୍ୟମରେ ସେ ଜାତି ହେଉ କି ଜନଜାତି ଏହାସହ ଜଣେ ମଧ୍ୟମ ବର୍ଗର ବ୍ୟକ୍ତି ଏହି କାର୍ଡ଼ରୁ ସୁବିଧା ପାଇଥାଆନ୍ତି । ପରିବାରର ପ୍ରତିଟି ସଦସ୍ୟଙ୍କୁ ଚିକିତ୍ସା ସୁବିଧା ମିଳିଥାଏ ।

ବିଏସକେଓ୍ଵାଇ କାର୍ଡ଼ରେ ରାଜ୍ୟ ତଥା ରାଜ୍ୟ ବାହାର ବେସରକାରୀ ହସପିଟାଲରେ ମଧ୍ୟ ଚିକିତ୍ସା ସୁବିଧା ରହିଥିଲା । ଯାହାଫଳରେ ରାଜ୍ୟ ବାହାରେ ରହୁଥିବା ଓଡ଼ିଆମାନେ ବି ସୁବିଧା ପାଉଥିଲେ । ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତ ହେଉଛି ଏକ ବୀମା ଯୋଜନାରେ ଅନ୍ତର୍ଭୁକ୍ତ । ଯଦିଓ ଏହା ସାରା ଦେଶରେ ଲାଗୁ ହୋଇଛି କିନ୍ତୁ ବର୍ଷକୁ ଗୋଟିଏ ପରିବାର ପିଛା ଏ ବାବଦରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିଥାଏ । ଏହାର ଚିକିତ୍ସା ଖର୍ଚ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ବହନ କରିଥାନ୍ତି ।

Leave A Reply

Your email address will not be published.