Below header

ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେବେ ବିଧାନସଭାର ନୂଆ ଉପବାଚସ୍ପତି, ପ୍ରାର୍ଥୀ କରିଛି ବିଜେଡି

ଆଜି ନାମାଙ୍କନ ଦାଖଲ କରିଛନ୍ତି ସାଲୁଗା ପ୍ରଧାନ । ମନ୍ତ୍ରୀ ଓ ଦଳୀୟ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି । ଏହାପରେ ସାଲୁଗା ପ୍ରଧାନ କହିଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେବେ ବିଧାନସଭାର ନୂଆ ଉପବାଚସ୍ପତି । ତାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଆଜି ନାମାଙ୍କନ ଦାଖଲ କରିଛନ୍ତି ସାଲୁଗା ପ୍ରଧାନ । ମନ୍ତ୍ରୀ ଓ ଦଳୀୟ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି । ଏହାପରେ ସାଲୁଗା ପ୍ରଧାନ କହିଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଉପବାଚସ୍ପତି ଭାବେ ମନୋନୀତ କରିଛନ୍ତି। ବରିଷ୍ଠ ବିଧାୟକଙ୍କ ପରାମର୍ଶକୁ ଗ୍ରହଣ କରି ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ଚେଷ୍ଟା କରିବି। ସବୁ ଦଳର ବିଧାୟକଙ୍କ ମତାମତକୁ ସମ୍ମାନ ଜଣାଇ ଗୃହ ଚଳାଇବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ସାଲୁଗା ପ୍ରଧାନ । ଦୁଇ ଥର ବିଧାୟକ ସାଲୁଗା ପ୍ରଧାନ ।

୨୦୦୦ ମସିହାରେ ଜି. ଉଦୟଗିରି ଆସନରୁ ପ୍ରଥମେ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୯ରେ ଜି. ଉଦୟଗିରି ଆସନରୁ ଦ୍ବିତୀୟ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ରଜନୀକାନ୍ତ ସିଂ ଉପବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହା ଖାଲି ପଡ଼ିଛି ପଦବୀ। ଆସନ୍ତାକାଲି ଆରମ୍ଭ ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ତାପୂର୍ବରୁ ନୂଆ ଉପବାଚସ୍ପତି ନିର୍ବାଚନ ପ୍ରକ୍ରିୟା ସରିବ ।

ତେବେଉପବାଚସ୍ପତି ପଦ ପାଇଁ କାହିଁକି ଭେଟେରାନ୍ ଆଦିବାସୀ ନେତା ସାଲୁଗା ପ୍ରଧାନଙ୍କୁ ବାଛିଲେ ମୁଖ୍ୟମନ୍ତ୍ରୀ ? ପୂର୍ବରୁ୩ ଆଦିବାସୀ ନେତା ଜଗନ୍ନାଥ ସାରକା, ସୁଦାମ ମାର୍ଣ୍ଡି ଓ ବାସନ୍ତୀ ହେମ୍ବ୍ରମଙ୍କୁ ମନ୍ତ୍ରୀ ପଦ ଦେଇଥିଲେ ନବୀନ । ଏବେ ଉପବାଚସ୍ପତି ଭାବେ ଆଦିବାସୀ ନେତା ସାଲୁଗା ପ୍ରଧାନଙ୍କୁ ପ୍ରମୁଖ ସାମ୍ବିଧାନିକ ପଦବୀ ପାଇଁ ମନୋନୀତ କରିଛନ୍ତି ।

ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୨୩% ହେଉଛନ୍ତି ଆଦିବାସୀ । ରାଜ୍ୟରେ ପାଖାପାଖି ୧ କୋଟି ଆଦିବାସୀ ବସବାସ କରନ୍ତି । ଜି. ଉଦୟଗିରିରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ। ଆଦିବାସୀ ସଂସ୍କୃତିର ପ୍ରଚାର ପ୍ରସାର, ସଂରକ୍ଷଣ ଓ ବିକାଶ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । କେବିକେ ଅଞ୍ଚଳର ମନ୍ତ୍ରୀ ଜଗନ୍ନାଥ ସାରକା । ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବାସନ୍ତୀ ହେମ୍ବ୍ରମ ମୟୂରଭଞ୍ଜ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଛନ୍ତି ।

ଆଦିବାସୀ ବହୁଳ ଜିଲ୍ଲା କନ୍ଧମାଳରୁ ଆସିଛନ୍ତି ସାଲୁଗା ପ୍ରଧାନ । ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରୁ ଅନୁସୂଚିତ ଜନଜାତି ନେତା ବିଭିନ୍ନ ସାମ୍ବିଧାନିକ ପଦ ପଦବୀରେ ରହିବେ । ମୋଟାମୋଟି ଭାବରେ କହିଲେ, ଗୁରୁତ୍ବପୂର୍ଣ୍ଣ ପଦବୀରେ ଆଦିବାସୀଙ୍କ ପ୍ରତିନିଧିତ୍ବକୁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.