ନିୟନ୍ତ୍ରଣାଧୀନକୁ ଆସିଲାଣି ଭୁବନେଶ୍ବରରେ କରୋନା ସ୍ଥିତି: ପ୍ରେମଚାନ୍ଦ ଚୈଧୁରୀ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବରରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଭୁବନେଶ୍ବର ମ୍ୟୁନିସପାଲିଟିର କମିଶନର ପ୍ରେମଚାନ୍ଦ ଚୈଧୁରୀ। ଆଜି ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ୪ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ବୋଲି କମିଶନର କହିଛନ୍ତି। ଏହାସହ ସେ କହିଛନ୍ତି, କୋଭିଡ-୧୯ ସଂକ୍ରମଣ ଯୋଗୁଁ ୩ ଜଣ କରୋନା ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି ।
ବିଗତ ଏକ ସପ୍ତାହ ମଧ୍ୟରେ ଭୁବନେଶ୍ୱରରେ ୬୦ ନୂଆ ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି । ଏଥିରୁ ୫୦ ପ୍ରତିଶତ ଆଇସିୟୁ ବେଡ ଘରୋଇ ହସ୍ପିଟାଲ ପାଇଁ ଉଦ୍ଧିଷ୍ଟ ରହିଛି ବୋଲି କମିଶନର କହିଛନ୍ତି। ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ୧୦ ହଜାର ଲୋକ ହୋମ ଆଇସୋଲେସନରେ ରହି ସାରିଛନ୍ତି । ଏମାନଙ୍କ ମଧ୍ୟରୁ ୭ ହଜାର ଲୋକ ସୁସ୍ଥ ହୋଇ ସାରିଛନ୍ତି । କହିବାକୁ ଗଲେ ରାଜଧାନୀରେ କରୋନା ଭାଇରସ ନିୟନ୍ତ୍ରଣକୁ ଆସିପାରିଛି ବୋଲି ବିଏମସି କମିଶନର କହିଛନ୍ତି ।